Sushila Karki
ନେପାଳର ପୂର୍ବତନ ପ୍ରଧାନ ବିଚାରପତି ସୁଶୀଳା କାରକି ଅନ୍ତରୀଣ ନେତା ହୋଇଛନ୍ତି। ନେପାଳରେ ଆନ୍ଦୋଳନ ଦ୍ୱାରା ଶାସନ ବଦଳାଇଥିବା ଜେନ ଜେଡ ପକ୍ଷରୁ ତାଙ୍କୁ ଦେଶର ଅନ୍ତରୀଣ ନେତା ଭାବେ ଚୟନ କରାଯାଇଛି। ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବେ, ତା’କୁ ନେଇ ପ୍ରାୟ ୫୦୦୦ ଯୁବକଯୁବତୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଥିଲେ। ଏହାପରେ ଜେନ ଜେଡ ପକ୍ଷରୁ ସୁଶୀଳାଙ୍କୁ ଅନ୍ତରୀଣ ନେତା ଭାବେ ବଛା ଯାଇଛି।
ନେପାଳର ପ୍ରଥମ ତଥା ଏକମାତ୍ର ପ୍ରଧାନ ବିଚାରପତି ଭାବେ ସୁଶୀଳା କାର୍ଯ୍ୟ କରିଛନ୍ତି। ଭାରତର ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ଗ୍ରହଣ କରିଥିବା ସୁଶୀଳା ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ କରିବା ବେଳେ ଜଣେ ମନ୍ତ୍ରୀଙ୍କୁ ଦୁର୍ନୀତି ମାମଲାରେ ଜେଲ ପଠାଇଥିଲେ।
ଅନଲାଇନ ଆଲୋଚନାର ଫୋକସ ଦେଶର ସର୍ବୋଚ୍ଚ ପଦର ପ୍ରାର୍ଥୀ କିଏ ହେବେ, ତା’ ଉପରେ ରହିଥିଲା। ପ୍ରଥମେ କାଠମାଣ୍ଡୁ ମେୟର ବାଲେନ ଶାହ ସବୁଠାରୁ ଆଗରେ ରହିଥିଲେ। କିନ୍ତୁ ଆଲୋଚନାରେ ଭାଗ ନେଇଥିବା ଯୁବଗୋଷ୍ଠୀଙ୍କ କହିଥିଲେ ଯେ ବାଲେନ ଶାହଙ୍କ ସହ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ହେଁ ସେ କୌଣସି ପ୍ରକାରର ସହଯୋଗ କରି ନଥିଲେ।
ଯେହେତୁ ବାଲେନ ଶାହ ଯୁବଗୋଷ୍ଠୀଙ୍କ କଲ ଉଠାଇ ନଥିଲେ, ତେଣୁ ଅନ୍ୟ ନାଁ ଗୁଡ଼ିକ ଉପରେ ବିଚାର କରାଯାଇଥିଲା। ଅଧିକାଂଶ ଯୁବକଯୁବତୀ ସୁଶୀଳାଙ୍କ ନାଁକୁ ସମର୍ଥନ କରିଥିଲେ ବୋଲି ଜେନ ଜେଡର ଜଣେ ପ୍ରତିନିଧି କହିଛନ୍ତି।
ନେପାଳର ଦାୟିତ୍ୱ ନେବାକୁ ଯୁବଗୋଷ୍ଠୀ ସୁଶୀଳାଙ୍କୁ ଯୋଗାଯୋଗ କରିଥିଲେ। ହେଲେ ସେ ତାଙ୍କ ସମର୍ଥନରେ ୧ ହଜାର ଦସ୍ତଖତ ଚାହିଁଥିଲେ। ଏବେ ୨୫୦୦ ଦସ୍ତଖତ ତାଙ୍କ ସପକ୍ଷରେ ରହିଥିବାରୁ ସେ ଜେନ ଜେଡର ଦାବି ମୁତାବକ ଦାୟିତ୍ୱ ନେବାକୁ ରାଜି ଥିବା ଜଣାପଡ଼ିଛି।
ସୁଶୀଳା କାରକି ସମସ୍ତଙ୍କ ପସନ୍ଦର ନେତା ଭାବେ ଆଗରେ ରହିଥିଲେ ହେଁ ଆଲୋଚନା ବେଳେ ନେପାଳ ବିଦ୍ୟୁତ ପ୍ରାଧିକରଣର ମୁଖ୍ୟ କୁଲମନ ଘିସିଙ୍ଗ, ସାଗର ଧାକଲ ଓ ଧାରନ ମେୟର ହାରକା ସାମପାଙ୍ଗଙ୍କ ନାଁ ମଧ୍ୟ ଚର୍ଚ୍ଚାକୁ ଆସିଥିଲା। ୟୁଟ୍ୟୁବର ରାମଣ୍ଡମ ନେପାଳୀଙ୍କୁ ମଧ୍ୟ ଅନେକ ସମର୍ଥନ ମିଳିଥିଲା। କିନ୍ତୁ ସେ ଦାୟିତ୍ୱ ନେବାକୁ ରାଜି ହୋଇ ନାହାନ୍ତି। ଯଦି କେହି ଜେନ ଜେଡର ପ୍ରସ୍ତାବକୁ ଗ୍ରହଣ ନ କରିବେ, ତା’ହେଲେ ସେ ନେପାଳର ଦାୟିତ୍ୱ ନେବେ ବୋଲି କହିଥିଲେ।
ସୁଶୀଳାଙ୍କୁ ଜେନ ଜେଡ ନେତା ଭାବେ ବାଛି ଥିବା ବେଳେ ସେ ପ୍ରଥମେ ଏହାକୁ ବିଧିବଦ୍ଧ ଭାବେ ଗ୍ରହଣ କରିବେ। ଏହାପରେ ସେ ଆର୍ମି ମୁଖ୍ୟ ଜେନେରାଲ ଅଶୋକ ରାଜ ସିଗଡେଲଙ୍କୁ ଭେଟିବେ। ଏହାପରେ ଇସ୍ତଫା ଦେଇଥିବା ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲଙ୍କ ଅନୁମୋଦନ ପରେ ହିଁ ଦେଶର ଦାୟିତ୍ୱ ନେବେ।
୭୨ ବର୍ଷୀୟ ସୁଶୀଳା କାରକି ନେପାଳ ଇତିହାସର ପ୍ରଥମ ମହିଳା ଭାବେ ପ୍ରଧାନ ବିଚାରପତି ପଦ ଅଳଙ୍କୃତ କରିଥିଲେ। ୨୦୧୬ରେ ତତ୍କାଳୀନ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ତାଙ୍କୁ ଏହି ପଦରେ ବସାଇଥିଲେ। ତାଙ୍କୁ ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ଦେବାକୁ ତତ୍କାଳୀନ ପ୍ରଧାନମନ୍ତ୍ରୀ କେପି ଓଲି ଶର୍ମାଙ୍କ କ୍ୟାବିନେଟ ପ୍ରସ୍ତାବ ଦେଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1757508579.jpg)