Advertisment

Lashkar-e-Taiba : ଆଇଏସଆଇ ଓ ପାକିସ୍ତାନ ଆର୍ମି ଉପରେ ଭରସା ପାଉନି, ଲସ୍କର-ଇ-ତାଏବାରେ ବଡ଼ ବିଦ୍ରୋହ

ଲସ୍କରରେ ଦେଖାଯାଇଛି ଫାଟ। ଲସ୍କରର ବିଗତ କିଛି ମାସ ମଧ୍ୟରେ ନେଇଥିବା ନିଷ୍ପତ୍ତିରେ ଖୁସି ନାହାନ୍ତି କିଛି ବରିଷ୍ଠ କମାଣ୍ଡର। ଏଥିଯୋଗୁ ଲସ୍କରରେ ଆଭ୍ୟନ୍ତରୀଣ ବିଦ୍ରୋହ ଦେଖିବାକୁ ମିଳିଛି।

author-image
Hemant Lenka
Lashkar

ଲସ୍କର-ଇ-ତାଏବା

କୁଖ୍ୟାତ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତାଏବା ବଡ଼ ବିଭାଜନ ଆଡ଼କୁ ଯାଉଛି। ଏଥିଯୋଗୁ ପାକିସ୍ତାନରେ ସ୍ଥିତି ଆହୁରି ଅଧିକ ଖରାପ ହୋଇପାରେ ବୋଲି ଭାରତୀୟ ଗୁଇନ୍ଦା ବିଭାଗ ଜାଣିବାକୁ ପାଇଛି।

Advertisment

ଦୀର୍ଘ ବର୍ଷ ଧରି ଲସ୍କର ଭଳି ଆତଙ୍କୀ ସଂଗଠନ ପାକିସ୍ତାନର ସବୁଠାରୁ ପସନ୍ଦର ସହଯୋଗୀ ରହି ଆସିଛି। ଲସ୍କରରେ କେବେ ହେଲେ ବିଦ୍ରୋହ ଦେଖିବାକୁ ମିଳି ନଥିଲା। ଲସ୍କର ସବୁବେଳେ ପାକିସ୍ତାନ(Pakistan) ଗୁଇନ୍ଦା ସଂସ୍ଥା ଆଇଏସଆଇ ଧାର୍ଯ୍ୟ କରୁଥିବା ଧାଡ଼ିରେ ଚାଲିଥାଏ ଓ କେବେ ହେଲେ ଆଇଏସଆଇ ନିର୍ଦ୍ଦେଶକୁ ବେଖାତିର କରି ନଥାଏ। 

ହେଲେ ଏବେ ସ୍ଥିତି ବଦଳି ଯାଇଛି। ଲସ୍କରରେ ଦେଖାଯାଇଛି ଫାଟ। ଲସ୍କରର ବିଗତ କିଛି ମାସ ମଧ୍ୟରେ ନେଇଥିବା ନିଷ୍ପତ୍ତିରେ ଖୁସି ନାହାନ୍ତି କିଛି ବରିଷ୍ଠ କମାଣ୍ଡର। ଏଥିଯୋଗୁ ଲସ୍କରରେ ଆଭ୍ୟନ୍ତରୀଣ ବିଦ୍ରୋହ ଦେଖିବାକୁ ମିଳିଛି। ବିଶେଷ କରି ଅପରେସନ ସିନ୍ଦୂର ହିଁ ଲସ୍କର ମେରୁଦଣ୍ଡ ଭାଙ୍ଗି ଦେଇଛି।

Advertisment

ଭାରତୀୟ ସେନା ଅପରେସନ ସିନ୍ଦୂର ବେଳେ ଲସ୍କରର ଏକାଧିକ ପ୍ରତିଷ୍ଠାନକୁ ଧ୍ୱଂସ କରିଥିଲା। ସେବେଠାରୁ ଲସ୍କରର ସଦସ୍ୟମାନେ ପୁଣି ଏକଜୁଟ ହୋଇ ପାରୁନାହାନ୍ତି। ଅନେକ ସଦସ୍ୟ ଆଇଏସଆଇ ଓ ପାକିସ୍ତାନ ଆର୍ମି ଉପରେ ନିଜର ଭରସା ତୁଟାଇଛନ୍ତି। ଭାରତର ଆକ୍ରମଣରୁ ଆଇଏସଆଇ ଓ ପାକିସ୍ତାନ ଆର୍ମି ସେମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି। ଏଥିଯୋଗୁ ଲସ୍କରର ଅଧିକାଂଶ ସଦସ୍ୟ ଆଉ ଆଇଏସଆଇ କଥାରେ ପରିଚାଳିତ ହେବା ମୁଡରେ ନାହାନ୍ତି। 

ତଥାପି ଆଇଏସଆଇ ସଂଗଠନରେ ଥିବା ମତପାର୍ଥକ୍ୟକୁ ଦୂର କରିବା ସହ ପୁଣି ସମସ୍ତଙ୍କୁ ଏକାଠି କରିବାର ପ୍ରକ୍ରିୟା ‌ଆରମ୍ଭ କରିଥିଲା। ହେଲେ ପାକିସ୍ତାନ ଆର୍ମି ଓ ଆଇଏସଆଇ ଲସ୍କରର ସଦସ୍ୟମାନଙ୍କୁ ତାଲିବାନ, ତେହରିକ-ଇ-ତାଲିବାନ ପାକିସ୍ତାନ(ଟିଟିପି) ଓ ବାଲୋଚିସ୍ତାନ ନ୍ୟାଶନାଲିଷ୍ଟ ଆର୍ମି ବା ବିଏଲଏ ବିରୋଧୀରେ ଲଢ଼େଇ କରିବାକୁ କହିଛି। ଏହାକୁ ଲସ୍କରର ଅଧିକାଂଶ ସଦସ୍ୟ ଓ କମାଣ୍ତରମାନେ ବିରୋଧ କରିଛନ୍ତି। 

ଲସ୍କର କ୍ୟାଡର୍ସ ଅନୁଭବ କରୁଛନ୍ତି ଯେ ପାକିସ୍ତାନ ନେତୃବୃନ୍ଦ ଏବେ ଅଧିକ ମାତ୍ରାରେ ଚାଇନିଜ ଓ ପଶ୍ଚିମ ଦେଶର ଆବଶ୍ୟକତାକୁ ପୂରଣ କରିବାକୁ ଆଗଭର ହେଉଛନ୍ତି। ବାଲୋଚିସ୍ତାନରେ ଥିବା ବିରଳ ମୃତ୍ତିକା ଉପରେ ଉଭୟ ଚାଇନା ଓ ଆମେରିକାର ଆଖି ରହିଛି। ସେହିପରି ଟିଟିପି ଓ ବିଏଲଏ ପାକିସ୍ତାନ ଆର୍ମି ସହ ବାଲୋଚିସ୍ତାନ ଓ ଖାୟବର ପାଖତୁନଖ୍ୱାରେ ଲଢ଼େଇ କରୁଛନ୍ତି। ପାକିସ୍ତାନ ଆର୍ମି ଏହି ଦୁଇ ସଂଗଠନର ମୁକାବିଲା କରିବାରେ ବିଫଳ ହେବାରୁ ଲସ୍କରକୁ ଏହି କାମରେ ନିୟୋଜତ କରିବାକୁ ଚାହୁଁଛି। ସେହିପରି ଆଇଏସକେପିକୁ ମଧ୍ୟ ପାକିସ୍ତାନ ସାମ୍ନାକୁ ଆଣିଛି। 

ତେବେ ନିଜ ଲୋକଙ୍କ ବିରୋଧରେ ପାକିସ୍ତାନ ଯୁଦ୍ଧ କରିବାର କାରଣ ଉପରେ ଲସ୍କର ନେତୃବୃନ୍ଦ ପ୍ରଶ୍ନ ଉଠାଇଛନ୍ତି। ଏଥିସହ ଆଇଏସକେପି ସହ ମଧ୍ୟ ଲସ୍କର ଅସହଜ ଅନୁଭବ କରୁଛି। କାରଣ ଆଫଗାନ ତାଲିବାନର ଶତ୍ରୁ ହେଉଛି ଆଇଏସ୍‌କେପି। ଲସ୍କର ସବୁବେଳେ ତାଲିବାନର ସମର୍ଥନ କରି ଆସିଛି। ଏବେ ପାକିସ୍ତାନ ଆର୍ମି ଆଫଗାନିସ୍ତାନରେ ତାଲିବାନ ସହ ଲଢ଼େଇ କରୁଥିବାରୁ ଲସ୍କର ଏଥିରେ କ୍ଷୁବ୍ଧ ହୋଇଛି। 

ଏହି ମତପାର୍ଥକ୍ୟ ଏବେ ଜଳଜଳ ହୋଇ ଦେଖାଯାଉଛି। ପୂର୍ବରୁ ଅତ୍ୟନ୍ତ ଗୁପ୍ତ ଭାବେ ସବୁ କିଛି ବିରୋଧ ହେଉଥିଲା। କିନ୍ତୁ ଏବେ ସବୁ କିଛି ଖୁଲାମଖୋଲା ହେଉଛି। ପାକିସ୍ତାନ ନେତୃବୃନ୍ଦ ଲସ୍କର ସଦସ୍ୟଙ୍କ ଠାରୁ ବହୁତ କିଛି ଆଶା କରୁଥିବା ସଂଗଠନର ଗୋଟିଏ ଗୋଷ୍ଠୀ ଅନୁଭବ କରୁଛି।

କ୍ୟାଡର୍ସମାନେ ଲସ୍କର ନେତୃବୃନ୍ଦଙ୍କୁ ଏ ସମ୍ପର୍କରେ ପ୍ରଶ୍ନ କରୁଥିବା ବେଳେ ସେମାନେ ମଧ୍ୟ ଉପଯୁକ୍ତ ଉତ୍ତର ଦେଇ ପାରୁ ନାହାନ୍ତି। ଲସ୍କର କ୍ୟାଡର୍ସଙ୍କ ଗୋଟିଏ ଉଦ୍ଦେଶ୍ୟ ହେଲା ଯେ ସମସ୍ତେ ଏକାଠି ହେବା ଓ ଭାରତ ବିରୋଧରେ ଲଢ଼େଇ କରିବା।

ସେମାନେ ଏହା ଚାହୁଁଥିବା ବେଳେ ପାକିସ୍ତାନ ଆର୍ମି ସେମାନଙ୍କୁ ନିଜ ଲୋକଙ୍କ ସହ ବାଲୋଚିସ୍ତାନ ଓ ଖାୟବର ପାଖତୁନଖ୍ୱାରେ ଲଢ଼େଇ କରିବାକୁ କହୁଛି। ଏହାକୁ ନେଇ ସଂଗଠନରେ ଫାଟ ଦେଖାଯାଇଛି।

Pakistan