ଅସିମ ମୁନିର
ଅପରେସନ ସିନ୍ଦୂର ଠାରୁ ଆରମ୍ଭ କରି ସବୁ ସାମରିକ ବିବାଦ ଓ କ୍ରିକେଟରେ ଭାରତ ଆଗରେ ଆଣ୍ଠଉଥିବା ପାକିସ୍ତାନ ବାହସ୍ଫୋଟ ମାରିବାରେ ବେଶ ଓସ୍ତାଦ। ବାରମ୍ବାର ଭାରତ ଠାରୁ ମାତ ଖାଇ ମଧ୍ୟ ପାକିସ୍ତାନ ସୁଧୁରୁ ନାହିଁ। ଅପରେସନ ସିନ୍ଦୂରରେ ଭାରତ ଠାରୁ ମାତ ଖାଇ ଅସ୍ତ୍ରବିରତି ପାଇଁ ନେହୁରା ହୋଇଥିବା ପାକିସ୍ତାନ ଅଲାଜୁକଙ୍କ କଥା କହିବା ଜାରି ରଖିଛି।
ମେ’ ମାସର ସାମରିକ ବିବାଦରେ ପାକିସ୍ତାନ ତଥାକଥିତ ବିଜୟ ଉତ୍ସବ ପାଳି ଥିଲା। ଭାରତର ପ୍ରଚଣ୍ଡ ଜବାବର ମୁକାବିଲା କରିବାରେ ବିଫଳ ହୋଇଥିବା ପାକିସ୍ତାନର ସ୍ଥଳ ସେନା ମୁଖ୍ୟ ଜେନେରାଲ ଆସିମ ମୁନିର ପୁଣି ନୂଆଦିଲ୍ଲୀଙ୍କୁ ଫମ୍ପା ଧମକ ଦେଇଛନ୍ତି। ପରାଜୟ ସତ୍ତ୍ୱେ ଫିଲ୍ଡ ମାର୍ଶଲ ପଦକୁ ପଦୋନ୍ନତି ପାଇଥିବା ମୁନିର ଭାରତ ବିରୋଧରେ ଆଣବିକ ବିଷ ଉଗାରିଛନ୍ତି। ଭାରତକୁ ସେ ଖୋଲା ଧମକ ଦେଇ ଉସକାଇବାକୁ ଚେଷ୍ଟା କରିଛନ୍ତି।
ପାକିସ୍ତାନ ଏବେ ଆଫଗାନିସ୍ତାନର ସାଧାରଣ ଲୋକଙ୍କ ଉପରେ ବୋମା ବର୍ଷଣ କରୁଛି। ହେଲେ ମୁନିର ଏଥିରୁ ଧ୍ୟାନଚ୍ୟୁତ କରିବା ପାଇଁ ଭାରତ ବିରୋଧରେ ବୟାନ ରଖିଛନ୍ତି। ସେ ଦାବି କରିଛନ୍ତି ଯେ ଇସଲମାବାଦର ସାମରିକ କ୍ଷମତା ବେଶ ବୃଦ୍ଧି ପାଇଛି। ଏଥର ପାକିସ୍ତାନର ଅସ୍ତ୍ର ଭାରତର ଭୌଗଳିକ ସ୍ଥିତିକୁ ସଂପୂର୍ଣ୍ଣ ଭାବେ ବଦଳାଇ ଦେବ।
କାକୁଲରେ ଥିବା ପାକିସ୍ତାନ ମିଲିଟାରୀ ଏକାଡେମୀ(ପିଏମଏ)ରେ ଆୟୋଜିତ ପାସିଂ ଆଉଟ ପ୍ୟାରେଡରେ ମୁନିର ଦାବି କରିଛନ୍ତି ଯେ ଆଣବିକ ପରବେଶରେ ଯୁଦ୍ଧର କୌଣସି ସ୍ଥାନ ନାହିଁ। କିନ୍ତୁ ଏହାର ପରବର୍ତ୍ତୀ ବାକ୍ୟରେ ସେ ସାମାନ୍ୟ ଉତ୍ତେଜନା ସୃଷ୍ଟି କଲେ ପାକିସ୍ତାନ ଗୋଟିଏ ଭୟଙ୍କର ଓ କେହି ଆଶା କରି ନଥିବା ଜବାବ ଦେବାକୁ ପଛାଇବ ନାହିଁ। ଏହାର ପରିଣାମ ଅତ୍ୟନ୍ତ ଭୟଙ୍କର ଓ ସମସ୍ତଙ୍କ ପରିକଳ୍ପନା ଠାରୁ ଯଥେଷ୍ଟ ଅଧିକ ରହିବ ବୋଲି ଚେତାବନୀ ଦେଇଛନ୍ତି।
ମୁନିର ଭାରତର ନାଁ ନେଇ କହିଛନ୍ତି ଯେ “ପାକିସ୍ତାନ ପାଖରେ ଥିବା ଅସ୍ତ୍ର ଭାରତର ଭୂଗୋଳକୁ ବଦଳାଇ ଦେବ। ଛୋଟ ଧରଣର ଉତ୍ତେଜନା ସୃଷ୍ଟି କଲେ ମଧ୍ୟ ଏହାର ଜବାବ ଏତେ ଭୟଙ୍କର ହେବ ଯେ ଭାରତ କେବେ ହେଲେ ଭୁଲି ପାରିବ ନାହିଁ। ମୁଁ ଭାରତୀୟ ସେନାକୁ ପରାମର୍ଶ ଓ ଚେତାବନୀ ଦେବାକୁ ଚାହୁଁଛି ଯେ ଦୁଇ ପରମାଣୁ ରାଷ୍ଟ୍ର ମଧ୍ୟରେ ଯୁଦ୍ଧର କୌଣସି ସ୍ଥାନ ନାହିଁ।
ଅନ୍ତର୍ଜାତୀୟ ନିୟମ ଅନୁସାରେ ପ୍ରମୁଖ ପ୍ରସଙ୍ଗର ସମାଧାନ ପାକିସ୍ତାନ ସହ ଆଲୋଚନା କରି ସମାଧାନ କରାଯାଉ। ଆଲୋଚନା ପରସ୍ପରର ସମ୍ମାନ ଓ ସହମତିରେ ହେବା ଦରକାର। ଆମେ ତୁମମାନଙ୍କ ଉତ୍ତେଜନା ସୃଷ୍ଟିକାରୀ ବୟାନ ଦ୍ୱାରା ଆଦୌ ଡରିବୁ ନାହିଁ। ତୁମର ଯେକୌଣସି ଛୋଟ ଧରଣର ଉତ୍ତେଜନା ସୃଷ୍ଟିକାରୀ ପଦକ୍ଷେପର ଦୃଢ଼ ଜବାବ ଦେବୁ।
ଆଗକୁ କୌଣସି ବିବାଦୀୟ ପରିସ୍ଥିତି ସୃଷ୍ଟି କଲେ ପାକିସ୍ତାନ ଆକଳନ ଠାରୁ ଦୃଢ଼ ଜବାବ ଦେବ। ଆମ ଘାତକ ଅସ୍ତ୍ର ଭାରତର ଭୌଗଳିକ ସ୍ଥିତିକୁ ସଂପୂର୍ଣ୍ଣ ଭାବେ ବଦଳାଇ ଦେବ। ଉଭୟ ସାମରିକ ଓ ଅର୍ଥନୀତିକ କ୍ଷତି ଆଶା ଠାରୁ ଅଧିକ ହେବ। ଏବେ ପୂରା ଅଞ୍ଚଳର ଶାନ୍ତି ଭାରତ ଉପରେ ନିର୍ଭର କରେ।”
ଭାରତ ବିରୋଧରେ ଏପରି ବୟାନ ଦେବା ମୁନିରଙ୍କ ପାଇଁ ନୂଆ ନୁହେଁ। ଆଫଗାନିସ୍ତାନ ଉପରେ ହମଲା କରିବା ପରେ ତାଲିବାନ ପକ୍ଷରୁ ଏହାର ଦୃଢ଼ ଜବାବ ଦିଆଯାଇଛି। ତାଲିବାନର ଘନଘନ ଆକ୍ରମଣ ଯୋଗୁ ପାକିସ୍ତାନ ସେନା ଚାପରେ ରହିଛି।
ପାକିସ୍ତାନୀ ମଧ୍ୟ ସେନାର ପାରିପାରିବା ପଣିଆ ଉପରେ ମଧ୍ୟ ପ୍ରଶ୍ନ ଉଠାଇବାରେ ଲାଗିଛନ୍ତି। ଏଥିରୁ ଧ୍ୟାନ ହଟାଇବା ପାଇଁ ମୁନିର ଜାଣିଶୁଣି ଭାରତ ବିରୋଧରେ ମତ ଦେଇ ପ୍ରସଙ୍ଗ ବଦଳାଇବାକୁ ଚେଷ୍ଟା କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/10/18/munir-2025-10-18-16-36-54.jpg)