/odisha-reporter/media/post_attachments/uploadimage/library/16_9/16_9_0/B_2_1750607059.jpg)
B-2
ଇରାନ ଉପରେ ଆକ୍ରମଣ କରି ତା’ର ୩ଟି ପରମାଣୁ କେନ୍ଦ୍ରକୁ ନଷ୍ଟ କରି ଦେଇଛି ଆମେରିକା। ଶନିବାର ରାତିରେ ହୋଇଥିବା ଏହି ଅପରେସନର କୋଡ୍ନେମ୍ ବା ସାଂକେତି ନାଁ ରଖାଯାଇଥିଲା ‘ଅପରେସନ ମିଡ୍ନାଇଟ୍ ହାମର’। ମାତ୍ର ୨୫ ମିନିଟ୍ରେ ସଫଳତାର ସହିତ ଶେଷ ହୋଇଥିଲା ଅପରେସନ ଏବଂ ଏଥିରେ ଆମେରିକୀୟ ସେନାର କୌଣସି କ୍ଷୟକ୍ଷତି ହୋଇନଥିଲା। ଇରାନ ପକ୍ଷରୁ ସେମାନଙ୍କ ଉପରକୁ କୌଣସି ପ୍ରକାର ଆକ୍ରମଣ ହୋଇନଥିଲା।
ଏହି ଅପରେସନ କେମିତି କରାଯାଇଥିଲା, ସେ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆମେରିକାର ଜଏଣ୍ଟ ଚିଫ୍ସ ଷ୍ଟାଫ୍ ଅଧ୍ୟକ୍ଷ ଜେନେରାଲ ଡାନିଏଲ ଜେ କେନ। ସେ କହିଛନ୍ତି, ଇରାନ ବିରୋଧରେ ଆମେରିକାର ଏହି ସାମରିକ କାର୍ଯ୍ୟାନୁଷ୍ଠାନରେ ୭ଟି ଷ୍ଟିଲ୍ଥ B-2 ବୋମାବର୍ଷଣକାରୀ ଯୁଦ୍ଧବିମାନକୁ ନିୟୋଜିତ କରାଯାଇଥିଲା। ଏହି ଯୁଦ୍ଧବିମାନଗୁଡ଼ିକ ଫୋର୍ଦୋ ଓ ନତାଞ୍ଜର ପରମାଣୁ କେନ୍ଦ୍ରରେ ପ୍ରାୟ ୧୩,୬୦୮ କିଲୋଗ୍ରାମର ବୋମା ପକାଇଥିଲେ। ସେହିପରି ଇସଫହାନ ପରମାଣୁ କେନ୍ଦ୍ରରେ ଟୋମହାକ୍ ମିସାଇଲ ମାଡ଼ କରାଯାଇଥିଲା।
ସେ କହିଛନ୍ତି, ଏହି ଅପରେସନ ପାଇଁ ୧୨୫ଟି ଯୁଦ୍ଧବିମାନକୁ ମୁତୟନ କରାଯାଇଥିଲା। ଇରାନକୁ ଚକମା ଦେବାକୁ ବିଶେଷ କୌଶଳର ବ୍ୟବହାର କରାଯାଇଥିଲା। କିଛି ବୋମା ବର୍ଷଣକାରୀ ଯୁଦ୍ଧ ବିମାନକୁ ପ୍ରଶାନ୍ତ ମହାସାଗରରେ ମୁତୟନ କରାଯାଇଥିଲା। ଯାହାଦ୍ୱାରା ଇରାନ ଯେଉଁ ଦିଗରୁ ଆକ୍ରମଣ ହେବ ବୋଲି ଆକଳନ କରିଥିଲା ତା’ର ବିପରୀତ ଦିଗରୁ ଆକ୍ରମଣ କରାଯାଇଥିଲା।
ମିଜୋରୀ ବେସ୍ରୁ ଉଡ଼ାଣ ଭରିଥିଲେ ୭ଟି ଯାକ ଷ୍ଟିଲ୍ଥ B-2 ବୋମାବର୍ଷଣକାରୀ ଯୁଦ୍ଧବିମାନ। ୨୦୦୨ ସେପ୍ଟେମ୍ବର ୧୧ ଆକ୍ରମଣ ପରେ ଏହା ଥିଲା ବି-୨ର ସବୁଠାରୁ ଲମ୍ବା ମିଶନ। ଭାରତୀୟ ସମୟ ଅନୁସାରେ ଭୋର ପ୍ରାୟ ୪ଟା ବେଳେ ଇରାନରେ ଏହି ଆକ୍ରମଣ ହୋଇଥିଲା ଓ ୨୫ ମିନିଟ୍ ଭିତରେ ୩ଟି ଯାକ ପରମାଣୁ କେନ୍ଦ୍ର ଧ୍ୱଂସ ହୋଇଯାଇଥିଲା।
ଜେନେରାଲ ଡାନିଏଲ ଜେ କେନ କହିଛନ୍ତି, ଆମେରିକା ପକ୍ଷରୁ ଆକ୍ରମଣରେ ଯେଉଁ ଅସ୍ତ୍ରଶସ୍ତ୍ର ବ୍ୟବହାର କରାଯାଇଥିଲା, ସେଥିରେ ୧୪ଟି ବଙ୍କର-ବଷ୍ଟର ବୋମା ରହିଥିଲା। ତା’ ସହିତ ଦୁଇ ଡଜନରୁ ଅଧିକ ଟୋମହାକ୍ ମିସାଇଲ ବ୍ୟବହାର କରାଯାଇଥିଲା। ପ୍ରଥମ ଥର ପାଇଁ ଇରାନ ବିପକ୍ଷରେ ଆମେରିକା ଏଗୁଡ଼ିକୁ ବ୍ୟବହାର କରିଛି। ତେବେ ଏହି ମିଶନରେ ଆମର ପ୍ରମୁଖ ଅସ୍ତ୍ର ଥିଲେ ୭ଟି ଯାକ ଷ୍ଟିଲ୍ଥ B-2 ବୋମା ବର୍ଷଣକାରୀ ଯୁଦ୍ଧବିମାନ। ପ୍ରତ୍ୟେକ ବିମାନରେ ଦୁଇ ଜଣ ଲେଖାଏଁ ପାଇଲଟ ଥିଲେ। ୧୮ ଘଣ୍ଟାର ଉଡ଼ାଣ ପରେ ସେମାନେ ଟାର୍ଗେଟ ସ୍ଥାନରେ ପହଞ୍ଚିଥିଲେ। ବାଟରେ ସେଗୁଡ଼ିକରେ ଏକାଧିକ ଥର ଆକାଶମାର୍ଗରେ ହିଁ ଇନ୍ଧନ ଭର୍ତ୍ତି କରାଯାଇଥିଲା।
ତାଙ୍କ ସୂଚନା ଅନୁସାରେ, ଏହି ଅପରେସନ ବେଶ୍ ଯୋଜନାବଦ୍ଧ ଥିଲା। ଇରାନକୁ ଭୁଆଁ ବୁଲାଇବା ପାଇଁ ଯେମିତି ଯୋଜନା ପ୍ରସ୍ତୁତ ହୋଇଥିଲା, ସେହିଭଳି ୱାଶିଂଟନରେ ମଧ୍ୟ ଖୁବ୍ ଅଳ୍ପ ଲୋକଙ୍କୁ ଏହାର ପ୍ରକାର ଓ ଆକ୍ରମଣର ସମୟ ସଂପର୍କରେ ସୂଚନା ଥିଲା। ଅତି ଅନ୍ତର୍ପଣରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଇଥିଲା ଓ ଏହା ସଫଳ ହୋଇଥିଲା।
ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଆମେରିକାର ପ୍ରତିରକ୍ଷା ସଚିବ ପିଟ ହେଗସଥ କହିଥିଲେ ଯେ ଇରାନର ଆଣବିକ କାର୍ଯ୍ୟକ୍ରମ ସଂପୂର୍ଣ୍ଣ ଭାବେ ମାଟିରେ ମିଶିଯାଇଛି।
ଜୁନ୍ ୧୩ ତାରିଖରେ ଇରାନ ଉପରେ ଇସ୍ରାଏଲ ଆକ୍ରମଣ କରିଥିଲା। ଇରାନ ତା’ର ଆଣବିକ ଅସ୍ତ୍ରଶସ୍ତ୍ର ତିଆରି କରିବାର ଅନ୍ତିମ ଚରଣରେ ପହଞ୍ଚି ସାରିଥିବା ଦର୍ଶାଇ ଇସ୍ରାଏଲ ଆକ୍ରମଣ କରିଥିଲା। ଆଉ ଗତକାଲି ଏଥିରେ ଆମେରିକା ସାମିଲ ହେଲା। ଅବଶ୍ୟ ଆମେରିକା ଆଉ ଆକ୍ରମଣ କରି ନାହିଁ। ଶାନ୍ତି ପ୍ରତିଷ୍ଠା ପାଇଁ ଇରାନକୁ କହିଛି। ଯଦି ଇରାନ ଶାନ୍ତି ପ୍ରତିଷ୍ଠା ପାଇଁ ଆଗେଇ ନଆସେ ତା’ହେଲେ ଆହୁରି ଭୟଙ୍କର ପରିଣାମ ଭୋଗିବ ବୋଲି ଆମେରିକା କହିଛି।
ସୂଚନାଯୋଗ୍ୟ, ବିଶ୍ୱର ସବୁଠୁ ଘାତକ ପରମାଣୁ ବୋମା ବର୍ଷଣକାରୀ ଯୁଦ୍ଧବିମାନ ହେଉଛି B-2। ପକ୍ଷୀ ଭଳି ଦେଖାଯାଉଥିବା ଏହି ଯୁଦ୍ଧବିମାନ ଏକାଥରକେ ୧୬ଟି ପରମାଣୁ ବୋମା ଧରି ଉଡ଼ିବାକୁ ସକ୍ଷମ। ଏକକାଳୀନ ୬ ହଜାର ମାଇଲରୁ ଅଧିକ ଦୂରତା ଯାଏ ଉଡ଼ାଣ କରିପାରିବ। ଏଥିରୁ ନିକ୍ଷେପ ହୋଇଥିବା ଶକ୍ତିଶାଳୀ ବଙ୍କର ବଷ୍ଟର ବୋମା ୨୦୦ ଫୁଟ୍ ପାହାଡ଼କୁ ବି ଭେଦ କରି ପାରିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
