ସାରା ବିଶ୍ୱକୁ ଘାରିଲା ମଙ୍କିପକ୍ସ ବା M-ପକ୍ସ ଚିନ୍ତା। ୧୧୬ଟି ଦେଶରେ ଗ୍ରେଡ୍-ଥ୍ରୀ ସଂକ୍ରମଣ ବ୍ୟାପିବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ପକ୍ଷରୁ ଏହାକୁ ପବ୍ଲିକ୍ ହେଲ୍ଥ ଏମର୍ଜେନ୍ସି ଅଫ୍ ଗ୍ଲୋବାଲ୍ କନସର୍ନ ବା ବୈଶ୍ୱିକ ଜନସ୍ୱାସ୍ଥ୍ୟ ଜରୁରୀ ସ୍ଥିତି ଘୋଷଣା କରାଯାଇଛି।
କଙ୍ଗୋ, କେନିଆ, ଉଗାଣ୍ଡା ଓ ରୁଆଣ୍ଡା ସମେତ କିଛି ଆଫ୍ରିକୀୟ ଦେଶରେ ଏହା ମାରାତ୍ମକ ରୂପ ନେବାରେ ଲାଗିଛି। ଚଳିତ ବର୍ଷ ଜୁଲାଇ ସୁଦ୍ଧା ସେଠାରେ ୧୭ ହଜାରରୁ ଅଧିକ ମଙ୍କିପକ୍ସ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିବା ବେଳେ ମୃତ୍ୟୁ ସଂଖ୍ୟା ୫ଶହ ଟପିଛି।
ମଙ୍କିପକ୍ସ ଭୂତାଣୁର ୨ଟି ଷ୍ଟ୍ରେନ୍ କ୍ଲେଡ୍-ଆଇ ଏବଂ କ୍ଲେଡ୍-ଆଇବି ଅଧିକ ଚିନ୍ତା ସୃଷ୍ଟି କରିଛି। ୧୯୫୮ରେ ଡେନମାର୍କରେ ପ୍ରଥମେ ମାଙ୍କଡ଼ ଠାରେ ଚିହ୍ନଟ ମଙ୍କିପକ୍ସ ଭୂତାଣୁ ମୂଷା ଓ ଅନ୍ୟ ଛୋଟ ସ୍ତନ୍ୟପାୟୀ ଜୀବ ଶରୀରରେ ମଧ୍ୟ ମିଳିଥାଏ।
ମଣିଷ ଠାରେ ଏହା ପ୍ରଥମେ ୧୯୭୦ରେ କଙ୍ଗୋରେ ଚିହ୍ନଟ ହୋଇଥିଲା। ପଶୁରୁ ପଶୁକୁ ଏବଂ ମଣିଷକୁ ବ୍ୟାପୁଥିବା ଏହି ସଂକ୍ରମଣ ଏବେ ମଣିଷଠୁ ମଣିଷକୁ ମଧ୍ୟ ଡେଉଁଛି। ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଲେ, ସେମାନଙ୍କ ପାଟି ଓ ନାକ ଆଦିର ତରଳ ଦ୍ୱାରା ଏବଂ ଯୌନ ସଂପର୍କ ଦ୍ୱାରା ଏହା ବ୍ୟାପିଥାଏ।
ମଙ୍କିପକ୍ସର ଲକ୍ଷଣଗୁଡ଼ିକ ହେଉଛି- ଜ୍ୱର, ମୁଣ୍ଡବିନ୍ଧା,ମାଂସପେଶୀ ଘୋଳାବିନ୍ଧା ଏବଂ ହାଡ଼ଫୁଟି ଭଳି ଦେହସାରା ଫଳି ଯିବା ଇତ୍ୟାଦି। ଲକ୍ଷଣ ୨ ରୁ ୪ ସପ୍ତାହ ଯାଏଁ ରହିଥାଏ। ଶିଶୁ, ଗର୍ଭବତୀ ମହିଳା ଏବଂ କ୍ଷୀଣ ରୋଗ ପ୍ରତିରୋଧକ ଶକ୍ତି ଥିବା ଲୋକଙ୍କ ଠାରେ ଏହା ଜଟିଳ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ।
ଏହାର କୌଣସି ସିଧାସଳଖ ଚିକିତ୍ସା ନାହିଁ। ମଙ୍କିପକ୍ସ ସଂକ୍ରମଣ ହେଲେ ପୋଷକ ଖାଦ୍ୟ ଖାଇବା, ଯଥେଷ୍ଟ ପାଣି ପିଇବା ଏବଂ ପର୍ଯ୍ୟାପ୍ତ
ନିଦ୍ରା ସହିତ ଚର୍ମକୁ ନକୁଣ୍ଡାଇବା ପାଇଁ ପରାମର୍ଶ ଦିଆଯାଇଛି। ୨୦୨୨ରେ ଭାରତରେ ମଧ୍ୟ ଅଳ୍ପ କିଛି ଜଣ ମଙ୍କିପକ୍ସ ଦ୍ବାରା ସଂକ୍ରମିତ ହୋଇଥିଲେ ।