/odisha-reporter/media/post_attachments/uploadimage/library/16_9/16_9_0/nehal_1751712578.jpg)
nehal
ପଳାତକ ଘୋଷିତ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଭାଇ ନେହାଲ ମୋଦିଙ୍କୁ ଆମେରିକାରେ ଗିରଫ କରାଯାଇଛି। ଇଡି ଓ ସିବିଆଇର ଅନୁରୋଧ ଓ ଭାରତ ସରକାରଙ୍କ ପ୍ରତ୍ୟର୍ପଣ ପ୍ରସ୍ତାବ ପରେ ନେହାଲଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନବି ଋଣ ଜାଲିଆତି ମାମଲାରେ ନେହାଲ ଗିରଫ ହୋଇଛନ୍ତି।
ଆମେରିକା ନ୍ୟାୟିକ ବିଭାଗର ସୂଚନା ଅନୁସାରେ, ନେହାଲ ମୋଦି ହେଉଛନ୍ତି ଜଣେ ବେଲଜିୟମ ନାଗରିକ। ତାଙ୍କୁ ଜୁଲାଇ ୪ ତାରିଖରେ ଗିରଫ କରାଯାଇଛି। ନେହାଲଙ୍କ ନାଁରେ ଭାରତରେ ମନି ଲଣ୍ଡରିଂ, ଅପରାଧିକ ଷଡ଼ଯନ୍ତ୍ର ଓ ପ୍ରମାଣ ନଷ୍ଟ ଭଳି ସଙ୍ଗୀନ ମାମଲା ରହିଛି।
ପିଏନବିରେ ହୋଇଥିବା ୧୩,୫୦୦ କୋଟି ଋଣ ଜାଲିଆତି ମାମଲାରେ ସିବିଆଇ ଓ ଇଡି ନୀରବ ମୋଦି, ତାଙ୍କ ମାମୁ ମେହୁଲ ଚୋକିସ ଓ ଭାଇ ନେହାଲଙ୍କ ସମେତ ଆଉ କିଛି ଲୋକଙ୍କୁ ଅଭିଯୁକ୍ତ ଦର୍ଶାଇଛନ୍ତି। ଏମାନଙ୍କୁ ପଳାତକ ଘୋଷିତ କରାଯିବା ସହ ମୋଷ୍ଟ ୱାଣ୍ଟେଡ ତାଲିକାରେ ମଧ୍ୟ ରଖାଯାଇଛି। ନୀରବ ମୋଦି ଏବେ ବ୍ରିଟେନରେ ଗିରଫ ହୋଇ ରହିଛନ୍ତି।
ତାଙ୍କର ପ୍ରତ୍ୟର୍ପଣକୁ ବ୍ରିଟେନ ହାଇକୋର୍ଟ ଅନୁମତି ଦେଇ ସାରିଛନ୍ତି। କିନ୍ତୁ ସେ ଏହା ବିରୋଧରେ ଆବେଦନ କରିଥିବାରୁ ପ୍ରତ୍ୟର୍ପଣରେ ବିଳମ୍ବ ହେଉଛି। ୨୦୧୯ରେ ନୀରବ ମୋଦିଙ୍କୁ ପଳାତକ ଘୋଷଣା କରାଯାଇଥିଲା। ଚୋକ୍ସି ୨୦୧୮ରୁ ଭାରତରୁ ଖସି ଚାଲି ଯାଇଥିବା ବେଳେ ଆଣ୍ଟିଗୁଆ ଓ ବରବୁଡାର ନାଗରିକତ୍ୱ ଗ୍ରହଣ କରିଛନ୍ତି।
ନେହାଲ ମୋଦିଙ୍କ ବିରୋଧରେ ଥିବା ଚାର୍ଜ
ପିଏନବି ଋଣ ଜାଲିଆତି ଘଟଣାର ତଦନ୍ତ କରୁଥିବା ଇଡି ଓ ସିବିଆଇ ଜାଣିବାକୁ ପାଇଛନ୍ତି ନେହାଲ ମୋଦି ଲଣ୍ଡରିଂ ପ୍ରକ୍ରିୟାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ନୀରବ ମୋଦିଙ୍କ ପାଇଁ କାମ କରୁଥିଲେ। ସେ ଜାଲିଆତି ଟଙ୍କାର ବିରାଟ ଭାଗକୁ ସେ ଏକାଧିକ ନକଲି କମ୍ପାନୀକୁ ପଠାଇଥିଲେ।
ଅପରାଧ ଘଟାଇବାକୁ ସେ ସବୁ ପ୍ରକାରର ଷଡ଼ଯନ୍ତ୍ର କରିଥିଲେ। ଆମେରିକାରେ ଗିରଫ ହୋଇଥିବା ନେହାଲଙ୍କ ପ୍ରତ୍ୟର୍ପଣ ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୭ରେ ହେବ। ସେ ଏହି ସମୟରେ ଜାମିନ ପାଇଁ ଆବେଦନ କରିବେ। କିନ୍ତୁ ଆମେରିକାର ସରକାରୀ ଓକିଲ ଏହାକୁ ବିରୋଧ କରିବେ ବୋଲି କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
