ମିଆଁମାର ଓ ଥାଇଲ୍ୟାଣ୍ଡରେ ଶୁକ୍ରବାର ହୋଇଥିବା ଶକ୍ତିଶାଳୀ ଭୂକମ୍ପ ସବୁ କିଛି ଛାରଖାର କରି ଦେଇଛି। ୭.୭ ଓ ୬.୪ ତୀବ୍ରତାର ୨ଟି ଭୂକମ୍ପ ପ୍ରଭାବରେ ମିଆଁମାର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଅନେକ ବଡ଼ବଡ଼ ଅଟ୍ଟାଳିକା ମାଟିରେ ମିଶି ଯାଇଥିବା ବେଳେ ରାସ୍ତାଘାଟ ଠାରୁ ଆରମ୍ଭ କରି ବ୍ରିଜ ଭୁଶୁଡ଼ି ପଡ଼ିଛି। ଉଦ୍ଧାରକାରୀ ଦଳ ଧ୍ୱଂସାବଶେଷ ତଳୁ ଇତି ମଧ୍ୟରେ ୧୦୦୦ରୁ ଅଧିକ ଲୋକଙ୍କ ମୃତଦେହକୁ ଉଦ୍ଧାର କରି ସାରିଲେଣି। ହଜାର ହଜାର ଲୋକ ନିଖୋଜ ଥିବା ବେଳେ ମୃତ୍ୟୁସଂଖ୍ୟା କେବଳ ମିଆଁମାରରେ ୧୦ ହଜାର ଟପିବ ବୋଲି ଆମେରିକା ପକ୍ଷରୁ ଆଶଙ୍କା କରାଯାଇଛି।
ଭୂକମ୍ପ କ୍ଷୟକ୍ଷତି ପରେ ମିଆଁମାରରେ ଉଦ୍ଧାରକାରୀ ଦଳ ରାତି ତମାମ ଧ୍ୱଂସାବଶେଷ ତଳୁ ନିରବଚ୍ଛିନ୍ନ ଭାବେ ଜୀବନ ଖୋଜିବାରେ ଲାଗିଛନ୍ତି। ବିଶେଷ କରି ମାଣ୍ଡଲେରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ଏହା ମିଆଁମାରର ଦ୍ୱିତୀୟ ବଡ଼ ସହର ଓ ଭୂକମ୍ପର କେନ୍ଦ୍ରସ୍ଥଳ। ମିଆଁମାରରେ ବର୍ତ୍ତମାନ ସୁଦ୍ଧା ୧୦୦୨ ଜଣଙ୍କ ମୃତଦେହ ଧ୍ୱଂସାବଶେଷ ତଳକୁ ମିଳିଥିବା ଦେଶର ସେନା ପକ୍ଷରୁ କୁହାଯାଇଛି। କିନ୍ତୁ ଆମେରିକା ଏଜେନ୍ସି କହିଛି ଯେ ଯେତିକି କ୍ଷୟକ୍ଷତି ହୋଇଛି, ତା’କୁ ଦେଖିଲେ ମୃତ୍ୟୁସଂଖ୍ୟା ୧୦ ହଜାର ଟପିବାର ଯଥେଷ୍ଟ ଆଶଙ୍କା ରହିଛି। ଆମେରିକାର ଜିଓଲୋଜିକାଲ ସର୍ଭେ(ୟୁଏସଜିଏସ୍) ଶୁକ୍ରବାର କହିଛି ଯେ ଭୂକମ୍ପ କ୍ଷୟକ୍ଷତି ଓ ମୃତାହତ ପରିକଳ୍ପନା ବାହାରେ। ମିଆଁମାରେ ଭୂକମ୍ପ ଯେଉଁଭଳି କ୍ଷତି ଘଟାଇଛି, ତା’କୁ ଦେଖିଲେ ଲାଗୁଛି ଯେ ମୃତ୍ୟୁସଂଖ୍ୟା ୧୦ ହଜାର ଟପିଯିବ।
ମିଆଁମାରର ମିଲିଟାରୀ ଜୁଣ୍ଟା କହିଛି ଯେ ଭୂକମ୍ପ ଜନିତ ମୃତ୍ୟୁସଂଖ୍ୟା ୧୦୦୨ରେ ପହଞ୍ଚିଥିବା ବେଳେ ୨୩୭୬ ଜଣ ଆହତ ହୋଇଛନ୍ତି। ଶୁକ୍ରବାରର ଭୂକମ୍ପ ସମ୍ପର୍କରେ ପୀଡ଼ିତମାନେ ଲୋମଟାଙ୍କୁରା ଅନୁଭୂତି ବକ୍ଷାଣିଛନ୍ତି। ମିଆଁମାରର ଜଣେ ପୀଡ଼ିତ କହିଛନ୍ତି ଯେ ସେ ୱାଶରୁମରେ ଥିବା ବେଳେ ଭୂକମ୍ପ ଝଟକା ଅନୁଭବ କରିଥିଲେ। ସେ ଥିବା ବିଲଡିଂ ଭୁଶୁଡ଼ି ପଡ଼ିଥିଲା। ଅଳ୍ପକେ ସେ ବର୍ତ୍ତି ଯାଇଥିଲେ। ଅନ୍ୟମାନଙ୍କ ସହ ସେ ଆଉ ଗୋଟିଏ ସ୍ଥାନକୁ ଆଶ୍ରୟ ପାଇଁ ଦୌଡ଼ିଥିଲେ। କିନ୍ତୁ ଉକ୍ତ ବିଲଡିଂ ମଧ୍ୟ ଦ୍ୱିତୀୟ ଭୂକମ୍ପ ଝଟକାରେ ଭୁଶୁଡ଼ି ପଡ଼ିଥିଲା। ତାଙ୍କ ପରିବାରର ୩ ଜଣ ଏବେ ବି ନିଖୋଜ ରହିଛନ୍ତି। କ୍ଷୟକ୍ଷତିକୁ ଦେଖିଲେ ସେମାନେ ବଞ୍ଚିଥିବା ଆଶଙ୍କା ଶୂନ ବୋଲି ବ୍ୟକ୍ତି ଜଣଙ୍କ କହିଛନ୍ତି।
ଭୂକମ୍ପ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଆଁମାର ଓ ଥାଇଲ୍ୟାଣ୍ଡ ପାଇଁ ଚିନ୍ତା ପ୍ରକଟ କରିଥିଲେ। ଏଥିସହ ଭାରତ ପକ୍ଷରୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବେ ବୋଲି କହିଥିଲେ। ଏହି ଘୋଷଣା ଅନୁଯାୟୀ ଭାରତ ପକ୍ଷରୁ ୧୫ ଟପ ରିଲିଫ ସାମଗ୍ରୀ ମିଆଁମାରକୁ ପଠାଯାଇଛି। ଭାରତୀୟ ବାୟୁ ସେନାର ସି ୧୩୦ ଜେ ଏୟାରକ୍ରାଫ୍ଟ ସୋଲାର ଲ୍ୟାମ୍ପ, ଖାଦ୍ୟ ପୁଡ଼ିଆ ଓ କିଚେନ ସେଟ୍ସ ଧରି ମିଆଁମାରରେ ପହଞ୍ଚିଛି। ଭାରତ ପକ୍ଷରୁ ମିଆଁମାରକୁ ସହାୟତା ପାଇଁ ଅପରେସନ ବ୍ରହ୍ମା ଆରମ୍ଭ କରାଯାଇଛି। ଏ ସମ୍ପର୍କରେ ବୈଦେଶିକ ବ୍ୟାପର ମନ୍ତ୍ରଣାଳୟର ମୁଖପାତ୍ର ରଣନ୍ଧୀତ ଜୈସୱାଲ କହିଛନ୍ତି, ଭାରତ ପ୍ରଥମ ଦେଶ ଭାବେ ମିଆଁମାରକୁ ସହାୟତାର ହାତ ବଢ଼ାଇଛି।
ଦୀର୍ଘ ୪ ବର୍ଷର ଗୃହଯୁଦ୍ଧ, ଉତ୍କଟ ଖାଦ୍ୟ ସଙ୍କଟ ଓ ଆର୍ଥିକ ସ୍ଥିତି ଦୁର୍ବଳ ହୋଇ ପଡ଼ିଥିବା ମିଆଁମାର୍ର ଦୁଃଖ ଏବେ ଭୂକମ୍ପ ପରେ ଦୁଇ ଗୁଣିତ ହୋଇଯାଇଛି। ଭୂକମ୍ପ ଯୋଗୁ ବିଜୁଳି ଓ ପାଣି ସଙ୍କଟ ବଢ଼ି ଯାଇଛି। ଏହାକୁ ଦୃଷ୍ଟିରେ ରଖି ଏବ ବିରଳ ଘଟଣାକ୍ରମରେ ମିଆଁମାର ସାମରିକ ମୁଖ୍ୟ ମିନ୍ ଅଙ୍ଗ ହାଇଙ୍ଗ ପୂରା ବିଶ୍ୱକୁ ସହାୟତା ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି। ସବୁବେଳେ ବନ୍ଧୁକ ମୁନରେ ଶାସନ କରୁଥିବା ହାଇଙ୍ଗଙ୍କ ଦମ୍ଭକୁ ଭୂକମ୍ପ ଭାଙ୍ଗି ଦେଇଛି।
ଭୂକମ୍ପର ମାତ୍ର କିଛି ମିନିଟ ମଧ୍ୟରେ ମିଆଁମାରର ରାଜଧାନୀ ନାପିଦାରେ ଥିବା ୧୦୦୦ ବେଡ୍ ବିଶିଷ୍ଟ ହସ୍ପିଟାଲ୍ର ଜରୁରିକାଳୀନ ବିଭାଗରେ ଶତାଧିକ ଆହତ ପହଞ୍ଚିଥିଲେ। କିନ୍ତୁ ହସ୍ପିଟାଲ୍ ମଧ୍ୟ ଭୂକମ୍ପ ଝଟ୍କାରେ କ୍ଷୟକ୍ଷତି ହୋଇଛି। ସାମରିକ ମୁଖ୍ୟ ମିନ୍ ଅଙ୍ଗ ହାଇଙ୍ଗ ହସ୍ପିଟାଲ୍ ଗସ୍ତ କରି ଆହତମାନଙ୍କୁ ଭେଟିଛନ୍ତି। ନାପିଦାର ସବୁଠାରୁ ବଡ଼ ହସ୍ପିଟାଲ୍ ଅଭିମୁଖେ ଯାଇଥିବା ରାସ୍ତାରେ ପ୍ରବଳ ଟ୍ରାଫିକ୍ ଜାମ୍ ଯୋଗୁଁ ସମସ୍ୟା ଦେଖିବାକୁ ମିଳିଛି।
ଏହି ସମୟରେ ସାମରିକ ମୁଖ୍ୟ ମିନ୍ ଅଙ୍ଗ ହାଇଙ୍ଗ କହିଛନ୍ତି, “ମୁଁ ଯେକୌଣସି ଦେଶ, ଯେକୌଣସି ସଂଗଠନ ଓ ମିଆଁମାରରେ ଥିବା ଯେକୌଣସି ବ୍ୟକ୍ତିଙ୍କୁ ଆଗକୁ ଆସି ସହାୟତା କରିବାକୁ ଅନୁରୋଧ କରୁଛୁ। ବିଦେଶୀ ସହାୟତା ପାଇଁ ସମସ୍ତ ପ୍ରକାରର ଦ୍ୱାର ଖୋଲା ରହିଛି।” ୧୯୬୪ରେ ମଧ୍ୟ ମିଆଁମାରରେ ୭.୭ ତୀବ୍ରତାର ଭୂକମ୍ପ ହୋଇଥିଲା। ଏଥିରେ ମଧ୍ୟ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ।
ଅନ୍ୟପକ୍ଷରେ ମିଆଁମାରରେ ଭୂକମ୍ପର ପ୍ରଭାବ ଏତେ ଅଧିକ ଥିଲା ଯେ ଏହା ୯୦୦ କିମି ଦୂରରେ ଥିବା ପଡ଼ୋଶୀ ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକ୍ରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଭୂକମ୍ପର ଭୀଷଣ ଝଟ୍କାରେ ଥାଇଲ୍ୟାଣ୍ଡରେ ଅନେକ ବଡ଼ବଡ଼ ଅଟ୍ଟାଳିକା ଭୁଶୁଡ଼ି ପଡ଼ିଛି। ବ୍ୟାଙ୍କକ୍ରେ ୩୦ ମହଲା ବିଶିଷ୍ଟ ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡ଼ି ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଏବେ ୧୦୦ରୁ ଅଧିକ ଶ୍ରମିକ ଧ୍ୱଂସାବଶେଷ ତଳେ ଫସି ରହିଛନ୍ତି।
କେନ୍ଦ୍ରୀୟ ମିଆଁମାରର ମାଣ୍ଡଲେ ନିକଟରେ ଶୁକ୍ରବାର ସ୍ଥାନୀୟ ସମୟ ମଧ୍ୟାହ୍ନ ପ୍ରାୟ ୧୨.୫୦ରେ ପ୍ରଥମ ଭୂକମ୍ପ ଆସିଥିଲା ଓ ଏହାର ତୀବ୍ରତା ୭.୭ ରହିଥିଲା। ଏହାର ୧୧ ମିନିଟ୍ ପରେ ଆସିଥିବା ଦ୍ୱିତୀୟ କମ୍ପନର ତୀବ୍ରତା ୬.୪ ରହିଥିଲା। ଏହାର କେନ୍ଦ୍ରସ୍ଥଳ ସଗାଇଙ୍ଗ ସହରର ୧୬ କିମି ଦକ୍ଷିଣ ପଶ୍ଚିମରେ ୧୦ରୁ ୩୦ କିମି ଗଭୀରତାରେ ଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।