Advertisment

ନେପାଳ ସ୍ଥିତି ଅସମ୍ଭାଳ: ଜଳିଲା ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଘର, ଭୟରେ ନେତା-ମନ୍ତ୍ରୀଙ୍କ ଇସ୍ତଫା

କଡ଼ା ସୁରକ୍ଷା ଓ ସେନା ମୁତୟନ ସତ୍ତ୍ୱେ ଆଜି ବିକ୍ଷୋଭକାରୀମାନେ ଦେଶର ରାଷ୍ଟ୍ରପତି ରାମ ଚନ୍ଦ୍ର ପୌଡେଲ ଓ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ବ୍ୟକ୍ତିଗତ ଘରେ ପଶିଛନ୍ତି। ସେଠାରେ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି।

Nepal

Nepal

Advertisment

ଜେନ ଜେଡ୍‌ ଆନ୍ଦୋଳନ ଯୋଗୁ ନେପାଳ ସ୍ଥିତି ଅସମ୍ଭାଳ ହୋଇଛି। ସୋମବାର ସୋଶାଲ ମିଡିଆ ବ୍ୟାନକୁ ନେଇ ଆରମ୍ଭ ହୋଇଥିବା ଆନ୍ଦୋଳନ ଆଜି ଆହୁରି ଭୟଙ୍କର ରୂପ ନେଇଛି। ସରକାର ସୋଶାଲ ମିଡିଆ ଉପରକୁ ବ୍ୟାନ ହଟାଇ ଦେଇଥିଲେ ହେଁ ନେପାଳ ସ୍ଥିତିରେ ସୁଧାର ଆସି ନାହିଁ। ସରକାର ଦୁର୍ନୀତିରେ ଲିପ୍ତ ଓ ଚାକିରି ଦେବାରେ ଅକ୍ଷମ ହୋଇଥିବା ଯୁବଗୋଷ୍ଠୀ ଅଭିଯୋଗ କରି ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଇସ୍ତଫା ଦାବି କରିବାରେ ଲାଗିଛନ୍ତି।

Advertisment

ଇସ୍ତଫା ନ ଦେବା ଜିଦରେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଅଟଳ ରହିଥିବା ବେଳେ ଯୁବଗୋଷ୍ଠୀ ଆଜି ଲଙ୍କାକାଣ୍ଡ ଘଟାଇଛନ୍ତି। କଡ଼ା ସୁରକ୍ଷା ଓ ସେନା ମୁତୟନ ସତ୍ତ୍ୱେ ଆଜି ବିକ୍ଷୋଭକାରୀମାନେ ଦେଶର ରାଷ୍ଟ୍ରପତି ରାମ ଚନ୍ଦ୍ର ପୌଡେଲ ଓ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ବ୍ୟକ୍ତିଗତ ଘରେ ପଶିଛନ୍ତି। ସେଠାରେ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି। ବିକ୍ଷୋଭକାରୀଙ୍କ ଆକ୍ରୋଶରୁ ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ପୁଷ୍କ କମଳ ଦହଲ ଓରଫ ପ୍ରଚଣ୍ଡ ଓ ଶେର ବାହାଦୂର ଦେଉବା ଓ ଶକ୍ତି ମନ୍ତ୍ରୀ ଦୀପକ ଖାଡକାଙ୍କ ଘର ମଧ୍ୟ ବର୍ତ୍ତି ପାରିନାହିଁ। ବିକ୍ଷୋଭକାରୀମାନେ ସେଠାରେ ଭଙ୍ଗାରୁଜା କରିଛନ୍ତି।

ରାସ୍ତାଘାଟରେ ନିଆଁ ଜୁଳିଛି। ଦୋକାନ ବଜାର ବନ୍ଦ ରହିଛି। ସବୁଠି ସରକାରୀ ବିରୋଧୀ ସ୍ୱର ତୀବ୍ର ହେଉଛି। ବିକ୍ଷୋଭକାରୀମାନେ ପୁଲିସ୍‌ ଉପରେ ଆକ୍ରମଣ କରିବା ସହ ଗାଡ଼ିମୋଟରରେ ନିଆଁ ଲଗାଇ ଦେଇଛନ୍ତି। କିଛି ସ୍ଥାନରୁ ଲୁଟପାଟର ଖବର ମଧ୍ୟ ମିଳିଛି।  

Advertisment

ବିକ୍ଷୋଭ ତୀବ୍ର ରୂପ ନେଉଥିବାରୁ ସରକାରରେ ଥିବା ନେତା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ଦଳର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଇସ୍ତଫା ଦେବାରେ ଲାଗିଛନ୍ତି। ଜଣଙ୍କ ପରେ ଜଣେ ସାଂସଦ ଇସ୍ତଫା ଦେଉଥିବାରୁ କେପି ଶର୍ମା ଓଲିଙ୍କ ଉପରେ ମଧ୍ୟ ଚାପ ବଢ଼ିବାରେ ଲାଗିଛି। ସେ ମଧ୍ୟ ଇସ୍ତଫା ଦିଅନ୍ତୁ ବୋଲି ବିକ୍ଷୋଭକାରୀ ଦାବି କରୁଛନ୍ତି।

ସ୍ଥିତିକୁ ଦେଖି ଦେଶର ବିଭିନ୍ନ ସ୍ଥାନରେ କର୍ଫ୍ୟୁ ଲାଗୁ କରାଯାଇଛି। ତଥାପି କାଠମାଣ୍ଡୁ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରାନ୍ତରେ ଭୟଙ୍କର ବିକ୍ଷୋଭ ଜାରି ରହିଛି। ବିକ୍ଷୋକକାରୀ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ସରକାରୀ ବାସଭବନରେ ପଶିବାକୁ ଉଦ୍ୟମ କରିବାରୁ ପୁଲିସ୍‌ ବାଧ୍ୟ ହୋଇ ଗୁଳି ଚଳାଇଛି। ଏଥିରେ ୨ ଜଣ ଆହତ ହୋଇଥିବା ଖବର ମିଳିଛି।

ତ୍ରିଭୂବନ ଅନ୍ତର୍ଜାତୀୟ ଏୟାରପୋର୍ଟକୁ ବନ୍ଦ କରି ଦିଆଯାଇଛି। ପ୍ରଧାନମନ୍ତ୍ରୀଙ୍କ ସମେତ ବିଭିନ୍ନ ମନ୍ତ୍ରୀମାନଙ୍କୁ ସେମାନଙ୍କ ବାସଭବନରୁ ହେଲିକପ୍ଟର ଯୋଗେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ସମସ୍ତଙ୍କୁ ଏୟାରପୋର୍ଟ ଅଣା ଯାଇ ଅନ୍ୟତ୍ର ପଠାଇବାର ବ୍ୟବସ୍ଥା କରାଯାଉଛି। ପ୍ରଧାନମନ୍ତ୍ରୀ କେପି ଓଲି ଶର୍ମା ନେପାଳରୁ ଘରୋଇ ବିମାନରେ ଦୁବାଇ ଯିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ତ୍ରିଭୂବନ ଏୟାରପୋର୍ଟରେ ଏଥିପାଇଁ ୩୦୦ ସେନା ଯବାନଙ୍କୁ ମୁତୟନ କରାଯାଇଛି। ନେପାଳ ଆର୍ମିର ହେଲିକପ୍ଟର ପୂରା ଅଞ୍ଚଳରେ ପଇଁତରା ମାରୁଛି।

ବୈଦେଶିକ ମନ୍ତ୍ରୀ ଅରଜୁ ରାଣା ଦେଉବା, ୟୁଏମଏଲ ନେତା ମହେଶ ବସନେଟ, ନେପାଳୀ କଂଗ୍ରେସର ଗଗନ ଥାପା, ପୂର୍ବତନ ଗୃହମନ୍ତ୍ରୀ ରମେଶ ଲେଖାକ, ନେପାଳୀ କଂଗ୍ରେସ ସଭାପତି ଶେର ବାହାଦୂର ଦେଉବା, ଟେଲିକମ୍ୟୁନୀକେସନ ମନ୍ତ୍ରୀ ପୃଥ୍ୱୀ ସୁବ୍ବା ଗୁରୁଙ୍ଗଙ୍କ ଘର ଓ କାଠମାଣ୍ଡୁରେ ଥିବା ନେପାଳି କଂଗ୍ରେସ ମୁଖ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା ଓ ପୋଡ଼ା ଜଳା ହୋଇଛି। ସରକାରୀ ପ୍ରତିଷ୍ଠାନ ଗୁଡ଼ିକ ବ୍ୟତୀତ କାଠମାଣ୍ଡୁରେ ଥିବା ହିଲଟନ ହୋଟେଲରେ ମଧ୍ୟ ବିକ୍ଷୋଭକାରୀ ଭଙ୍ଗାରୁଜା କରିଛନ୍ତି।

ବିକ୍ଷୋଭକୁ ସମର୍ଥନ କରି ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟିର ୨୧ ଜଣ ସାଂସଦ ଇସ୍ତଫା ଦେଇଛନ୍ତି। ଏହି ସାଂସଦମାନେ ପ୍ରଥମଥର ପାଇଁ ସଂସଦକୁ ଯାଇଥିବା ବେଳେ ଜେନ ଜେଡ୍‌ର ବିକ୍ଷୋଭକୁ ଦେଖି ଇସ୍ତଫା ଦେଇଛନ୍ତି।

Protest Nepal zeng
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe