/odisha-reporter/media/media_files/2025/09/29/pok-2025-09-29-14-27-20.jpg)
ବିଶାଳ ବିକ୍ଷୋଭ
ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ଦେଖିବାକୁ ମିଳିଛି ବିଶାଳ ବିକ୍ଷୋଭ। ସୋମବାର ଅୱାମୀ ଆକ୍ସନ କମିଟି(ଏସିସି) ପକ୍ଷରୁ ପୂରା ପିଓକେରେ ଆୟୋଜନ କରାଯାଇଛି ବିକ୍ଷୋଭ ଶୋଭାଯାତ୍ରା। ହଜାର ହଜାର ଲୋକ ରାଜ ରାସ୍ତାକୁ ଓହ୍ଲାଇ ପାକିସ୍ତାନର ଶେହବାଜ ଶରିଫ ସରକାର ବିରୋଧରେ ଦେଇଛନ୍ତି ରଣହୁଙ୍କାର।
ବିକ୍ଷୋଭକାରୀଙ୍କ ପକ୍ଷରୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ ଡାକରା ଦିଆଯାଇଛି। ବିକ୍ଷୋଭକୁ ଭଣ୍ଡୁର କରିବା ପାଇଁ ପାକିସ୍ତାନ(Pakistan) ସରକାର ବିପୁଳ ସଂଖ୍ୟାରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରିଛନ୍ତି। ସେହିପରି ମଧ୍ୟରାତ୍ରରୁ ଇଣ୍ଟରନେଟ ସେବାକୁ ବନ୍ଦ କରି ଦେଇଛନ୍ତି। ତଥାପି ହଜାର ହଜାର ଲୋକ ଏକାଠି ହୋଇ ରାଜରାସ୍ତାକୁ ଜାମ କରିବାକୁ ସକ୍ଷମ ହୋଇଛନ୍ତି।
ସାମାଜିକ ସଂଗଠନ ଏସିସି ବେଶ କିଛି ମାସ ହେଲା ପିଓକେ(POK)ରେ ସକ୍ରିୟ ହୋଇଛି। ସଂଗଠନର ବ୍ୟାନରରେ ହଜାର ହଜାର ଲୋକ ଏକାଠି ହୋଇଛନ୍ତି। ଦୀର୍ଘ ଦଶନ୍ଧି ଧରି ପିଓକେ ଲୋକଙ୍କ ସହ କରାଯାଉଥିବା ରାଜନୀତିକ ପାତରଅନ୍ତର ଓ ଅର୍ଥନୀତିକ ଅବହେଳା ବିରୋଧରେ ଏହି ସଂଗଠନ ଲଢ଼େଇ କରିବାକୁ ଅଣ୍ଠା ଭିଡ଼ିଛି।
ସଂଗଠନ ପକ୍ଷରୁ ସାଂଗଠନିକ ସଂସ୍କାର ସମେତ ପାକିସ୍ତାନରେ ରହୁଥିବା କଶ୍ମୀର ଶରଣାର୍ଥୀଙ୍କ ପାଇଁ ପିଓକେ ବିଧାନସଭାରେ ୧୨ଟି ଆସନ ସଂରକ୍ଷଣ, ଅଟାରେ ସବସିଡ, ମଙ୍ଗଲା ହାଇଡ୍ରୋପାୱାର ପ୍ରକଳ୍ପରେ ଆବଶ୍ୟକ ଟାରିଫ ସୁବଧା ଭଳି ୩୮ଟି ଦାବି ଉପସ୍ଥାପନ କରାଯାଇଛି।
ଏସିସି ନେତା ସୌକତ ନୱାଜ ମୀର ମୁଜାଫରବାଦରେ ଆୟୋଜିତ ବିକ୍ଷୋଭ ସମାବେଶରେ କହିଛନ୍ତି, “ଦୀର୍ଘ ୭୦ ବର୍ଷ ହେଲା ଆମ ଲୋକଙ୍କୁ ମୌଳିକ ଅଧିକାରରୁ ବଞ୍ଚିତ କରାଯାଇଛି। ଆମ ବିକ୍ଷୋଭ କୌଣସି ପ୍ରତିଷ୍ଠାନ ବିରୋଧରେ ନୁହେଁ, ବରଂ ଆମେ ଆମର ଅଧିକାର ଓ ହକ ପାଇଁ ଲଢ଼େଇ କରୁଛୁ। ବହୁତ ହୋଇଗଲା। ଏବେ କାର୍ଯ୍ୟ କରିବାର ସମୟ ଆସି ଯାଇଛି। ଶରିଫ ସରକାର ଉପଯୁକ୍ତ ପଦକ୍ଷେପ ନିଅନ୍ତୁ, ନଚେତ ଲୋକଙ୍କ ଆକ୍ରୋଶର ସାମ୍ନା କରିବାକୁ ପ୍ରସ୍ତୁତ ରୁହନ୍ତୁ।”
ସରକାରଙ୍କ ବଳ ପ୍ରୟୋଗ ଓ ଆଲୋଚନା ବିଫଳ
ବିରୋଧକୁ ଦମନ କରିବାକୁ ସରକାର ବଳ ପ୍ରୟୋଗ କରିଛନ୍ତି। କିଛି ଦିନ ହେବ ବିପୁଳ ସଂଖ୍ୟାରେ ସୁରକ୍ଷାକର୍ମୀ ପିଓକେର ବିଭିନ୍ନ ସ୍ଥାନରେ ଫ୍ଲାଗମାର୍ଚ୍ଚ କରିଛନ୍ତି। ବିକ୍ଷୋଭ ପାଇଁ ଅଣ୍ଟା ଭିଡ଼ୁଥିବା ଲୋକଙ୍କୁ ବଳପୂର୍ବକୁ ଉଠାଇ ନେଇ ଯାଉଛନ୍ତି। ହଜାର ହଜାର ସୁରକ୍ଷାକର୍ମୀଙ୍କୁ ପଞ୍ଜାବରୁ ପିଓକେକୁ ପଠାଯାଇଛି।
ଶନିବାର ଓ ରବିବାର ପୁଲିସ ବିଭିନ୍ନ ସହରର ପ୍ରବେଶ ଓ ପ୍ରସ୍ଥାନ ପଥକୁ ସିଲ କରିଥିଲା। ସେହିପରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ପାକିସ୍ତାନ ସରକାର ସ୍ଥାନୀୟ ସୁରକ୍ଷାକର୍ମୀଙ୍କୁ ସହାୟତା କରିବା ପାଇଁ ଇସଲାମାବାଦରୁ ଆଉ ୧ ହଜାର ପୁଲିସ୍ କର୍ମଚାରୀଙ୍କୁ ପିଓକେ ପଠାଇଛନ୍ତି। ଶାନ୍ତି ପ୍ରତିଷ୍ଠା ପାଇଁ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ବୋଲି ମଧ୍ୟ ପ୍ରଶାସନ ଯୁକ୍ତି ରଖିଛି।
ଜିଲ୍ଲା ମାଜିଷ୍ଟ୍ରେଟ ମୁଦାସେର ଫାରୁକ କହିଛନ୍ତି, “ଶାନ୍ତି ପ୍ରତିଷ୍ଠା ସାଧାରଣ ଲୋକ ଓ ପ୍ରଶାସନର ମିଳିତ ଦାୟିତ୍ୱ। ବିଶୃଙ୍ଖଳା ଆଚରଣକୁ କୌଣସି ମତେ ଗ୍ରହଣ କରାଯିବ ନାହିଁ।”
ଆଜିର ବିଶାଳ ବିକ୍ଷୋଭ ପୂର୍ବରୁ ଏସିସି ପ୍ରତିନିଧି ଓ ସରକାରଙ୍କ ମଧ୍ୟରେ ମାରାଥନ ବୈଠକ ହୋଇଥିଲା। ତେବେ ୧୩ ଘଣ୍ଟାର ଆଲୋଚନା ବିଫଳ ହୋଇଛି। ବିଧାନସଭା ଆସନ ଓ ଅନ୍ୟ କିଛି ଦାବିକୁ ପ୍ରଶାସନ ଗ୍ରହଣ ନ କରିବାରୁ ଆଲୋଚନାରୁ କୌଣସି ନିଷ୍କର୍ସ ବାହାରି ପାରିନାହିଁ। ଆଲୋଚନା ବିଫଳ ହୋଇଥିବା ମଧ୍ୟ ପ୍ରଶାସନ ପକ୍ଷରୁ କୁହାଯାଇଛି।
ଆଲୋଚନା ବିଫଳ ହେବାରୁ ଆଜି ହଜାର ହଜାର ଲୋକ ରାଜରାସ୍ତାକୁ ଓହ୍ଲାଇଛନ୍ତି। ମୁଜାଫରବାଦର ବ୍ୟବସାୟୀ ମହାସଂଘ ପକ୍ଷରୁ ଦୋକାନ ବଜାର ବନ୍ଦ ରଖାଯାଇଛି। ଗାଡ଼ି ଚଳାଚଳ ଠପ ହୋଇଥିବା ବେଳେ ସୁରକ୍ଷାକର୍ମୀଙ୍କ ବିଭିନ୍ନ ସ୍ଥାନରେ ପ୍ୟାଟ୍ରୋଲିଂ କରୁଛନ୍ତି। ତଥାପି ପିଓକେର ଲୋକମାନେ ବିଭିନ୍ନ ସ୍ଥାନରେ ଏକାଠି ହୋଇ ଥିବା ବେଳେ ସ୍ୱାଧୀନତାର ନାରା ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
