Pakistan
ଏପ୍ରିଲ ୨୨ ପହଲଗାମ ନରସଂହାରର ମାଷ୍ଟର ମାଇଣ୍ଡ ତଥା ଲସ୍କର-ଇ-ତାଏବାର କମାଣ୍ଡର ସୈଫୁଲ୍ଲା କସୁରିକୁ ପୁଣି ସର୍ବସାଧାରଣରେ ଦେଖିବାକୁ ମିଳିଛି। ସେ ଜଣେ କୁଖ୍ୟାତ ଆତଙ୍କବାଦୀ ହୋଇଥିଲେ ହେଁ ପାକିସ୍ତାନରେ ତାକୁ ମିଳୁଛି ସବୁ ପ୍ରକାରର ସୁବିଧା। ବୁଧବାର ସେ ପାକିସ୍ତାନର ଏକାଧିକ ରାଜନୀତିକ ଦଳ ଓ ଅନ୍ୟ ମୋଷ୍ଟୱାଣ୍ଟେଡ ଆତଙ୍କବାଦୀଙ୍କ ସହ ଷ୍ଟେଜ ଶେୟାର କରିବା ବେଳର ଭଡିଓ ଏବଂ ଫଟୋ ସାମ୍ନାକୁ ଆସିଛି।
ସୈଫୁଲ୍ଲା ଯୋଗ ଦେଇଥିବା ଜନସଭାକୁ ମର୍କଜି ମୁସଲିମ ଲିଗ(ପିଏମଏମଏଲ) ପକ୍ଷରୁ ଆୟୋଜନ କରାଯାଇଥିଲା। ପାକିସ୍ତାନର ଆଣବିକ ପରୀକ୍ଷାର ବାର୍ଷିକ ଉତ୍ସବ ପାଇଁ ଆୟୋଜନ ହୋଇଥିବା ୟୋଉମ-ଇ-ତକବୀର ସୈଫୁଲ୍ଲା ଯୋଗ ଦେଇଛି। ଏହି ଜନସଭାରେ ଉତ୍ତେଜନା ସୃଷ୍ଟିକାରୀ ଓ ଭାରତ ବିରୋଧୀ ସ୍ଲୋଗାନ ଶୁଣିବାକୁ ମିଳିଛି। ସୈଫୁଲ୍ଲା ବ୍ୟତୀତ କାର୍ଯ୍ୟକ୍ରମରେ ଲସ୍କରର ପ୍ରତିଷ୍ଠାତା ହାଫିଜ ସୟିଦର ପୁଅ ତାଲହା ସୟିଦ ମଧ୍ୟ ଯୋଗ ଦେଇଥିଲା।
ପଞ୍ଜାବ ପ୍ରଦେଶର କସୁର ଠାରେ ଆୟୋଜିତ ରାଲିରେ ସୈଫୁଲ୍ଲା କହିଛି, “ମୋତେ ପହଲଗାମ ଆତଙ୍କବାଦୀ ହମଲା ପଛର ମାଷ୍ଟରମାଇଣ୍ଡ କୁହାଯାଇ ଦୋଷୀ କରାଯାଉଛି। ଏବେ ମୋ ନାଁ ପୂରା ବିଶ୍ୱରେ ପ୍ରସିଦ୍ଧ ହୋଇଯାଇଛି।”
ସଭାରେ ଉପସ୍ଥିତ ଥିବା ଲୋକଙ୍କୁ ସମ୍ବୋଧନ କରି ମୁଦାସିର ସହିଦ ନାଁରେ ଆହ୍ଳାବାଦରେ ଗୋଟିଏ କେନ୍ଦ୍ର, ରାସ୍ତା ଓ ହସ୍ପିଟାଲ ନିର୍ମାଣ କରିବାକୁ ସୈଫୁଲ୍ଲା ଓରଫ ଖାଲିଦ ଯୋଜନା କରାଯାଇଥିବା ସମସ୍ତଙ୍କୁ କହିଛି। ଗୁଇନ୍ଦା ତଥ୍ୟ ଅନୁଯାୟୀ, ମୁଦାସିର ଅହମଦ ହେଉଛି ଲସ୍କରର ଜଣେ ବରିଷ୍ଠ କମାଣ୍ଡର। ପହଲଗାମ ନରସଂହାରର ବଦଲା ନେବାକୁ ଭାରତ କରିଥିବା ଅପରେସନ ସିନ୍ଦୂରରେ ସେ ନିହତ ହୋଇଛି। ଏବେ ତା’ ନାଁରେ ଗୋଟିଏ କେନ୍ଦ୍ର, ରାସ୍ତା ଓ ହସ୍ପିଟାଲ ନିର୍ମାଣ କରାଯିବ ବୋଲି ସୈଫୁଲ୍ଲା କହିଛି।
ରାଲିରେ ଭାରତର ମୋଷ୍ଟୱାଣ୍ଟେଡ ଆତଙ୍କବାଦୀ ତାଲିକାର ୩୨ ନମ୍ବର ସ୍ଥାନରେ ଥିବା ତାଲହା ସୟିଦ ଅତ୍ୟନ୍ତ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦେଇଛି। ସୟିଦ ପାକିସ୍ତାନର ସାଧାରଣ ନିର୍ବାଚନରେ ଲାହୋରର ଏନ-୧୨୨ ଆସନରୁ ଲଢ଼ିଥିଲା। କିନ୍ତୁ ତାକୁ ପରାସ୍ତ ହେବାକୁ ପଡ଼ିଥିଲା। ତଥାପି ସେ ଏବେ ପିଏମଏମଏଲ ସହ ମିଶି ସାଧାରଣ ସଭା କରିବାରେ ଲାଗିଛି। ପିଏମଏମଏଲ ହେଉଛି ବ୍ୟାନ ହୋଇଥିବା ଲସ୍କରର ରାଜନୀତିକ ସଂଗଠନ।
ପିଏମଏମଏଲ ସବୁବେଳେ ଭାରତ ବିରୋଧୀ ଆଭିମୁଖ୍ୟ ପ୍ରଦର୍ଶିତ କରିଥାଏ। ନିକଟରେ ପାକିସ୍ତାନର ଲାହୋର, କରାଚି, ଇସଲାମାବାଦ, ଫୈସଲାବାଦ ଓ ଅନ୍ୟ ସହରଗୁଡ଼କରେ ପିଏମଏମଏଲ ପକ୍ଷରୁ ଭାରତ ବିରୋଧୀ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପାକିସ୍ତାନ ସହ ତିକ୍ତତା ଯୋଗୁ ଭାରତ ସରକାର ସିନ୍ଧୁ ଜଳ ଚୁକ୍ତି ଉପରେ ବ୍ୟାନ ଲଗାଇଛନ୍ତି। ଏହାକୁ ବିରୋଧ କରି ପିଏମଏମଏଲ ବିକ୍ଷୋଭ ପ୍ରଦର୍ଶନ କରି ଭାରତ ବିରୋଧରେ ନାରାବାଜୀ କରିଥିଲା।
ଲସ୍କରକୁ ଉଭୟ ଅନ୍ତର୍ଜାତୀୟ ସ୍ତରରେ ଓ ପାକିସ୍ତାନରେ ବ୍ୟାନ କରାଯାଇଛି। କିନ୍ତୁ ଲସ୍କର ପକ୍ଷରୁ ରାଜନୀତି ନାଁରେ ପିଏମଏମଏଲ ଗଠନ କରି ନିଜର ଏଜେଣ୍ଡାକୁ ପ୍ରଚାର ପ୍ରସାର କରାଯାଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Pakistan_1748505012.jpg)