Advertisment

Mass Shooting: ସିଡ୍‌ନୀରେ ସମୁଦ୍ର କୂଳରେ ଗୁଳିମାଡ଼; ୧୦ ମୃତ, ୧୫ ଆହତ

ପୁଲିସ୍‌ ପାଲଟା ଗୁଳିମାଡ଼ରେ ଦୁଇ ବନ୍ଧୁକଧାରୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ବୋଲି ସ୍ଥାନୀୟ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

Sydeny
Advertisment

ଅଷ୍ଟ୍ରେଲିଆର ସିଡ୍‌ନୀର ଲୋକପ୍ରିୟ ବୋଣ୍ଡି ବିଚ୍‌ରେ ରବିବାର ଦୁଇ ଜଣ ବନ୍ଧୁକଧାରୀଙ୍କ ଗୁଳିମାଡ଼ରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୫ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ କିଛି ଶିଶୁ ଥିବା ବେଳେ ଆହତଙ୍କ ମଧ୍ୟରେ ଦୁଇ ଜଣ ପୁଲିସ ଅଧିକାରୀ ଅଛନ୍ତି।

Advertisment

ପୁଲିସ୍‌ ପାଲଟା ଗୁଳିମାଡ଼ରେ ଦୁଇ ବନ୍ଧୁକଧାରୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ବୋଲି ସ୍ଥାନୀୟ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏଭଳି ଘଟଣା ଘଟିବାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନଥିବା ବେଳେ ନ୍ୟୁ ସାଉଥ୍ ୱେଲ୍‌ସ ପୁଲିସ କମିଶନର ମାଲ ଲାନୟୋନ ଏହି ଗୁଳିମାଡ଼ ଘଟଣାକୁ ‘ଆତଙ୍କବାଦୀ କାର୍ଯ୍ୟକଳାପ’ ବୋଲି ଘୋଷଣା କରିଛନ୍ତି। ଏହା ସହିତ ଏହି ଘଟଣାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନରେ ପୂରା କଡ଼ା ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। 

ଆଠ ଦିନ ଧରି ଚାଲିବାକୁ ଥିବା ଇହୁଦୀମାନଙ୍କର ହନୁକ୍କା (ଚାନୁକ୍କା) ପର୍ବ ଆଜିଠାରୁ ଆରମ୍ଭ ହୋଇଥିବା ବେଳେ ବୋଣ୍ଡି ବିଚ୍‌ରେ ଘଟିଛି ଏହି ଅଘଟଣ। ହନୁକ୍କା ପର୍ବର ପ୍ରଥମ ଦିନରେ ବୋଣ୍ଡି ବିଚ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ ଶହ ଶହ ଇହୁଦୀ ଲୋକ ଉପସ୍ଥିତ ହୋଇଥିବା ବେଳେ ଭାରତୀୟ ସମୟ ଦିନ ପ୍ରାୟ ୨ଟା ବେଳେ ସେମାନଙ୍କୁ ଲକ୍ଷ୍ୟ କରି ଗୁଳି କରିଥିଲେ ଦୁଇ ବନ୍ଧୁକ ଧାରୀ।

Advertisment

ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ବନ୍ଧୁକଧାରୀମାନେ ଶିଶୁ ଓ ବୟସ୍କ ଲୋକମାନଙ୍କୁ ଲକ୍ଷ୍ୟ କରି ଗୁଳି କରିଥିଲେ। ପ୍ରାୟ ୫୦ ରାଉଣ୍ଡ ଗୁଳି କରାଯାଇଥିବା ଜଣାପଡ଼ିଛି। ଗୁଳିମାଡ଼ ବେଳେ ଲୋକେ ଭୟରେ ଏଣେତେଣେ ଦୌଡ଼ି ପଳାଉଥିବାର ତଥା ତଳେ ଶୋଇପଡ଼ୁଥିବାର ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓଗୁଡ଼ିକରୁ ଜଣାପଡ଼ିଛି ଯେ ଦୁଇ ବନ୍ଧୁକଧାରୀ କଳା ପୋଷାକ ପିନ୍ଧିଥିଲେ ଓ ଲୋକଙ୍କ ଆଡ଼କୁ ଲକ୍ଷ୍ୟ କରି ଗୁଳି କରିଥିଲେ। ଏହି ଘଟଣା ପରେ ପୁଲିସ୍ ବୋଣ୍ଡି ବିଚ୍‌କୁ ନଯିବାକୁ ଲୋକଙ୍କୁ ଅପିଲ କରିଛି।

ଏହି ଘଟଣା ଆଶ୍ଚର୍ଯ୍ୟଜନକ ଓ ଚିନ୍ତାଜନକ ବୋଲି କହିଛନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବନିଜ। ଏହା ସହିତ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସେହିଭଳି ଅଷ୍ଟ୍ରେଲିଆର ବିରୋଧୀ ଦଳ ନେତା ସୁଜନ ଲୀ ଏହି ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସମୁଦ୍ର କୂଳରେ ହନୁକ୍କା (ଚାନୁକ୍କା) ପର୍ବ ପାଳନ କରିବାକୁ ଇହୁଦୀ ସଂପ୍ରଦାୟର ଲୋକେ ଏକାଠି ହୋଇଥିବା ବେଳେ ଏହି ଆକ୍ରମଣ ହୋଇଛି। ଏଭଳି ଏକ ସମୟରେ ଆମେ ସମସ୍ତ ଅଷ୍ଟ୍ରେଲୀୟ ସେମାନଙ୍କ ସହିତ ଅଛୁ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବନିଜଙ୍କୁ ସମାଲୋଚନା କରିଛି ଅଷ୍ଟ୍ରେଲିଆର ଇହୁଦୀ ସଂଗଠନ। ଅଷ୍ଟ୍ରେଲିଆର ଇହୁଦୀମାନେ ଏବେ ସେମାନଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ହୋଇପଡ଼ିଛନ୍ତି ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ଇହୁଦୀ ସଂପ୍ରଦାୟକୁ ସୁରକ୍ଷା ଦେବାରେ ସରକାର ବିଫଳ ହୋଇଛି ବୋଲି ସଂଗଠନ ଅଭିଯୋଗ କରିଛି। ଏହା ସହିତ ପ୍ରଧାନମନ୍ତ୍ରୀ ତାଙ୍କ ସୋଶାଲ ମିଡିଆ ପୋଷ୍ଟରେ ଏହି ଘଟଣା ସଂପର୍କରେ ଲେଖିବା ବେଳେ ଇହୁଦୀମାନଙ୍କ କାର୍ଯ୍ୟକ୍ରମ ଚାଲିଥିଲା ବୋଲି ଉଲ୍ଲେଖ କରି ନଥିବାରୁ କ୍ଷୁବ୍ଧ ହୋଇଛି ସଂଗଠନ। ଏହା ଲଜ୍ଜାଜନକ କଥା ବୋଲି ସଂଗଠନ କହିଛି। ତେବେ ପରବର୍ତ୍ତୀ ସମୟରେ ଆଜି କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅଷ୍ଟ୍ରେଲୀୟ ଇହୁଦୀମାନଙ୍କ ଉପରେ ଆକ୍ରମଣ ସମସ୍ତ ଅଷ୍ଟ୍ରେଲୀୟଙ୍କ ଉପରେ ଆକ୍ରମଣ ସଦୃଶ। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe