/odisha-reporter/media/media_files/2025/10/29/gang-2025-10-29-13-48-08.jpg)
ଲରେନ୍ସ, ଦର୍ଶନ ଓ ନଟ୍ଟାନ (ଫାଇଲ ଫଟୋ)
ପୁଣିଥରେ କାନାଡାରେ ନିଜର ଦବଦବା ଦେଖାଇଛି କୁଖ୍ୟାତ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ। ଏହି ଗ୍ୟାଙ୍ଗ(Lawrence Bishnoi Gang) କାନାଡାରେ ଜଣେ ଭାରତୀୟ ବଂଶୋଦ୍ଭବ ବ୍ୟବସାୟୀଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛି। ସେହିପରି ପଞ୍ଜାବର ଜଣେ ପ୍ରସିଦ୍ଧ ସିଙ୍ଗରଙ୍କ ଘର ଉପରକୁ ମଧ୍ୟ ଗ୍ୟାଙ୍ଗର ସଦସ୍ୟମାନେ ଗୁଳି ମାଡ଼ କରି ଆତଙ୍କ ସୃଷ୍ଟି କରିଛନ୍ତି।
ଦିନକ ତଳେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ପ୍ରମୁଖ ସଦସ୍ୟ ଜଗଦୀପ ସିଂହ ଓରଫ ଜଗାକୁ ରାଜସ୍ଥାନ ପୁଲିସ ଆମେରିକାରେ ଗିରଫ କରିଥିଲା। ତା’କୁ ଭାରତ ଆଣିବାକୁ ପ୍ରୟାସ ଚାଲିଥିବା ବେଳେ କାନାଡାରେ ଗ୍ୟାଙ୍ଗର ସଦସ୍ୟମାନେ ଏପରି କାଣ୍ଡ ଘଟାଇଛନ୍ତି।
ବିଷ୍ଣୋଇ ଗ୍ୟାଙ୍ଗ(Bishnoi Gang)ର ସଦସ୍ୟ ଗୋଲ୍ଡୀ ଢିଲନ ଗୋଟିଏ ସୋଶାଲ ମିଡିଆ ପୋଷ୍ଟରେ ଭାରତୀୟ ବଂଶୋଦ୍ଭବ ବ୍ୟବସାୟୀ ଦର୍ଶନ ସିଂହ ସାହାସିଙ୍କୁ ହତ୍ୟା କରାଯାଇଥିବା ସୂଚନା ଦେଇଛି। ଗ୍ୟାଙ୍ଗ ଦାବି କରିଛି ଯେ ୬୯ ବର୍ଷୀୟ ବ୍ୟବସାୟୀ ଦର୍ଶନ ବଡ଼ଧରଣର ଡ୍ରଗ ବ୍ୟବସାୟୀରେ ସାମିଲ ଥିଲେ। ତାଙ୍କ ଠାରୁ ଗ୍ୟାଙ୍ଗ ସଦସ୍ୟମାନେ ଟଙ୍କା ଚାହୁଁଥିଲେ। ହେଲେ ବ୍ୟବସାୟୀ ଦର୍ଶନ ଟଙ୍କା ଦେବାକୁ ମନା କରିବାକୁ ଗ୍ୟାଙ୍ଗ ପକ୍ଷରୁ ତାଙ୍କୁ ହତ୍ୟା କରାଯାଇଥିବା ଢିଲନ ଦାବି କରିଛି।
ରିପୋର୍ଟ ଅନୁସାରେ, ବ୍ୟବସାୟୀ ଦର୍ଶନ ବ୍ରିଟିଶ କଲୋମ୍ବିଆର ଅବୋଟସଫର୍ଡରେ ରୁହନ୍ତି। ସେଠାରେ ଥିବା ତାଙ୍କ ଘର ବାହାରେ ହିଁ ସୋମବାର ସକାଳେ ତାଙ୍କୁ ଗୁଳି ମାରି ହତ୍ୟା କରାଯାଇଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ହତ୍ୟାକାରୀମାନେ ଦର୍ଶନଙ୍କୁ ତାଙ୍କ ଘର ବାହାରେ ମାରିବାକୁ ବେଶ କିଛି ଘଣ୍ଟା ଅପେକ୍ଷା କରି ରହିଥିଲେ।
ଦର୍ଶନ ଘର ବାହାରେ ଛିଡ଼ା ହୋଇଥିବା କାର ନିକଟକୁ ଆସିଥିବାରୁ ଗ୍ୟାଙ୍ଗର ସଦସ୍ୟମାନେ ତାଙ୍କୁ ଗୁଳି କରିଥିଲେ। ଗୁଳି ମାଡ଼ ପରେ ସେମାନେ ସେଠାରୁ ଫେରାର ହୋଇ ଯାଇଥିଲେ। ପୁଲିସ୍ ପହଞ୍ଚିଲା ବେଳକୁ ଦର୍ଶନଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିଲା। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।
ଦର୍ଶନ ହେଉଛନ୍ତି ଲୋକପ୍ରିୟ ଟେକ୍ସଟାଇଲ ରିସାଇଲିଂ କମ୍ପାନୀ କାନାମ ଇଣ୍ଟରନ୍ୟାଶନାଲର ଅଧ୍ୟକ୍ଷ। ତାଙ୍କ ଘର ଭାରତରେ ହୋଇଥିଲେ ହେଁ ସେ ୧୯୯୧ରୁ କାନାଡା ଚାଲି ଯାଇଥିଲେ। ସେଠାରେ ପ୍ରଥମେ ସେ ଛୋଟ ଛୋଟ କାମ କରିଥିଲେ। ପରେ ସେ ଟେକ୍ସଟାଇଲ ରିସାଇଲିଂ କମ୍ପାନୀ କରି ବିଶ୍ୱରେ ଏହାକୁ ପରିଚିତ କରାଇ ପାରିଥିଲେ।
ଦର୍ଶନଙ୍କୁ ହତ୍ୟା କରିବା ପରେ ଲରେନ୍ସ ଗ୍ୟାଙ୍ଗର ସଦସ୍ୟମାନେ ଆଉ ଏକ ଅପରାଧ ଘଟାଇଛନ୍ତି। ସେମାନେ ପଞ୍ଜାବୀ ସିଙ୍ଗର ଚନ୍ନି ନଟ୍ଟାନଙ୍କ କାନାଡା ସ୍ଥିତ ଘର ଉପରେ ମଧ୍ୟ ଗୁଳି ମାଡ଼ କରିଛନ୍ତି।
ଏ ସମ୍ପର୍କରେ ଢିଲନ କହିଛି ଯେ ନଟ୍ଟାନଙ୍କ ସହ କୌଣସି ବ୍ୟକ୍ତିଗତ ଶତ୍ରୁତା ନାହିଁ। କିନ୍ତୁ ସେ ସିଙ୍ଗର ସରଦାର ଖେରାଙ୍କ ଅତ୍ୟନ୍ତ ଘନିଷ୍ଠ। ତେଣୁ ଖେରାଙ୍କ ସହ କାମ କରୁଥିବା ଯେକୌଣସି ଲୋକ ନିଜର କ୍ଷତିରୁ ବର୍ତ୍ତି ପାରିବେ ନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
