Advertisment

ବାଂଲାଦେଶରେ ରାସ୍ତାକୁ ଓହ୍ଲାଇଲେ ଲକ୍ଷ ଲକ୍ଷ ହିନ୍ଦୁ, ଆକ୍ରମଣ ବିରୋଧରେ ଉଠାଇଲେ ସ୍ୱର

ଅଗଷ୍ଟ ୫ରେ ଶେଖ ହସିନାଙ୍କ ନେତୃତ୍ୱାଧୀନ ସରକାରର ପତନ ପରେ ବାଂଲାଦେଶର ୫୨ଟି ଜିଲ୍ଲାରେ ସଂଖ୍ୟାଲଘୁ ସଂପ୍ରଦାୟଗୁଡ଼ିକ ବିରୋଧରେ ୨୦୫ଟି ଆକ୍ରମଣ ଘଟଣା ଘଟିସାରିଲାଣି।

author-image
Jitendra Garnayak
ଅଦ୍ୟତନ ହୋଇଛି
Hindu Rally

Hindu Rally

ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଭାରତ ପଳାଇ ଆସିବା ପରେ ବାଂଲାଦେଶରେ ବସବାସ କରୁଥିବା ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁ ସଂପ୍ରଦାୟ ଉପରେ ଆକ୍ରମଣ କରାଯାଉଛି। ଏହାର ପ୍ରତିବାଦରେ ଶନିବାର ଲକ୍ଷ ଲକ୍ଷ ହିନ୍ଦୁ ଢାକା ଓ ଚିଟ୍ଟାଗଙ୍ଗରେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛନ୍ତି।

Advertisment

ସଂଖ୍ୟାଲଘୁ ସଂପ୍ରଦାୟର ଲୋକଙ୍କୁ ନିର୍ଯାତନା ଦେଉଥିବା ଲୋକଙ୍କ ବିରୋଧରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ୱତନ୍ତ୍ର ଟ୍ରିବ୍ୟୁନାଲ ଗଠନ, ସଂସଦରେ ସଂଖ୍ୟାଲଘୁଙ୍କ ପାଇଁ ୧୦% ଆସନ ସଂରକ୍ଷଣ ଓ ଏକ ସଂଖ୍ୟାଲଘୁ ସୁରକ୍ଷା ଆଇନ ଆଣିବା ସମେତ ଅନ୍ୟାନ୍ୟ ଦାବି କରି ଗତକାଲି ହିନ୍ଦୁମାନେ ଢାକାର ଶାହବାଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନଙ୍କୁ ସମର୍ଥନ ଜଣାଇ ହଜାର ହଜାର ମୁସଲିମ ମଧ୍ୟ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ। ଫଳରେ ୩ ଘଣ୍ଟାରୁ ଅଧିକ ସମୟ ଧରି ଟ୍ରାଫିକ ସମସ୍ୟା ଉପୁଜି ଥିଲା। ସେହିପରି ଚିଟ୍ଟାଗଙ୍ଗରେ ଲକ୍ଷାଧିକ ହିନ୍ଦୁ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କୁହାଯାଉଛି, ଏହି ଦୁଇ ସ୍ଥାନରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନରେ ୭ ଲକ୍ଷରୁ ଅଧିକ ଲୋକ ଜମା ହୋଇଥିଲେ। 

ସଂଖ୍ୟାଲଘୁ ସଂପ୍ରଦାୟ ଉପରେ ହେଉଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସ। ଏହା ଘୃଣ୍ୟ କାର୍ଯ୍ୟ ବୋଲି ସେ କହିଛନ୍ତି। ବିକ୍ଷୋଭ କରି ଶେଖ ହସିନାଙ୍କ ସରକାରର ପତନର ବାହକ ସାଜିଥିବା ବାଂଲାଦେଶର ହଜାର ହଜାର ଶିକ୍ଷାର୍ଥୀ ହିନ୍ଦୁ, ଖ୍ରୀଷ୍ଟିଆନ ଓ ବୌଦ୍ଧ ପରିବାରଗୁଡ଼ିକୁ ସୁରକ୍ଷା ଯୋଗାଇ ଦେବାକୁ ଆଗେଇ ଆସିବାକୁ ଆହ୍ୱାନ ଦେଇଛନ୍ତି ମହମ୍ମଦ ୟୁନୁସ। 

Advertisment
Peopleଚିଟ୍ଟାଗଙ୍ଗରେ ହିନ୍ଦୁଙ୍କ ବିକ୍ଷୋଭ

ଜାତୀୟ ଏକତା ଗୁରୁତ୍ୱପୂର୍ଣ୍ଣ ବୋଲି ଦର୍ଶାଇ ୟୁନୁସ ଶିକ୍ଷାର୍ଥୀମାନଙ୍କୁ କହିଛନ୍ତି, ସେମାନେ (ସଂଖ୍ୟାଲଘୁ ସଂପ୍ରଦାୟ) କ’ଣ ଏହି ଦେଶର ବାସିନ୍ଦା ନୁହନ୍ତି? ଆପଣମାନେ ଦେଶକୁ ବଞ୍ଚାଇ ଦେଲେ। ଆପଣମାନେ କ’ଣ କିଛି ପରିବାରକୁ ସୁରକ୍ଷା ଦେଇପାରିବେ ନାହିଁ? ଆପଣମାନେ ନିଶ୍ଚିତ ଭାବେ କହିବା ଦରକାର ଯେ ସେମାନଙ୍କୁ କେହି କ୍ଷତି ପହଞ୍ଚାଇ ପାରିବେ ନାହିଁ। ସେମାନେ ଆମର ଭାଇଭଉଣୀ। ଆମେ ଏକାଠି ଲଢ଼ିବା ଓ ଏକାଠି ରହିବା। 

ଅଗଷ୍ଟ ୫ରେ ଶେଖ ହସିନାଙ୍କ ନେତୃତ୍ୱାଧୀନ ସରକାରର ପତନ ପରେ ବାଂଲାଦେଶର ୫୨ଟି ଜିଲ୍ଲାରେ ସଂଖ୍ୟାଲଘୁ ସଂପ୍ରଦାୟଗୁଡ଼ିକ ବିରୋଧରେ ୨୦୫ଟି ଆକ୍ରମଣ ଘଟଣା ଘଟିସାରିଲାଣି। ଏହି ଆକ୍ରମଣରେ ଶତାଧିକ ହିନ୍ଦୁ ଆହତ ହୋଇଛନ୍ତି। ସେମାନଙ୍କ ଘର ଓ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଆକ୍ରମଣ କରାଯାଇଛି। ଅନେକ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା କରାଯାଇଛି। ଶେଖ ହସିନାଙ୍କ ଆୱାମି ଲିଗ୍ ସହିତ ଜଡ଼ିତ ଦୁଇ ଜଣ ହିନ୍ଦୁ ନେତାଙ୍କୁ ହତ୍ୟା କରାଯାଇଛି। ହଜାର ହଜାର ବାଂଲାଦେଶୀ ହିନ୍ଦୁ ଦେଶ ଛାଡ଼ି ଭାରତକୁ ପଳାୟନ କରିବାକୁ ପ୍ରୟାସ ମଧ୍ୟ କରିଛନ୍ତି। 

Bangladesh Sheikh Hasina