Advertisment

ଇମ୍ରାନ ଖାନଙ୍କ ନାଁରେ ଜାରି ହେଲା ଜାମିନ ବିହୀନ ଗିରଫ ପରୱାନା

ଗତବର୍ଷ ଅଗଷ୍ଟ ମାସରେ ଇମ୍ରାନ ଖାନ ସହଯୋଗୀ ଶାହବାଜ ଗିଲ୍‌ଙ୍କ ସମର୍ଥନରେ ଗୋଟିଏ ରାଜନୀତିକ ସଭା କରିଥିଲେ। ଗିଲଙ୍କୁ ପୁଲିସ ନିଜ ହେପାଜତରେ ରଖି ନିର୍ଯାତନା ଦେଉଥିବା ସେ ସଭାରେ କହିଥିଲେ।

author-image
Hemant Lenka
Imran Khan

Imran Khan

ପୁଣିଥରେ ଅଡ଼ୁଆରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଆଜି ତାଙ୍କ ନାଁରେ ଜାରି ହୋଇଛି ଜାମିନ ବିହୀନ ଗିରଫ ପରୱାନା। ଖାତୁନ ଜଜ ଜେବା ଚୌଧୁରୀଙ୍କୁ ଧମକ ଦେବା ଘଟଣାରେ ସିଭିଲ ଜଜ ଡିଷ୍ଟ୍ରିକ୍ଟ ସେସନ୍ସ କୋର୍ଟ ଇମ୍ରାନ ଖାନଙ୍କ ନାଁରେ ଏପରି ୱାରେଣ୍ଟ ଜାରି କରିଛନ୍ତି।

Advertisment

ଆଜି ନିମ୍ନ ଅଦାଲତରେ ଇମ୍ରାନ ଖାନ ହାଜର ହେବାର ଥିଲା। ତେବେ ସବୁ ଥର ଭଳି ଏଥର ମଧ୍ୟ ସେ ସୁରକ୍ଷା ଆଳରେ ହାଜର ହେବାରୁ ମୁକ୍ତି ପାଇଁ ଆବେଦନ କରିଥିଲେ। ତେବେ ତାଙ୍କ ଆବେଦନକୁ ଖାରଜ କରି କୋର୍ଟ ତାଙ୍କ ନାଁରେ ଗିରଫ ପରୱାନା ଜାରି କରିଥିବା ଜିଓ ନ୍ୟୁଜରେ ରିପୋର୍ଟ ପ୍ରକାଶ ପାଇଛି। କୋର୍ଟ ଇମ୍ରାନ ଖାନଙ୍କୁ ମାର୍ଚ୍ଚ ୨୯ ସୁଦ୍ଧା ହାଜର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଗତବର୍ଷ ଅଗଷ୍ଟ ମାସରେ ଇମ୍ରାନ ଖାନ ସହଯୋଗୀ ଶାହବାଜ ଗିଲ୍‌ଙ୍କ ସମର୍ଥନରେ ଗୋଟିଏ ରାଜନୀତିକ ସଭା କରିଥିଲେ। ଗିଲଙ୍କୁ ପୁଲିସ ନିଜ ହେପାଜତରେ ରଖି ନିର୍ଯାତନା ଦେଉଥିବା ସେ ସଭାରେ କହିଥିଲେ। ଏହି ସମୟରେ ସେ ଜଜ ଜେବା ଚୌଧୁରୀଙ୍କୁ ଧମକ ଦେଇଥିଲେ।

Advertisment

ବିଚାରପତି ଜେବା ତାଙ୍କ ବିରୋଧରେ ହେବାକୁ ଥିବା କାର୍ଯ୍ୟାନୁଷ୍ଠାନ ପାଇଁ ନିଜକୁ ପ୍ରସ୍ତୁତ କରି ରଖନ୍ତୁ ବୋଲି ଇମ୍ରାନ କହିଥିଲେ। ଏହି ବୟାନ ପରେ ଇମ୍ରାନ ଖାନଙ୍କ ନାଁରେ ତୁରନ୍ତ ଏଫଆଇଆର ରୁଜୁ କରାଯାଇଥିଲା। ପାକିସ୍ତାନ ପେନାଲ କୋଡର ଧାରା ୧୮୬, ୧୮୮, ୫୦୪ ଓ ୫୦୪ ଦଫାରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଥିଲା।

ଏହି ବିବାଦ ପରେ ଇମ୍ରାନ ଖାନ ଇସଲାମାବାଦ ହାଇକୋର୍ଟରେ ଗୋଟିଏ ସତ୍ୟପାଠ ଦାଖଲ କରିଥିଲେ। ସେ କଥା ଛଳରେ ନିଜର ସୀମା ଅତିକ୍ରମ କରି ଯାଇଛନ୍ତି ଓ ବିଚାରପତିଙ୍କୁ କ୍ଷମା ମାଗିବାକୁ ରାଜି ଥିବା ସତ୍ୟପାଠରେ ଉଲ୍ଲେଖ କରିଥିଲେ। ଉପରୋକ୍ତ କେସ୍‌ରେ ଆଜି ସେ କୋର୍ଟରେ ହାଜର ହେବାର ଥିଲା। ହେଲେ ସେ ହାଜର ନ ହେବାରୁ ତାଙ୍କ ନାଁରେ ଗୋଟିଏ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି।

Pakistan Imran Khan High Court