Advertisment

ରେଜଲ୍ଟ ବାହାରିନି, ଶରିଫ କହିଲେ ଆମେ ଜିତିଗଲୁ

ବର୍ତ୍ତମାନର ସୁଦ୍ଧା ଶେଷ ହୋଇଥିବା ଗଣତି ପରେ ପିଟିଆଇ ସମର୍ଥିତ ପ୍ରାର୍ଥୀ ୮୮ଟି, ଶରିଫଙ୍କ ଦଳ ୬୧, ପିପିପି ୫୦, ଅନ୍ୟ ଦଳ ୧୮ଟି ଆସନରେ ଜିତିଛନ୍ତି।

author-image
Hemant Lenka
Sharif

Sharif

ହିଂସା, ପୋଡ଼ାଜଳା, ଆତଙ୍କୀ ହମଲା ଓ ଇଣ୍ଟରନେଟ ଶଟଡାଉନ ମଧ୍ୟରେ ଅନୁଷ୍ଠିତ ପାକିସ୍ତାନ ସାଧାରଣ ନିର୍ବାଚନର ଫଳାଫଳ ଏଯାଏ ବାହାରି ନାହିଁ। ଇଣ୍ଟରନେଟ ଶଟଡାଉନ ଓ ହିଂସାକାଣ୍ଡ ଯୋଗୁ ଭୋଟ ଗଣତିରେ ବିଳମ୍ବ ଦେଖାଯାଇଛି। ତଥାପି ପାକିସ୍ତାନରେ ପିଏମଏଲ-ଏନ ବିଜୟୀ ହୋଇଛି ବୋଲି ଦଳର ସୁପ୍ରିମୋ ନବାଜ ଶରିଫ ଘୋଷଣା କରିଛନ୍ତି।

Advertisment

ଅଧିକାଂଶ ଆସନରେ ଗଣତି ବର୍ତ୍ତମାନ ଚାଲିଛି। କିନ୍ତୁ ଶରିଫ ଆଜି ସନ୍ଧ୍ୟାରେ ନିଜ ସମର୍ଥକ ଓ ପାକିସ୍ତାନବାସୀଙ୍କୁ ସମ୍ବୋଧନ କରି ତାଙ୍କ ଦଳ ସରକାର ଗଠନ କରିବାକୁ ଯାଉଥିବା କହିଛନ୍ତି।

ତାଙ୍କ କହିବା କଥା ଯେ ପିଏମଏଲ-ଏନ ଦେଶର ସର୍ବବୃହତ୍ତ ଦଳ ଭାବେ ଉଭା ହୋଇଛି। ତାଙ୍କ ଦଳ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ମଧ୍ୟ ହାସଲ କରି ନେଇଛି। ଏଥିସହ ତାଙ୍କ ସରକାର ଦାୟିତ୍ୱ ନେବା ମାତ୍ର ସବୁ ଦେଶ ସହ ସୁସମ୍ପର୍କ ପ୍ରତିଷ୍ଠା କରି ଦେଶକୁ ବିକାଶରେ ରାସ୍ତାରେ ନେବ ବୋଲି ମଧ୍ୟ ଶରିଫ ଦମ୍ଭୋକ୍ତି କରିଛନ୍ତି।

Advertisment

ତେବେ ତାଙ୍କ ଦଳ ପ୍ରକୃତରେ କେତେ ଆସନ ଜିତିଛି, ସେକଥା ସେ ସାର୍ବଜନୀନ କରି ନାହାନ୍ତି। କାରଣ ଏବେ ବି ୨୬୫ଟି ଆସନ ମଧ୍ୟରୁ ଅଧିକାଂଶ ସ୍ଥାନରେ ଗଣତି ଜାରି ରହିଛି। ଭୋଟ ଗଣତି ଶେଷ ହୋଇ ନଥିବା ବେଳେ ଶରିଫଙ୍କ ଏପରି ବିଜୟ ଦାବି ସମସ୍ତଙ୍କୁ ଚକିତ କରିଛି। ସମ୍ଭବତଃ ସେ ମେଣ୍ଟ ସରକାର ଗଠନ କରିବା ମୁଡରେ ରହିଛନ୍ତି। 

ସେପଟେ ନିର୍ବାଚନ କମିଶନଙ୍କ ଟ୍ରେଣ୍ଡ ଅନୁଯାୟୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇ ଆଗୁଆ ରହିଛି। ଜେଲରେ ଥିବା ଇମ୍ରାନ ଖାନଙ୍କ ଦଳ ପିଟିଆଇକୁ ଅବୈଧ ଘୋଷଣା କରାଯିବା ପରେ ସମସ୍ତ ପ୍ରାର୍ଥୀ ସ୍ୱାଧୀନ ଭାବେ ନିର୍ବାଚନ ଲଢୁଛନ୍ତି। ତଥାପି ପିଟିଆଇ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀମାନେ ଆଗେଇ ଚାଲିଥିବା ପାକିସ୍ତାନର ଟିଭି ଚ୍ୟାନେଲରେ ରିପୋର୍ଟ ପ୍ରକାଶ ପାଇଛି। ସନ୍ଧ୍ୟା ଯାଏ ଏପରି ଟ୍ରେଣ୍ଡ ଜାରି ରହିଥିବା ବେଳେ ଏବେ ଏଥିରେ ଓଲଟ ପାଲଟ ହଠାତ୍‌ ଦେଖିବାକୁ ମିଳିଛି।

ଶରିଫ ବିଜୟୀ ନେଇ ଦାବି କରିବା ପରେ ବିଭିନ୍ନ ସ୍ଥାନରେ ପିଟିଆଇ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀମାନେ ପଛୁଆ ହୋଇଯାଇଛନ୍ତି। ଏଥିପାଇଁ ପିଟିଆଇର କର୍ମୀମାନେ ବାହାବଲପୁରରେ ଥିବା ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ନିକଟରେ ବିକ୍ଷୋଭ ଆରମ୍ଭ କରିଛନ୍ତି। ଏହାକୁ ନେଇ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଛି।

ପାକିସ୍ତାନର ୨୬୫ ଆସନ ବିଶିଷ୍ଟ ସଂସଦରେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହେଉଛି ୧୩୩। ବର୍ତ୍ତମାନର ସୁଦ୍ଧା ଶେଷ ହୋଇଥିବା ଗଣତି ପରେ ପିଟିଆଇ ସମର୍ଥିତ ପ୍ରାର୍ଥୀ ୮୮ଟି, ଶରିଫଙ୍କ ଦଳ ୬୧, ପିପିପି ୫୦, ଅନ୍ୟ ଦଳ ୧୮ଟି ଆସନରେ ଜିତିଛନ୍ତି। ୨୧୭ଟି ଆସନର ରେଜଲ୍ଟ ଘୋଷଣା ହୋଇଥିବା ବେଳେ ଗୋଟିଏ ଆସନର ରେଜଲ୍ଟ ସ୍ଥଗିତ ରଖାଯାଇଛି। ସେହିପରି ଆହୁରି ୪୮ଟି ଆସନର ରେଜଲ୍ଟ ପ୍ରକାଶ ପାଇବାର ବାକି ରହିଛି।

Pakistan Nawaz Sharif