/odisha-reporter/media/media_files/2026/01/08/yasin-2026-01-08-16-59-43.jpg)
ୟାସିନ ଓ ଦୀପୁ ଦାସ (ଫାଇଲ ଫଟୋ)
ବାଂଲାଦେଶ(Bangladesh)ରେ ଦୀପୁ ଦାସ ନାମକ ଜଣେ ହିନ୍ଦୁ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ଓ ମୃତଦେହକୁ ବିଚ ରାସ୍ତାରେ ଟାଙ୍ଗି ପୋଡ଼ିବା ଘଟଣାରେ ପୁଲିସ୍ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ଏହି ହିନ୍ଦୁ ଯୁବକ ଜଣଙ୍କ ଗୋଟିଏ କପଡ଼ା ଫ୍ୟାକ୍ଟ୍ରୀରେ କାମ କରୁଥିଲେ। କିନ୍ତୁ ଧର୍ମକୁ ଅପମାନିତ କରିବା ଅଭିଯୋଗରେ ତାଙ୍କୁ ସର୍ବସମ୍ମୁଖରେ ମାଡ଼ ମରାଯିବା ସହ ଗଛରେ ବନ୍ଧି ଜୀବନ୍ତ ପୋଡ଼ି ହତ୍ୟା କରାଯାଇଥିଲା।
ଏହାକୁ ନେଇ ବାଂଲାଦେଶ ଠାରୁ ଆରମ୍ଭ କରି ଭାରତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। କିନ୍ତୁ ଏବେ ବାଂଲାଦେଶ ପୁଲିସ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ୟାସିନ ଅରାଫତକୁ ଗିରଫ କରିଛି। ସେ ଜଣେ ପୂର୍ବତନ ଶିକ୍ଷକ। ୟାସିନ ହିଁ ଦୀପୁ ଦାସଙ୍କ ଉପରେ ଆକ୍ରମଣ କରିବା ପାଇଁ ଯୋଜନା କରିଥିଲା ଓ ଲୋକଙ୍କୁ ଉସକାଇ ଏହାକୁ କାର୍ଯ୍ୟକାରୀ କରିଥିଲା।
ଡିସେମ୍ବର ୧୮ରେ ମୟମେନସିଂହ ଜିଲ୍ଲାରେ ୨୭ ବର୍ଷୀୟ ଦୀପୁ ଦାସଙ୍କୁ ଧାର୍ମିକ ଅପବିତ୍ରକରଣ ଅଭିଯୋଗରେ ବଳପୂର୍ବକ ଚାକିରି ଛାଡ଼ିବାକୁ କୁହାଯାଇଥିଲା। ତାଙ୍କୁ ଧକ୍କା ମାରି କମ୍ପାନୀରୁ ବାହାର କରାଯିବା ସହ ବାହାରେ ଉପସ୍ଥିତ ଥିବା ମୁସଲିମ ମୌଳବାଦୀଙ୍କୁ ହସ୍ତାନ୍ତର କରାଯାଇଥିଲା। ସେ ଇସଲାମକୁ ଅପମାନ କରିଥିବା ଗୁଜବ ପ୍ରଚାର ହେବାରୁ ମୁସଲିମ ମୌଳବାଦୀମାନେ ତାଙ୍କୁ ପିଟିପିଟି ମାରି ଦେଇଥିଲେ। ଏହାପରେ ବିଚ ରାସ୍ତାରେ ମୃତଦେହକୁ ଟାଙ୍ଗି ଏଥିରେ ନିଆଁ ଲଗାଇ ଦେଇଥିଲେ। ତାଙ୍କ ସହ ପୂର୍ବରୁ କାମ କରୁଥିବା ସହକର୍ମୀମାନେ ଭିଡ଼ରେ ସାମିଲ ହୋଇ ଦୀପୁ ଦାସଙ୍କୁ ମାଡ଼ ମାରିଥିଲେ।
ପୁଲିସ୍ କହିଛି ଯେ ଦୀପୁ ଦାସଙ୍କ ହତ୍ୟା ପରେ ଅଭିଯୁକ୍ତ ୟାସିନ ଅରାଫତ ଫେରାର ହୋଇ ଯାଇଥିଲା। ସେ ଗୁପ୍ତ ସ୍ଥାନରେ ଲୁଚି ରହିଥିବାରୁ ପୁଲିସ୍ ତା’କୁ ଠାବ କରିବାରେ ବେଶ ସମସ୍ୟାର ସମ୍ମୁଖୀନ ହୋଇଥିଲା। ସେ ହିଁ ଆକ୍ରମଣକୁ ରୂପରେଖ ଦେଇଥିଲା ଓ ଅନ୍ୟମାନଙ୍କୁ ଦୀପୁ ଦାସଙ୍କ ବିରୋଧରେ ଉସକାଇଥିଲା।
ସ୍ଥାନୀୟ ଅଞ୍ଚଳରେ ୟାସିନର ବେଶ ଦବଦବା ରହିଛି। ତେଣୁ ସେ ବେଶ ସହଜରେ ଭିଡ଼ ସୃଷ୍ଟି କରିପାରିଥିଲା। ଭିଡ଼ ଯୋଗୁ ସ୍ଥିତି ତୁରନ୍ତ ବିଗିଡ଼ି ଯିବା ସହ ଭୟଙ୍କର ରୂପ ନେଇଥିଲା। ୟାସିନ କେବଳ ଲୋକଙ୍କୁ ଉସକାଇ ନଥିଲା, ବଂର ନିଜେ ହିଁ ଦୀପୁ ଦାସଙ୍କୁ ଘୋଷାଡ଼ି ଘୋଷାଡ଼ି ଚାରିଛକିଆ ରାସ୍ତାକୁ ନେଇଥିଲା। ସେଠାରେ ଥିବା ଗଛରେ ତାଙ୍କୁ ଝୁଲାଇ ଲୋକମାନେ ନିଆଁ ଲଗାଇ ଦେଇଥିଲେ।
ୟାସିନ ଅରାଫତ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ସେ ଫେରାର ହେବା ପୂର୍ବରୁ ଗୋଟିଏ ମସଜିଦରେ ଶିକ୍ଷାଦାନ କରୁଥିଲା। ଏବେ ଶିକ୍ଷକ ଭାବେ ତାଙ୍କ ଭୂମିକା ସନ୍ଦେହ ଘେରରେ ରହିଛି। ଅରାଫତକୁ ମିଶାଇ ଦୀପୁ ଦାସଙ୍କ ହତ୍ୟାକାଣ୍ଡ ଘଟଣାରେ ମୋଟ ଗିରଫଦାରୀଙ୍କ ସଂଖ୍ୟା ୨୧ରେ ପହଞ୍ଚିଛି। ଏହି ଘଟଣାରେ ଆଉ କେଉଁମାନେ ସବୁ ସାମିଲ ରହିଛନ୍ତି, ତା’ର ତଦନ୍ତ ଏବେ ବି ପୁଲିସ୍ ଜାରି ରଖିଛି।
ଦୀପୁ ଦାସଙ୍କ ହତ୍ୟା ପରେ ବାଂଲାଦେଶରେ ହିନ୍ଦୁ ବିରୋଧୀ ଅତ୍ୟାଚାର ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଆଉ ୫ ଜଣ ହିନ୍ଦୁ ଯୁବକଙ୍କୁ ବାଂଲାଦେଶରେ ହତ୍ୟା କରାଯାଇ ସାରିଲାଣି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
