Hamas
ଅସ୍ତ୍ରବିରତି ଲାଗୁ ହେବା ସତ୍ତ୍ୱେ ଗାଜାରେ ସବୁଠାରୁ ବଡ଼ଧରଣର ଆକ୍ରମଣ କରିଛି ଇସ୍ରାଏଲ। ଗାଜାରେ ଇସ୍ରାଏଲର ଘନଘନ ଏୟାର ଷ୍ଟ୍ରାଇକ ଯୋଗୁ ୩୩୦ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଜାନୁଆରୀ ମାସରେ ଇସ୍ରାଏଲ ଓ ହମାସ ମଧ୍ୟରେ ଅସ୍ତ୍ରବିରତି ଲାଗୁ ହୋଇଥିଲା। ସେବେଠାରୁ ଇସ୍ରାଏଲ ଆକ୍ରମଣ ବନ୍ଦ ରଖିଥିଲା। କିନ୍ତୁ ମଙ୍ଗଳବାର ସକାଳେ ଗାଜାର ବିଭିନ୍ନ ସ୍ଥାନରେ ଇସ୍ରାଏଲ ପକ୍ଷରୁ ଏୟାର ଷ୍ଟ୍ରାଇକ ହୋଇଛି।
ଇସ୍ରାଏଲ ସେନା ଗାଜା ସିଟି, ଦୈର ଅଲ ବଲା, ଖାନ ୟୁନିସ ଓ ରାଫା ସମେତ ବିଭିନ୍ନ ସ୍ଥାନରେ ଆକାଶ ପଥରୁ ବୋମା ବର୍ଷଣ କରିଛନ୍ତି। ଏୟାର ଷ୍ଟ୍ରାଇକରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ଅଧିକାଂଶ ଛୋଟ ପିଲା, ମହିଳା ଓ ବରିଷ୍ଠ ନାଗରିକ ରହିଛନ୍ତି। ସେହିପରି ଆବାସିକ ଅଞ୍ଚଳରେ ବୋମା ବର୍ଷଣ ହୋଇଥିବାରୁ ହଜାର ହଜାର ଲୋକ ବାସହୀନ ହୋଇ ପଡ଼ିଥିବା ପାଲେଷ୍ଟାଇନ ସ୍ୱାସ୍ଥ୍ୟ ଅଧିକାରୀମାନେ ମତ ରଖିଛନ୍ତି।
ଇସ୍ରାଏଲ ଆକ୍ରମଣ କରୁଥିବା ବେଳେ ହ୍ୱାଇଟ ହାଉସର ଜଣେ ମୁଖପାତ୍ର ନିଶ୍ଚିତ କରିଥିଲେ ଯେ ହମଲା ପୂର୍ବରୁ ଇସ୍ରାଏଲ ପକ୍ଷରୁ ଏ ସମ୍ପର୍କରେ ଟ୍ରମ୍ପ ପ୍ରଶାସନ ଆଲୋଚନା କରାଯାଇଥିଲା। ହ୍ୱାଇଟ ହାଉସର ପ୍ରେସ ସଚିବ କରୋଲିନ ଲେଭିଟ୍ଟ କହିଛନ୍ତି, “ସୋମବାର ରାତିରେ ଇସ୍ରାଏଲ ଗାଜାରେ କରିଥିବା ଏୟାର ଷ୍ଟ୍ରାଇକ ସମ୍ପର୍କରେ ଟ୍ରମ୍ପ ପ୍ରଶାସନ ଓ ହ୍ୱାଇଟ ହାଉସ ସହ କଥା ହୋଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପୂର୍ବରୁ ହମାସ, ଅନ୍ୟ ଆତଙ୍କୀ ସଂଗଠନ ଓ ଇରାନ ସମର୍ଥିତ ହୁତିକୁ ଆକ୍ରମଣର ଧମକ ଦେଇ ସାରିଥିଲେ। ଧମକ ସତ୍ତ୍ୱେ ସେମାନେ ଆତଙ୍କବାଦୀ କାର୍ଯ୍ୟକଳାପ ଜାରି ରଖିଥିବାରୁ ଇସ୍ରାଏଲ ପକ୍ଷରୁ ଗାଜାରା ଆକ୍ରମଣ କରାଯାଇଛି।”
ଗାଜାରେ ଏବେ ବି ପଣବନ୍ଦୀ ହୋଇ ଥିବା ୫୯ ଜଣଙ୍କୁ ଛାଡ଼ିବା ପାଇଁ ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଆଲୋଚନା ବିଫଳ ହେବା ପରେ ଏପରି ଆକ୍ରମଣ ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟାନହୁଙ୍କ ଅଫିସ ଅଭିଯୋଗ କରିଛି ଯେ ହମାସ ନିୟମିତ ଭାବେ ଆମ ପଣବନ୍ଦୀମାନଙ୍କୁ ଛାଡ଼ିବାକୁ ମନା କରୁଛି। ଆମେରିକା ସମର୍ଥନରେ ଇଜିପ୍ଟ ଓ କତାରର ମଧ୍ୟସ୍ଥତା ସତ୍ତ୍ୱେ ସେମାନେ ପଣବନ୍ଦୀଙ୍କୁ ଛାଡ଼ୁ ନାହାନ୍ତି।
ଏପରି ଅଭିଯୋଗର ଜବାବରେ ହମାସ ପକ୍ଷରୁ ଇସ୍ରାଏଲକୁ ଦୋଷାରୋପ କରାଯାଇଛି। ଇସ୍ରାଏଲ ଏକତରଫା ଭାବେ ଅସ୍ତ୍ରବିରତି ବୁଝାମଣାକୁ ଉଲ୍ଲଙ୍ଘନ କରିଛି ଓ ସ୍ଥିତି ପୁଣି ନିୟନ୍ତ୍ରଣ ବାହାରକୁ ଚାଲିଯିବ ବୋଲି ହମସା ଚେତାବନୀ ଦେଇଛି।
ଜାନୁଆରୀ ୧୯ରେ କତାର ଓ ଇଜିପ୍ଟର ମଧ୍ୟସ୍ଥତା ଯୋଗୁ ଇସ୍ରାଏଲ ଓ ହମସା ମଧ୍ୟରେ ଅସ୍ତ୍ରବିରତି ଲାଗୁ ହୋଇଥିଲା। ବୁଝାମଣା ଅନୁସାରେ ହମାସ ୩୩ ଜଣ ଇସ୍ରାଏଲ ଓ ୫ ଜଣ ଥାଇ ପଣବନ୍ଦୀଙ୍କୁ ମୁକ୍ତ କରିଥିଲା। ଏହା ବଦଳରେ ଇସ୍ରାଏଲ ୨ ହଜାର ପାଲେଷ୍ଟାଇନକୁ ଜେଲରୁ ଛାଡ଼ିଥିଲା। ତେବେ ଇସ୍ରାଏଲ ଅଭିଯୋଗ କରିଥିଲା ଯେ ହମସା ବୁଝାମଣାର ନିୟମକୁ ମାନୁ ନାହିଁ ଓ ଜାଣିଶୁଣି ଚାପ ସୃଷ୍ଟି କରିବା ଲକ୍ଷ୍ୟରେ ଗାଜାରେ ପହଞ୍ଚିବାକୁ ଥିବା ସହାୟତାକୁ ଅଟକାଉଛି। ହମାସର କହିବା କଥା ଯେକୌଣସି ବୁଝାମଣା ଯୁଦ୍ଧର ସ୍ଥାୟୀ ସମାଧାନ ପାଇଁ ହେବା ଦରକାର। ଗାଜାରୁ ଇସ୍ରାଏଲ ସେନାଙ୍କୁ ସଂପୂର୍ଣ୍ଣ ପ୍ରତ୍ୟାହାର କରାଯିବା ଦରକାର। କିନ୍ତୁ ଏହାକୁ ଇସ୍ରାଏଲ ମାନୁ ନଥିବାରୁ ବିବାଦ ଦେଖାଯାଇଛି।
ମଙ୍ଗଳବାର ଏୟାର ଷ୍ଟ୍ରାଇକକୁ ଇସ୍ରାଏଲ ହମାସର ମଧ୍ୟମଧରଣର କମାଣ୍ଡର ଓ ଭିତ୍ତଭୂମି ବିରୋଧରେ କରିଥିବା ସଫେଇ ଦେଇଛି। କିନ୍ତୁ ପାଲେଷ୍ଟାଇନ ସ୍ୱାସ୍ଥ୍ୟ ଅଧିକାରୀ ଓ ସାକ୍ଷୀଙ୍କ କହିବା କଥା ଯେ ସାଧାରଣ ଲୋକଙ୍କ ପ୍ରତିଷ୍ଠାନ ଉପରେ ବୋମା ମାଡ଼ ହୋଇଛି। ଗାଜା ସହରେ ଥିବା ଗୋଟଏ ବଡ଼ ବିଲଡିଂ ଓ ଦୈର ଅଲ ବଲାରେ ଥିବା ଘର ଗୁଡ଼ିକ ଇସ୍ରାଏଲ ଏୟାର ଷ୍ଟ୍ରାଇକର ଛିନଛତ୍ର ହୋଇଯାଇଛି।
କୁହାଯାଉଛି ଯେ ହମାସର ପୁଲିସ୍ ମୁଖ୍ୟ ଓ ଗାଜା ଷ୍ଟ୍ରିପିର ଆଭ୍ୟନ୍ତରୀଣ ସୁରକ୍ଷା ସେବାର ମୁଖ୍ୟ ମହମ୍ମଦ ଅବୁ ୱାଟଫା ଗାଜା ସିଟିରେ ହୋଇଥିବା ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ପ୍ରାଣ ହରାଇଛନ୍ତି। ଇସ୍ରାଏଲ ଡିଫେନ୍ସ ଫୋର୍ସ(ଆଇଡିଏଫ) କହିଛି, ଆଜି ଗାଜା ଷ୍ଟ୍ରିପରେ ଥିବା ହମାସ ଆତଙ୍କବାଦୀ ସଂଗଠନର ଠିକଣା ଗୁଡ଼ିକ ଉପରେ ବ୍ୟାପକ ଏୟାର ଷ୍ଟ୍ରାଇକ କରାଯାଇଛି। ସେହିପରି ଆଗକୁ ମଧ୍ୟ ଆକ୍ରମଣ ଜାରି ରହିବ। ଗାଜାରେ ଥିବା ସମସ୍ତ ସ୍କୁଲ ଗୁଡ଼ିକୁ ବନ୍ଦ ରଖିବାକୁ ଆଇଡିଏଫ ନିର୍ଦ୍ଦେଶ ଦେଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Hamas_1742288012.jpg)