ଇରାନରେ ହୋଇଥିବା ଆକ୍ରମଣ
Middle East War Updates: ଆମେରିକା ଓ ଇସ୍ରାଏଲ ସହ ଇରାନ ଲଢ଼େଇ କରୁଥିବା ବେଳେ ଆଜି ଭୂକମ୍ପ ଝଟକାରେ ଥରିଛି। ବୋମା ବର୍ଷଣ ଓ ମିସାଇଲ ଆଟାକର ସାମ୍ନା କରୁଥିବା ଇରାନର ଦକ୍ଷିଣ ପ୍ରାନ୍ତରେ ଥିବା ଗେରାଶ ରିଜନରେ ଭୂକମ୍ପ ଝଟକା ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୩ ରେକର୍ଡ କରାଯାଇଥିଲେ ହେଁ କ୍ଷୟକ୍ଷତିର ରିପୋର୍ଟ ଏଯାଏ ସାମ୍ନାକୁ ଆସିନାହିଁ। ତଥାପି ଲୋକମାନେ ଭୂକମ୍ପ ଝଟକା ପରେ ଆତଙ୍କିତ ହୋଇପଡ଼ିଛନ୍ତି।
ସେମାନେ ଝଟକା ପରେ ନିଜ ନିଜ ଘରୁ ବାହାରି ଆସି ବେଶ କିଛି ସମୟ ଖୋଲା ସ୍ଥାନରେ ରହିଥିଲେ। କିନ୍ତୁ ଇସ୍ରାଏଲ ଆଜି ବି ଇରାନର ବିଭିନ୍ନ ସ୍ଥାନରେ ଏୟାର ଷ୍ଟ୍ରାଇକ କରୁଥିବାରୁ ଲୋକଙ୍କୁ ଝଟକା ପରେ ତୁରନ୍ତ ସୁରକ୍ଷିତ ଆଶ୍ରୟ ସ୍ଥାନକୁ ଚାଲି ଯିବାକୁ କୁହାଯାଇଥିଲା। ଖୋଲା ସ୍ଥାନରେ ଆକ୍ରମଣ ଆଶଙ୍କା ଅଧିକ ଥିବାରୁ ପ୍ରଶାସନ ଏପରି ପଦକ୍ଷେପ ନେଇଛି। ହେଲେ ଭୂକମ୍ପରେ କ’ଣ କ୍ଷୟକ୍ଷତି ହୋଇଛି, ସେକଥା ପ୍ରଶାସନ ସ୍ପଷ୍ଟ କରିନି।
କିଛି ଲୋକ ଆକଳନ କରିଛନ୍ତି ଯେ ସମ୍ଭବତଃ ଯୁଦ୍ଧର ବିଭୀଷିକା ମଧ୍ୟରେ ଇରାନ ପରମାଣୁ ବୋମାର ପରୀକ୍ଷା କରିଛି। ଖାସ ଏହି କାରଣ ପାଇଁ ଗେରାଶ ରିଜନରେ ଲୋକମାନେ ଝଟକା ଅନୁଭବ କରିଛନ୍ତି। ହେଲେ ଏକଥା କୌଣସି ଅନ୍ତର୍ଜାତୀୟ ଗଣମାଧ୍ୟମ କିମ୍ବା ପରମାଣୁ ପ୍ରତିଷ୍ଠାନ ଉପରେ ନଜର ରଖିଥିବା ସଂସ୍ଥା ସ୍ପଷ୍ଟ କରିନାହିଁ।
ଇରାନ ସେନା କିମ୍ବା ପ୍ରଶାସନ ପକ୍ଷରୁ ମଧ୍ୟ ଏନେଇ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ। ଇରାନ ଦୀର୍ଘ ଦିନରୁ ନିଜର ପରମାଣୁ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ଉଦ୍ୟମ କରୁଥିବାରୁ ଆମେରିକା ଓ ଇସ୍ରାଏଲ ମିଳିତ ଭାବେ ଆକ୍ରମଣ କରିଛନ୍ତି। ଇରାନ କେବେ ହେଲେ ବି ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର ହୋଇପାରିବ ନାହିଁ ବୋଲି ଉଭୟ ଦେଶ ଘୋଷଣା କରିଛନ୍ତି।
ଖାସ ଏଥିପାଇଁ ଇରାନର ସୁପ୍ରିମ ଲିଡର ଆୟୋତୁଲ୍ଲା ଅଲୀ ଖାମେନେଇଙ୍କୁ ହତ୍ୟା ମଧ୍ୟ କରାଯାଇଛି। ଏହାକୁ ନେଇ ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ ସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏବେ ଇରାନରେ ଭୂକମ୍ପ ଝଟକା ସମସ୍ତଙ୍କୁ ଚିନ୍ତିତ କରିଛି। ସତରେ କ’ଣ ଇରାନ ଯୁଦ୍ଧ ଭିତରେ ପରମାଣୁ ବୋମାର ପରୀକ୍ଷା କରିଛି ବୋଲି ପ୍ରଶ୍ନ ମଧ୍ୟ ଉଠିଛି।
ଅନ୍ୟପକ୍ଷରେ ଇସ୍ରାଏଲ ଆଜି ଇରାନ ଉପରେ ନିଜର ଆକ୍ରମଣକୁ ଆହୁରି ତୀବ୍ର କରିଛି। ତେହରାନ ଠାରୁ ୮୦୦ କିମି ଦୂରରେ ଥିବା କେରମାନ ଏୟାର ବେସ ଉପରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ କରି ବ୍ୟାପକ କ୍ଷୟକ୍ଷତି କରିଛି।
ଏଥିରେ ୧୩ ଜଣ ଇରାନୀୟ ସୈନ୍ୟ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଥିବାର ଖବର ସାମ୍ନାକୁ ଆସିଛି। ଏଥିସହ ଏକାଧିକ ଇରାନ ହେଲିକପ୍ଟର ମଧ୍ୟ ଏୟାର ଷ୍ଟ୍ରାଇକରେ ନଷ୍ଟ ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/03/03/iran-2026-03-03-14-19-10.jpg)