Advertisment

ସୋମାଲିଆ ହୋଟେଲରେ ଆତଙ୍କୀ ହାମଲା; ଭୟଙ୍କର ବ୍ଲାଷ୍ଟକୁ ହେଲା ଆଖିବୁଜା ଗୁଳି ଚାଳନା

ବିସ୍ଫୋରଣ ଏତେ ଜୋର ହୋଇଥିଲା ଯେ, ଏଥିରେ ହୋଟେଲର କାନ୍ଥ ଭାଙ୍ଗି ଯାଇଥିବା ବେଳେ ତାହା ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ଏଥିସହ ଆତଙ୍କବାଦୀମାନେ ହୋଟେଲ ଭିତରେ ପଶି ଆଖିବୁଜା ଗୁଳିଚାଳନା ବି କରିଛନ୍ତି।

author-image
Niharika Rout
SYL Hotel

SYL Hotel

ଆଫ୍ରିକୀୟ ଦେଶ ସୋମାଲିଆରେ ହୋଇଛି ଆତଙ୍କୀ ହାମଲା । ସୋମାଲିଆର ଏକ ହୋଟେଲରେ ଆତଙ୍କବାଦୀମାନେ ଘଟାଇଛନ୍ତି ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣ ଏତେ ଜୋର ହୋଇଥିଲା ଯେ, ଏଥିରେ ହୋଟେଲର କାନ୍ଥ ଭାଙ୍ଗି ଯାଇଥିବା ବେଳେ ତାହା ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ଏଥିସହ ଆତଙ୍କବାଦୀମାନେ ହୋଟେଲ ଭିତରେ ପଶି ଆଖିବୁଜା ଗୁଳିଚାଳନା ବି କରିଛନ୍ତି।

Advertisment

‘ଅଲ ସବାବ’ ନାମକ ଆତଙ୍କୀ ସଙ୍ଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ତେବେ ଏଥିରେ ମୃତାହତଙ୍କ ସଂଖ୍ୟା ଜଣାପଡ଼ିନି।

‘ଅଲ ସବାବ’ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି, ରାଷ୍ଟ୍ରପତି ଆବାସ ନିକଟବର୍ତ୍ତୀ ଅଞ୍ଚଳରେ କଡ଼ା ସୁରକ୍ଷା ବଳୟରେ ଥିବା Syl ହୋଟେଲ ଉପରେ ଆମେ ଆକ୍ରମଣ କରିଛୁ। ବହୁ ହାଇ ପ୍ରୋଫାଇଲ ସରକାରୀ ଅଧିକାରୀଙ୍କର ଏହା ପ୍ରିୟ ହୋଟେଲ ।

Advertisment

ବନ୍ଧୁକଧାରୀ ଆତଙ୍କବାଦୀମାନେ ପ୍ରଥମେ ହୋଟେଲ ଭିତରେ ପ୍ରବେଶ କରିଥିବା ବେଳେ ସେଠାରେ କାର୍ଯ୍ୟରତ କର୍ମଚାରୀ ଓ ଅଧିକାରୀଙ୍କୁ ଟାର୍ଗେଟ କରି ଗୁଳି ଚଳାଇଥିବା ଜଣାଯାଇଛି।

ଉକ୍ତ ହୋଟେଲ ନିକଟରେ ରହୁଥିବା ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଆମେ ପ୍ରଥମେ ଏକ ପ୍ରଚଣ୍ଡ ବିସ୍ଫୋରଣର ଶବ୍ଦ ଶୁଣିବାକୁ ପାଇଲୁ। ଏହାପରେ ଆଖିବୁଜା ଗୁଳିଚାଳନା ଓ ପାଲଟା ଗୁଳି ଚାଳନାର ଶବ୍ଦ ବି ଶୁଣିବାକୁ ପାଇଲୁ। ତେଣୁ ଆତଙ୍କବାଦୀମାନଙ୍କୁ ହୋଟେଲର ସୁରକ୍ଷା କର୍ମୀଙ୍କ ସହ ମୁହାଁମୁହିଁ ହୋଇଥିବା ଅନୁମାନ କରୁଛୁ।

ଖବର ପାଇ ଘଟଣାସ୍ଥଳରେ ପୁଲିସ୍‌ କର୍ମୀ ଓ ଅଧିକାରୀ ପହଞ୍ଚିବା ପରେ ସେମାନେ ଆତଙ୍କବାଦୀଙ୍କୁ ଟାର୍ଗେଟ କରି ଗୁଳି ଚାଳନା କରୁଥିବା ଜଣାଯାଇଛି।

ସୋମାଲିଆର ସଂଘୀୟ ସରକାରକୁ ବିରୋଧ କରି ଅଲ-ଶବାବ ସଙ୍ଗଠନ ସବୁବେଳେ ଦେଶର ହୋଟେଲ ତଥା ବିଭିନ୍ନ ସ୍ଥାନରେ ଆତଙ୍କୀ ହାମଲା କରିଥାଏ।

ଆତଙ୍କୀ ହାମଲା ତଥା ସାମୁଦ୍ରିକ ଲୁଟେରାଙ୍କ ପାଇଁ ବିଶ୍ୱରେ ବଦନାମ ହୋଇଛି ସୋମାଲିଆ । ଏହି ଦେଶର ଜଳ ସୀମା ଅତିକ୍ରମ କରି ଅନ୍ୟଦେଶର ଜାହଜ ଯାଉଥିବା ବେଳେ ସୋମାଲିଆର ସାମୁଦ୍ରିକ ଲୁଟେରା ସେମାନଙ୍କୁ କିଡନାପ୍‌ କରିଥାନ୍ତି। ଏହାପରେ ମୁକୁଳାଇବା ନିମନ୍ତେ ସେମାନଙ୍କ ଦେଶ ନିକଟରୁ ମୋଟା ଅଙ୍କର ଅର୍ଥ ଦାବି କରିଥାନ୍ତି। ମାତ୍ର ଏହା ଧୀରେ ଧୀରେ ଏବେ କମିବାରେ ଲାଗିଲାଣି।

Bomb Blast Somalia