ଲୌହ ଫୁସଫୁସରେ ୭୦ ବର୍ଷ ହେଲା ଥିବା ‘ପୋଲିଓ ପଲ୍‌’ଙ୍କ ଦେହାନ୍ତ

ମାତ୍ର ୬ ବର୍ଷ ବୟସରେ ପୋଲିଓ ଭୂତାଣୁରେ ପ୍ରଭାବିତ ହୋଇଥିବା ପଲଙ୍କୁ ୭୦ ବର୍ଷ କାଳ ୬୦୦ ପାଉଣ୍ଡ ମେଟାଲିକ ବକ୍ସ ମଧ୍ୟରେ ରହିବାକୁ ପଡ଼ିଥିଲା।

ପଲ ଆଲେକଜାଣ୍ଡର

  • Published: Wednesday, 13 March 2024
  • , Updated: 13 March 2024, 06:09 PM IST

ଦୀର୍ଘ ୭୦ ବର୍ଷ କାଳ ଗୋଟିଏ ବିରାଟ ଲୌହ ବକ୍ସ (ଲୌହ ଫୁସଫୁସ)ରେ ଥିବା ପଲ ଆଲେକଜାଣ୍ଡର ଆଉ ନାହାନ୍ତି। ୭୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି।

ମାତ୍ର ୬ ବର୍ଷ ବୟସରେ ପୋଲିଓ ଭୂତାଣୁରେ ପ୍ରଭାବିତ ହୋଇଥିବା ପଲଙ୍କୁ ୭୦ ବର୍ଷ କାଳ ୬୦୦ ପାଉଣ୍ଡ ମେଟାଲିକ ବକ୍ସ ମଧ୍ୟରେ ରହିବାକୁ ପଡ଼ିଥିଲା। ଏଥିପାଇଁ ସେ ‘ପୋଲିଓ ପଲ’ ଭାବେ ବେଶ ପରିଚିତ ଥିଲେ।

ପୋଲିଓରେ ଆକ୍ରାନ୍ତ ପଲ ୧୯୫୨ ମସିହା ଠାରୁ ପାରାଲିସିସ ଅବସ୍ଥାରେ ଥିଲେ। ତାଙ୍କ ବେକ ତଳକୁ ଶରୀରର କୌଣସି ଅଙ୍ଗ କାମ କରୁ ନଥିଲା। ପାରାଲିସିସ୍‌ ଯୋଗୁ ସେ ନିଃଶ୍ୱାସ ପ୍ରଶ୍ୱାସ ନେଇ ପାରୁ ନଥିଲେ। ସମସ୍ୟା ଯୋଗୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେ ଆଖି ଖୋଲିବା ବେଳକୁ ନିଜର ମେକାନିକାଲ ଫୁସଫୁସ ମଧ୍ୟରେ ପାଇଥିଲେ।

ମାର୍ଚ୍ଚ ୧୨ ତାରିଖରେ ପଲ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଥିବା ଗୋଫଣ୍ଡମି ପେଜ୍‌ ପକ୍ଷରୁ ସୂଚନା ଦିଆଯାଇଛି। ପିଲା ବେଳେ ପୋଲିଓରେ ଆକ୍ରାନ୍ତ ହୋଇଥିବା ପଲ ଦୀର୍ଘ ୭୦ ବର୍ଷ କାଳ ଲୌହ ଫୁସଫୁସ ମଧ୍ୟରେ ଜୀବନ କାଟିଥିଲେ।

ଏହି ସମୟସୀମା ମଧ୍ୟରେ ପଲ କଲେଜ ଯିବା ସହ ଜଣେ ଆଇନଜୀବୀ ଓ ଲେଖକ ହୋଇପାରିଥିଲେ। ସେ ବିଶ୍ୱର ବିଭିନ୍ନ ଲୋକଙ୍କ ଚିନ୍ତାଧାରାକୁ ସକାରାତ୍ମକ ଦିଗରେ ବଦଳାଇବାକୁ ସକ୍ଷମ ହୋଇଥିଲେ। ପଲ ଜଣେ ଅଦ୍ଭୂତ ରୋଲ ମଡେଲ ଥିଲେ ଯାହାଙ୍କୁ ପୂରା ବିଶ୍ୱ ସବୁବେଳେ ମନେ ରଖିବ ବୋଲି ପେଜ ପକ୍ଷରୁ କୁହାଯାଇଛି।

ପଲଙ୍କ ଭାଇ ଫିଲିପ୍‌ କହିଛନ୍ତି, “ମୋ ଭାଇଙ୍କୁ ଆର୍ଥିକ ସ୍ତରରେ ସହଯୋଗ କରିଥିବା ପ୍ରତିଟି ଲୋକଙ୍କ ପାଖରେ ମୁଁ କୃତଜ୍ଞ। ଏହି ସହାୟତା ଯୋଗୁ ସେ କିଛି ବର୍ଷ ଚିନ୍ତାମୁକ୍ତ ହୋଇ ରହିବାକୁ ସକ୍ଷମ ହୋଇଥିଲେ।”

୧୯୪୬ରେ ଜନ୍ମ ହୋଇଥିବା ପଲ ଆରମ୍ଭରୁ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲେ। ଆମେରିକା ଇତିହାସରେ ସବୁଠାରୁ ବଡ଼ ପୋଲିଓ ବିପର୍ଯ୍ୟୟ ଦ୍ୱାରା ସେ ପ୍ରଭାବିତ ହୋଇଥିଲେ। ସେତେବେଳେ ୫୮ ହଜାର ମାମଲା ସାମ୍ନାକୁ ଆସିଥିଲା।

ପୋଲିଓ ଏତେ ମାତ୍ରାରେ ପଲଙ୍କୁ ପ୍ରଭାବିତ କରିଥିଲା ଯେ ନିଃଶ୍ୱାସପ୍ରଶ୍ୱାସ ପାଇଁ ତାଙ୍କୁ ମେସିନର ଆବଶ୍ୟକତା ପଡ଼ିଥିଲା। ପୋଲିଓ ଭାଇରସ ଦ୍ୱାରା ପ୍ରଭାବିତ ହେଉଥିବା ପିଲାମାନଙ୍କୁ ଏହା ପଙ୍ଗୁ କରିଦେଇଥାଏ। ଏହି ଭାଇରସ ଜଣଙ୍କ ପାଖରୁ ଆଉ ଜଣଙ୍କ ପାଖକୁ ଯିବାର କ୍ଷମତା ରଖିଥିଲା।

ସେହିପରି ଜଣେ ବ୍ୟକ୍ତିଙ୍କର ସ୍ପାଇନ କର୍ଡକୁ ମଧ୍ୟ ଏହା ସଂକ୍ରମିତ କରିଥାଏ। ପୋଲିଓ ଯୋଗୁ ପଲ ଏତେ ଦୁର୍ବଳ ହୋଇଯାଇଥିଲେ ଯେ ସେ ନିଜେ ନିଜେ ନିଃଶ୍ୱାସ ନେବାକୁ ସକ୍ଷମ ହୋଇ ନଥିଲେ। ଏଥିଯୋଗୁ ତାଙ୍କର ଜରୁରିକାଳୀନ ଚିକିତ୍ସା କରାଯାଇଥିଲା। ତାଙ୍କ ଶରୀର ଯେମିତି ସଂକ୍ରମିତ ନ ହେବ, ସେଥିପାଇଁ ପଲଙ୍କୁ ଲୌହ ଫୁସଫୁସରେ ରଖାଯାଇଥିଲା।

୮ ବର୍ଷ ବୟସରୁ ସେ ବେକ ଠାରୁ ଗୋଡ଼ ଯାଏ ଲମ୍ବି ଥିବା ଗୋଟିଏ ଲୌହ ଫୁସଫୁସରେ ରହୁଥିଲେ। ଏହି ମେସିନ ଜଣେ ବ୍ୟକ୍ତିଙ୍କ ଶରୀରକୁ ଅମ୍ଳଜାନ ନେବାରେ ସହାୟତା କରିଥାଏ। ପାଟି ପଟେ ସାଧାଣତଃ ଅମ୍ଳାଜନ ଯାଇଥାଏ ଓ ଅଙ୍ଗାରକାମ୍ଳ ନିଷ୍କାସିତ ହୋଇଥାଏ। 

Related story