ଭର୍ଚୁଆଲ ଗଣଦୁଷ୍କର୍ମୀ ଶିକାର ହେଲେ ନାବାଳିକା। ଅନ୍ଲାଇନ୍ ଗେମ୍ ମେଟାଭର୍ସ ଭର୍ଚୁଆଲ ରିଆଲିଟି ଗେମ୍ରେ ଜଣେ ୧୬ ବର୍ଷୀୟ ନାବାଳିକା ଭର୍ଚୁଆଲ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ଆସିଛି। ଏନେଇ ଖୋଦ୍ ନାବଳିକା ଥାନାରେ ମାମଲା ରୁଜୁ କରିଛନ୍ତି। ଅଭିଯୋଗ ପାଇବା ପରେ ବ୍ରିଟିଶ ପୁଲିସ ତଦନ୍ତ ଆରମ୍ଭ କରିଛି।
ରିପୋର୍ଟ ମୁତାବକ, ନାବାଳିକା ଜଣକ 'ମେଟାଭର୍ସ'ରେ ନିଜ ଡିଜିଟାଲ ଅବତାରରେ ଅନ୍ଲାଇନ୍ ଗେମ୍ ଖେଳୁଥିଲେ। ଇମର୍ସିଭ୍ ଗେମ୍’ରେ ଝିଅଟି ଗୋଟାଏ ‘ଭର୍ଚ୍ୟୁଆଲ୍ ରିଆଲିଟି ହେଡ୍ସେଟ୍’ ପିନ୍ଧିଥିବା ବେଳେ ଦଳେ ବ୍ୟକ୍ତି ତାଙ୍କ ସହିତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିବା କଥା ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି। ଝିଅଟିର ଭର୍ଚୁଆଲ ଅବତାର ସହ ଗୁଣଦୁଷ୍କର୍ମ କରାଯାଇଛି। ଶାରୀରିକ ଆଘାତ ପାଇ ନ ଥିଲେ ମଧ୍ୟ ବାସ୍ତବ ଦୁଷ୍କର୍ମ ଯୋଗୁଁ ଯେଉଁଭଳି ଆବେଗିକ ଓ ମାନସିକ ବ୍ୟଥା ହୁଏ ଝିଅଟି ସେଭଳି ବ୍ୟଥା ପାଇଥିବା ତଦନ୍ତକାରୀ ଅଧିକାରୀମାନେ କହିଛନ୍ତି।
ସେପଟେ ଦୁଷ୍କର୍ମର ଶିକାର ହେଲା ବେଳେ ଝିଅଟି କି ଖେଳ ଖେଳୁଥିଲା ତାହା ଜଣାପଡ଼ିନାହିଁ। ପୂର୍ବରୁ ମଧ୍ୟ ମେଟାଭର୍ସ ନାଁରେ ଏଭଳି ଅନେକ ମାମଲା ଆସିସାରିଛି କିନ୍ତୁ ଗଣଦୁଷ୍କର୍ମ ମାମଲା ପ୍ରଥମ। ଅନ୍ୟପଟେ ଏହି ମାମଲାର ତଦନ୍ତକୁ ନେଇ ଅନେକ ଲୋକେ ପ୍ରଶ୍ନ ଉଠାଇଛନ୍ତି। ଇଂଲଣ୍ଡର ଗୃହ ସଚିବ ଜେମ୍ସ୍ କ୍ଲେଭର୍ଲି ଏହି ଘଟଣାର ତଦନ୍ତ ସପକ୍ଷରେ ମତ ଦେଇଛନ୍ତି। ପୀଡିତା ଗଣଦୁଷ୍କର୍ମ ହେତୁ ଭୋଗିଥିବା ମାନସିକ ନିର୍ଯାତନା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।
ଏ ସଂକ୍ରାନ୍ତରେ ‘ମେଟା’ର ଜଣେ ମୁଖପାତ୍ର କହିଛନ୍ତି, ଯେଉଁ ଘଟଣା ଅବତାରଣା କରାଯାଇଛି ଆମ ପ୍ଲାଟ୍ଫର୍ମରେ ତାହା ନାହିଁ। ଆମର ସମସ୍ତ ୟୁଜର୍ସଙ୍କୁ ଅଟୋମେଟିକ ପ୍ରୋଟେକ୍ସନ ଦିଆଯାଇଛି। ଏହାକୁ ‘ପର୍ସନାଲ୍ ବାଉଣ୍ଡରି’ କୁହାଯାଏ। ଏହି କାରଣରୁ ଅଜ୍ଞାତ ବ୍ୟକ୍ତି ଉପଭୋକ୍ତା ଠାରୁ ଏକ ନିର୍ଦ୍ଦିଷ୍ଟ ଦୂରତାରେ ରୁହନ୍ତି।