ଲାସଜଲୋ କ୍ରାଜନାହୋରକାଇ
ହଙ୍ଗେରୀର ପ୍ରସିଦ୍ଧ ଲେଖକ ଲାସଜଲୋ କ୍ରାଜନାହୋରକାଇ ସାହିତ୍ୟରେ ପାଇବେ ନୋବେଲ। ସାହିତ୍ୟ କ୍ଷେତ୍ରରେ ତାଙ୍କୁ ନୋବେଲ(Nobel) ପୁରସ୍କାର ପାଇଁ ଚୟନ କରାଯାଇଛି। ସେ ଲେଖିଥିବା Herscht 07769 ଉପନ୍ୟାସ ପାଇଁ ତାଙ୍କୁ ନୋବେଲ ସମ୍ମାନ ମିଳିବ। ତାଙ୍କୁ ଏହି ସମ୍ମାନ ତାଙ୍କର ଅସାଧାରଣ ଓ ଦୂରଦର୍ଶୀ ରଚନା ପାଇଁ ପ୍ରଦାନ କରାଯିବ।
ବିନାଶ ଓ ଭୟର ସ୍ଥିତି ମଧ୍ୟରେ ତାଙ୍କ କଳାର ଶକ୍ତିକୁ ସେ ପ୍ରତିପାଦନ କରିପାରିଛନ୍ତି। ସେ ନିଜର ଉପନ୍ୟାସରେ ଜର୍ମାନୀର ସାମାଜିକ ଅସ୍ଥିରତା କେମିତି ହିଂସା ଓ ସୁନ୍ଦରତା ଉପରେ ପ୍ରଭାବ ପକାଉଛି, ତା’କୁ ଉପସ୍ଥାପନ କରିଥିଲେ।
୧୯୫୪ରେ ରୋମାନିଆକୁ ଲାଗିଥିବା ହଙ୍ଗେରୀ ସୀମାନ୍ତ ସହର ଗୟୁଲାରେ କ୍ରାଜନାହୋରକାଇ ଜନ୍ମ ଗ୍ରହଣ କରିଥିଲେ। ୩୧ ବର୍ଷ ବୟସରେ ଅର୍ଥାତ୍ ୧୯୮୫ ମସିହାରେ ତାଙ୍କର ପ୍ରଥମ ଉପନ୍ୟାସ ପ୍ରକାଶ ପାଇଥିଲା। ଏହି ୭୧ ବର୍ଷୀୟା ଔପନ୍ୟାସିକଙ୍କ ସାହିତ୍ୟ କୃତିକୁ ପ୍ରଶଂସା କରି ନୋବେଲ ଫାଉଣ୍ଡେସନ ତରଫରୁ କୁହାଯାଇଛି ଯେ ତାଙ୍କ ରଚନାରେ ରହିଛି ମନୋମୁଗ୍ଧକର ଓ ଦୂରଦର୍ଶୀ ସୃଜନକର୍ମ ଯାହା ପାରମ୍ପରିକ ବିଶ୍ୱରେ ଭୟ ଓ ଆତଙ୍କର ସ୍ଥିତି ଭିତରେ ବି ସାରସ୍ଵତ ସୃଜନଶିଳ୍ପର ଶକ୍ତିକୁ ଦୃଢ଼ ଓ ସୁନ୍ଦର ଭାବେ ଛିଡ଼ା କରାଇବାରେ ସମର୍ଥ ଓ ସଫଳ ହୋଇଛି।
ସେ ନିଜର ଦୀର୍ଘ, ଜଟିଳ ବାକ୍ୟ ଓ ଦାର୍ଶନିକ ଗଭୀରତା ପାଇଁ ବେଶ ପରିଚିତ। ତାଙ୍କ ଲେଖାଗୁଡ଼ିକୁ ସବୁବେଳେ ଫ୍ରାଞ୍ଜ କାଫକା ଓ ଥୋମାସ ବ୍ରେନହାର୍ଡଙ୍କ ସହ ତୁଳନା କରାଯାଏ। କାରଣ ତାଙ୍କ ଲେଖାଗୁଡ଼ିକରେ ବିଚତ୍ର କଳ୍ପନା ଓ ଆଭ୍ୟନ୍ତରୀଣ ଆଧ୍ୟତ୍ମିକତାର ମିଶ୍ରଣ ରହିଥାଏ।
ନୋବେଲ କମିଟି କ୍ରାଜନାହୋରକାଇଙ୍କୁ କେନ୍ଦ୍ରୀୟ ୟୁରୋପୀୟ ପରମ୍ପରାର ଜଣେ ମହାନ ଲେଖକ ଭାବେ ଚିତ୍ରଣ କରିଛି। ୨୦୨୫ରେ ପୁରସ୍କାର ଜିତିଥିବା ତାଙ୍କର Herscht 07769କୁ ମହାନ ପାରମ୍ପରିକ ଜର୍ମାନ ଉପନ୍ୟାସର ଆଖ୍ୟା ମିଳିଛି। ଗୋଟିଏ ଛୋଟ ଥୁରିନଜିଆନ ସହର କେମିତି ସାମାଜିକ ବିବାଦଳ, ହଂସା ଓ ପୋଡ଼ାଜଳା ଦ୍ୱାରା ପ୍ରଭାବିତ ହେଉଛି, ସେକଥା ନିଜ ଉପନ୍ୟାସରେ ଲେଖିଥିଲେ କ୍ରାଜନାହୋରକାଇ।
ଜନ ସେବାଷ୍ଟିଆନ ବାଞ୍ଚଙ୍କ ସାମାଜିକ ନୀତିକୁ ବେଖାତିରି କରି କେମିତି ଆତଙ୍କ ଓ ସୁନ୍ଦରତା ମାନବ ଅଭିଜ୍ଞତାକୁ ପ୍ରଭାବିତ କରିଥିଲା, ସେକଥା ନୋବେଲରେ ରହିଛି। ଏଥିପାଇଁ ତାଙ୍କୁ ନୋବେଲ( Nobel In Literature) ପୁରସ୍କାର ପାଇଁ ମନୋନୀତ କରାଯାଇଛି। ପୁରସ୍କାର ବାବଦରେ ସେ ୧.୨ ମିଲିୟନ ଡଲାର ପାଇବେ। ଗତବର୍ଷ ଦକ୍ଷିଣ କୋରିଆର ହାଙ୍ଗ କାଙ୍ଗ ସାହିତ୍ୟରେ ନୋବେଲ (Nobel Literature Prize)ପୁରସ୍କାର ଜିତିଥିଲେ।
ସୋମବାର ଠାରୁ ଚଳିତ ବର୍ଷର ନୋବେଲ ସିଜନ ଆରମ୍ଭ ହୋଇଛି। ପ୍ରଥମେ ଭେଷଜ, ତା’ ପରେ ପଦାର୍ଥ ଓ ବୁଧବାର ରସାୟନ ବିଜ୍ଞାନରେ ନୋବେଲ ବିଜେତାଙ୍କ ନାଁ ଘୋଷଣା କରାଯାଇଥିଲା। ଏହି ୩ ବର୍ଗରେ ୩ ଜଣ ଲେଖାଏ ବୈଜ୍ଞାନିକଙ୍କୁ ମିଳିତ ଭାବେ ନୋବେଲ ପୁରସ୍କାର ପାଇଁ ଚୟନ କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/10/09/nobel-2025-10-09-17-27-06.jpg)