Advertisment

ଭୟଙ୍କର ଭୂକମ୍ପରେ ସବୁ କିଛି ଛାରଖାର: ୬୦୦ରୁ ଅଧିକ ମୃତ, ୧୫୦୦ ଆହତ

ତାଲିବାନ ଶାସିତ ଆଫଗାନିସ୍ତାନରେ ରବିବାର ବିଳମ୍ବିତ ରାତିରେ ହୋଇଥିବା ଭୂକମ୍ପରେ ୬୨୨ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୧୫ଶହରୁ ଅଧିକ ଲୋକ ଆହତ ହୋଇଛନ୍ତି।

Earth quack

Earth quack

Advertisment

ପ୍ରଳୟଙ୍କରୀ ଭୂକମ୍ପରେ ଛାରଖାର ହୋଇଯାଇଛି ଆଫଗାନିସ୍ତାନ। ତାଲିବାନ ଶାସିତ ଆଫଗାନିସ୍ତାନରେ ରବିବାର ବିଳମ୍ବିତ ରାତିରେ ହୋଇଥିବା ଭୂକମ୍ପରେ ୬୨୨ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୧୫ଶହରୁ ଅଧିକ ଲୋକ ଆହତ ହୋଇଛନ୍ତି। ଶତାଧିକ ଘର ଭୁଶୁଡ଼ି ପଡ଼ିଥିବା ବେଳେ ରାସ୍ତାଘାଟ ଫାଟି ଆଁ କରିଛି। ଏବେ ଧ୍ୱଂସାବଶେଷ ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଜୋରସୋରରେ ଉଦ୍ୟମ କରାଯାଉଛି।

Advertisment

ନ୍ୟାଶନାଲ ସେଣ୍ଟର ଫର ସେଇସମୋଲୋଜି ବା ଏନଏସ୍‌ସିର ସୂଚନା ଅନୁଯାୟୀ, ଭାରତୀୟ ସମୟ ରାତି ୧୨.୪୭ ଓ ସ୍ଥାନୀୟ ସମୟ ୧୧.୪୭ରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହା ତୀବ୍ରତା ୬.୦ ରେକର୍ଡ କରାଯାଇଛି। ପୂର୍ବ ଆଫଗାନିସ୍ତାନରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିବା ବେଳେ ଏହା ଭୂପୃଷ୍ଠରୁ ୧୬୦ କିମି ଗଭୀରରେ ସୃଷ୍ଟି ହୋଇଥିଲା।

ଭୂକମ୍ପର ପ୍ରଭାବ ପାକିସ୍ତାନ ଓ ଉତ୍ତରପୂର୍ବ ଭାରତର କିଛି ସ୍ଥାନରେ ଅନୁଭୂତ ହୋଇଛି। ୬.୦ ତୀବ୍ରତା ପରେ ଆଉ କିଛି ଝଟକା ଅନୁଭବ ହୋଇଛି। ସେଗୁଡ଼ିକର ତୀବ୍ରତା ଯଥାକ୍ରମେ ୪.୭, ୪.୩୦, ୫.୦ ଓ ୫.୦ ରେକର୍ଡ କରାଯାଇଛି। ଏଥିଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି।

Advertisment

ଭୂକମ୍ପ ଯୋଗୁ ଆଫଗାନିସ୍ତାନର କୁନାର ପ୍ରଦେଶରେ ଥିବା ୩ଟି ଗାଁ ସଂପୂର୍ଣ୍ଣ ମାଟିରେ ମିଶି ଯାଇଛି। ଅନ୍ୟ ଗାଁଗୁଡ଼ିକ ମଧ୍ୟ କ୍ଷୟକ୍ଷତିର ସମ୍ମୁଖୀନ ହୋଇଥିବା ଆଫଗାନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ମନ୍ତ୍ରଣାଳୟର ମୁଖପାତ୍ର ଶରାଫତ ଜମାଣ କହିଛନ୍ତି, “ଗାଁଗୁଡ଼ିକରେ ଘର ଦ୍ୱାର ଭୁଶୁଡ଼ି ପଡ଼ିଥିବାରୁ ଅନେକ ଲୋକ ଏହା ତଳେ ଚାପି ହୋଇ ରହିଛନ୍ତି। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି।”

କୁନାର ପ୍ରଦେଶର ମୁଖ୍ୟ ନଜିବୁଲ୍ଲା ହନିଫ ୨୫୦ ଜଣ ପ୍ରାଣ ହରାଇଥିବା ବେଳେ ୫୦୦ରୁ ଅଧିକ ଲୋକ ଆହତ ହୋଇଥିବା ନିଶ୍ଚିତ କରିଛନ୍ତି। କେବଳ ଗୋଟିଏ ଗାଁରେ ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସେ କହିଛନ୍ତି। ଏହି ପ୍ରଦେଶରେ ଅଧିକାଂଶ ଘର ମାଟି ଓ ପଥରରେ ତିଆରି ହୋଇଥିଲା। ଭୂକମ୍ପ ଯୋଗୁ ସେସବୁ ଭୁଶୁଡ଼ି ପଡ଼ିଛି।

ଆଫଗାନିସ୍ତାନ ଭୟଙ୍କର ଭୂକମ୍ପରେ ଛାରଖାର ହୋଇଯାଇଥିଲେ ହେଁ ତାଲିବାନ ଶାସିତ ଏହି ଦେଶକୁ ଏଯାଏ କୌଣସି ବିଦେଶ ରାଷ୍ଟ୍ର ବିଧିବଦ୍ଧ ଭାବେ ସହାୟତାର ହାତ ବଢ଼ାଇ ନାହାନ୍ତି। ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତ, “ଏଯାଏ କୌଣସି ବିଦେଶୀ ରାଷ୍ଟ୍ର ଆମ ସହ ଯୋଗାଯୋଗ କରି ନାହାନ୍ତି। କେହି ବି ଉଦ୍ଧାର କିମ୍ବା ରିଲିଫ ସହାୟତାର ଘୋଷଣା କରି ନାହାନ୍ତି।”

ବିଦେଶୀ ରାଷ୍ଟ୍ର ସହାୟତା କରି ନଥିବା ବେଳେ ଆଫଗାନ ସରକାର ନିଜ କ୍ଷମତା ଅନୁସାରେ ଲୋକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ପହଞ୍ଚାଉଛନ୍ତି। ଉଦ୍ଧାର କାର୍ଯ୍ୟରେ ହେଲିକପ୍ଟରର ବ୍ୟବହାର ମଧ୍ୟ କରାଯାଇଛି। ଆଫଗାନିସ୍ତାନ ମାନବୀୟ ସଙ୍କଟର ସମ୍ମୁଖୀନ ହେଉଥିବା ବେଳେ ଅଧିକାଂଶ ଲୋକ ଦେଶ ଛାଡ଼ି ଅନ୍ୟତ୍ର ଚାଲି ଯାଉଛନ୍ତି। ଏପରି ସ୍ଥିତିରେ ଭୂକମ୍ପ ସ୍ଥିତିକୁ ଆହୁରି ଭୟଙ୍କର କରିଛି।

Afganistan Earthquake
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe