Advertisment

ବାଂଲାଦେଶର ଅନ୍ତରୀଣ ସରକାର ଚଳାଇବେ ମହମ୍ମଦ ୟୁନୁସ

ବାଂଲାଦେଶର ଅନ୍ତରୀଣ ସରକାର ଚଳାଇବା ପାଇଁ ମହମ୍ମଦ ୟୁନୁସଙ୍କୁ ନେତା ଭାବେ ମନୋନୀତ କରାଯାଇଛି।

author-image
Madhupriya Mistry
Muhammad Yunus

Muhammad Yunus

ବାଂଲାଦେଶରେ ଗତ କିଛି ଦିନ ହେବ ରାଜନୈତିକ ଅସ୍ଥିରତା ମଧ୍ୟରେ ଗଠନ ହେଲା ଅନ୍ତରୀଣ ସରକାର। ଆଉ ଏହାର ନେତୃତ୍ୱ ନେବେ ନୋବେଲ୍ ବିଜେତା ମହମ୍ମଦ ୟୁନୁସ। ଗତକାଲି ତାଙ୍କୁ ବାଂଲାଦେଶର ଅନ୍ତରୀଣ ସରକାର ଚଳାଇବା ପାଇଁ ନେତା ମନୋନୀତ କରାଯାଇଛି।

Advertisment

ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଧିନଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବିରୋଧୀ ଛାତ୍ରମାନେ ମଧ୍ୟବର୍ତ୍ତୀକାଳୀନ ସରକାରର ନେତୃତ୍ୱ ନେବାକୁ ମହମ୍ମଦ ୟୁନୁସଙ୍କୁ ନେତା ଭାବେ ଚୟନ କରିବାକୁ ଦେଇଥିବା ପ୍ରସ୍ତାବକୁ ଗ୍ରହଣ କରାଯାଇଛି। ସଂରକ୍ଷଣ ଆନ୍ଦୋଳନର ନେତୃତ୍ୱ ନେଉଥିବା ଛାତ୍ର ନେତାଙ୍କ ସହ ତିନି ସେନାର ମୁଖ୍ୟ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ। ସେପଟେ ପୂର୍ବରୁ ଦାୟିତ୍ୱ ଦେଲେ ଏହାକୁ ତୁଲାଇବେ ବୋଲି ଘୋଷଣା କରିଥିଲେ ୟୁନୁସ।

'ବ୍ୟାଙ୍କର୍ ଅଫ୍ ଦରିଦ୍ର' ଭାବରେ ଜଣାଶୁଣା ମହମ୍ମଦ ୟୁନୁସ୍ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ଭାବରେ ବିରୋଧ କରୁଥିବା ଛାତ୍ରମାନଙ୍କ ପ୍ରଥମ ପସନ୍ଦ ଥିଲା। ବାଂଲାଦେଶରେ ଗରିବଙ୍କ ବନ୍ଧୁ ଭାବେ ଜଣାଶୁଣା ମହମ୍ମଦ ୟୁନୁସ ଦେଶରେ ଗରିବି ହଟାଇବା ପାଇଁ ବେଶ୍ କାମ କରିଛନ୍ତି। ମାଇକ୍ରୋଫାଇନାନ୍ସ ଜରିଆରେ ନାଗରିକଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ କରିଥିଲେ। ହସିନା ସରକାର କିନ୍ତୁ ତାଙ୍କ ବିରୋଧରେ ଆର୍ଥିକ ହେରଫେର୍ ମାମଲାରେ ଅନେକ ମାମଲା ରୁଜୁ କରିଥିଲେ ।

Advertisment

ମହମ୍ମଦ ୟୁନୁସ କିଏ ?

ମହମ୍ମଦ ୟୁନୁସ ଜଣେ ନୋବେଲ ପୁରସ୍କାର ବିଜେତା। ବାଂଲାଦେଶର ଜଣେ ସାମାଜିକ ଉଦ୍ୟୋଗୀ, ବ୍ୟାଙ୍କର, ଅର୍ଥନୀତିଜ୍ଞ ତଥା ନାଗରିକ ସମାଜର ନେତା ମହମ୍ମଦ ୟୁନୁସ ଜୁନ ୨୮, ୧୯୪୦ରେ ଜନ୍ମଗ୍ରହଣ କରିଥିଲେ। ସେ ଗ୍ରାମୀଣ ବ୍ୟାଙ୍କ ପ୍ରତିଷ୍ଠା କରିଥିଲେ ଏବଂ ମାଇକ୍ରୋ କ୍ରେଡିଟ ଓ ମାଇକ୍ରୋ ଫାଇନାନ୍ସର ଚିନ୍ତାଧାରା ଉଦ୍ଭାବନ କରିଥିଲେ। 

ସେ ଗ୍ରାମାଞ୍ଚଳର ଗରିବ ଲୋକଙ୍କୁ ୧୦୦ଡଲାରରୁ କମ୍ ଋଣ ଯୋଗାଇ ଲକ୍ଷ ଲକ୍ଷ ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିବାରେ ସାହାଯ୍ୟ କରିଥିଲେ। ଯେଉଁଥି ପାଇଁ ତାଙ୍କୁ ୨୦୦୬ରେ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା। 

ୟୁନୁସ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଅନ୍ୟାନ୍ୟ ପୁରସ୍କାର ଜିତିଛନ୍ତି। ୨୦୦୯ରେ ତାଙ୍କୁ ୟୁଏସ ପ୍ରେସିଡେନସିଆଲ ମେଡାଲ ଅଫ ଫ୍ରିଡମରେ ସମ୍ମାନିତ କରାଯାଇଥିଲା। ୨୦୧୦ରେ ତାଙ୍କୁ କଂଗ୍ରେସର ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା।

Bangladesh Muhammad Yunus Bangladesh Violence