ଜିଲିସ ଓ ମସ୍କ
ବିଶ୍ୱର ୧ ନଂ ଧନୀ ତଥା ଟେସଲା ଓ ସ୍ପେଶ ଏକ୍ସ ସିଇଓ ଏଲନ ମସ୍କ(Elon Musk)ଙ୍କ ଭାରତୀୟ ଲିଙ୍କ। ମସ୍କଙ୍କ ପାର୍ଟନର ଶିଭୋନ ଜିଲିସ ହେଉଛନ୍ତି ଅଧା ଭାରତୀୟ। ଖାସ ଏଥିପାଇଁ ମସ୍କ ତାଙ୍କ ଜଣେ ପୁଅର ନାଁରେ ଶେଖର ବ୍ୟବହାର କରିଛନ୍ତି। ଏକଥା ନିଜେ ମସ୍କ କହିଛନ୍ତି।
ଜେରୋଧା ପ୍ରତିଷ୍ଠାତା ନିଖିଲ କାମାତଙ୍କ ପୋଡକାଷ୍ଟରେ ମସ୍କ ଏଯାଏ ଖୁଲାସା କରି ନଥିବା ଭାରତୀୟ ଲିଙ୍କ ବାବଦରେ ମତ ରଖିଛନ୍ତି। ତାଙ୍କ କହିବା କଥା ଯେ ଜିଲିସଙ୍କ ଠାରୁ ଜନ୍ମ ଗ୍ରହଣ କରିଥିବା ଦୁଇ ପୁଅଙ୍କ ମଧ୍ୟରୁ ଜଣଙ୍କ ମଧ୍ୟ ନାମ ବା ମିଡିଲ ନେମରେ ଶେଖର ରହିଛି। ଭାରତୀୟ ବଂଶୋଦ୍ଭବ ଆମେରିକୀୟ ପଦାର୍ଥ ବିଜ୍ଞାନୀ ତଥା ନୋବେଲ ବିଜେତା ସୁବ୍ରମଣ୍ୟୟନ ଚନ୍ଦ୍ରଶେଖରଙ୍କ ନାମ ଅନୁସାରେ ମସ୍କ ତାଙ୍କ ପୁଅର ନାଁ ରଖିଛନ୍ତି।
ପୋଡକାଷ୍ଟରେ ସେ କହିଛନ୍ତି, “ଆପଣ ଏକଥା ଜାଣିଛନ୍ତି କି ନାହିଁ ମୁଁ ଜାଣିନି। କିନ୍ତୁ ମୋ ପାର୍ଟନର ଶିଭୋନ ଅଧା ଭାରତୀୟ। ତାଙ୍କ ଠାରୁ ଜନ୍ମିତ ମୋର ଜଣେ ପୁଅର ମଧ୍ୟ ନାମ ଚନ୍ଦ୍ରଶେଖରଙ୍କ ଅନୁସାରେ ଶେଖର ରଖିଛି।”
ପୋଡକାଷ୍ଟରେ ତାଙ୍କୁ ଜିଲିସଙ୍କ ଭାରତୀୟ ଲିଙ୍କ ସମ୍ପର୍କରେ ଅଧିକ ସୂଚନା ଦେବାକୁ କୁହାଯାଇଥିଲା। ଏହି ସମୟରେ ମସ୍କ କହିଛନ୍ତି ଯେ “ଜିଲିସ କାନାଡାରେ ବଡ଼ ହୋଇଛନ୍ତି। ଛୋଟ ଥିବା ବେଳେ ତାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରି ନିଆଯାଇଥିଲା।
ମୋତେ ଲାଗୁଛି ତାଙ୍କ ବାପା କୌଣସି ବିଶ୍ୱବିଦ୍ୟାଳୟର ଏକ୍ସଚେଞ୍ଜ ଛାତ୍ର କିମ୍ବା ସେଭଳି କିଛି ଥିବେ। ମୁଁ କୌଣସି ବିସ୍ତୃତ ତଥ୍ୟ ସମ୍ପର୍କରେ ଜାଣିନାହିଁ। ହେଲେ ତାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରି ନିଆ ଯାଇଥିଲା। ସେ କାନାଡାରେ ହିଁ ବଡ଼ ହୋଇଛନ୍ତି।”
ଜିଲିସ ୨୦୧୭ରେ ମସ୍କଙ୍କ ଏଆଇ କମ୍ପାନୀ ନେଉରାଲିଙ୍କରେ କାମ ଆରମ୍ଭ କରିଥିଲେ। ଏବେ ସେ କମ୍ପାନୀର ଅପରେସନ ଓ ସ୍ପେଶାଲ ପ୍ରୋଜେକ୍ଟ ନିର୍ଦ୍ଦେଶକ ଭାବେ କାମ କରୁଛନ୍ତି। ୟାଲେ ବିଶ୍ୱବିଦ୍ୟାଳୟରୁ ଜିଲିସ ଅର୍ଥନୀତି ଓ ଫିଲୋସଫୀରେ ଡିଗ୍ରୀ ହାସଲ କରିଛନ୍ତି। ମସ୍କ ଓ ଜିଲିସ ୪ ସନ୍ତାନର ବାପା ମା’। ୩ ପୁଅ ଓ ଜଣେ ଝିଅଙ୍କୁ ଜନ୍ମ ଦେଇଛନ୍ତି ଜିଲିସ।
ଭାରତୀୟଙ୍କ ଯୋଗୁ ଆମେରିକା ଲାଭରେ ରହୁଥିବା ମଧ୍ୟ ମସ୍କ କହିଛନ୍ତି। ସେ କହିଛନ୍ତି, “ଭାରତର ଦକ୍ଷ ଲୋକଙ୍କ ପାଇଁ ଆମେରିକା ଯଥେଷ୍ଟ ଲାଭ ପାଉଛି। କିନ୍ତୁ ଏବେ ସବୁ କିଛି ବଦଳିବା ଭଳି ଲାଗୁଛି।” ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭିସା କଟକଣା ଲଗାଉଥିବାରୁ ମସ୍କ ଏପରି ମତ ରଖିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/12/01/musk-2025-12-01-13-52-17.jpg)