Pakistan
ପାକିସ୍ତାନକୁ ଏବେ ବେହାଲ କରିଛି ଭୟଙ୍କର ବନ୍ୟା। ପ୍ରାୟ ହଜାରେ ଲୋକ ବନ୍ୟାରେ ପ୍ରାଣ ହରାଥିବା ବେଳେ ଅନେକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଲକ୍ଷାଧିକ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ବନ୍ୟା ମୁକାବିଲାରେ ସରକାର ବିଫଳ ହୋଇଥିବାରୁ ସରକାରଙ୍କ ବିରୋଧରେ ସ୍ୱର ବି ତୀବ୍ର ହେଉଛି।
ଏପରି ସ୍ଥିତିରେ ଲୋକଙ୍କୁ ସହାୟତା କରିବା ବଦଳରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ଆସିଫ ବନ୍ୟା ସ୍ଥିତିର ମୁକାବିଲା ପାଇଁ ହାସ୍ୟାସ୍ପଦ ପରାମର୍ଶ ଦେଇଛନ୍ତି। ତାଙ୍କ କହିବା କଥା ଯେ ତଳିଆ ଅଞ୍ଚଳରେ ରହୁଥିବା ପାକିସ୍ତାନୀ ବନ୍ୟା ଜଳକୁ ଡ୍ରେନକୁ ଛାଡ଼ିବା ବଦଳରେ ନିଜ ଘରେ ଡ୍ରମ ଓ ଟପରେ ଗଚ୍ଛିତ କରି ରଖନ୍ତୁ। ଏଥିସହ ବନ୍ୟାକୁ ଲୋକମାନେ ବିପର୍ଯ୍ୟୟ ବଦଳରେ ଆଶୀର୍ବାଦ ଭାବେ ଦେଖନ୍ତୁ ବୋଲି ସେ କହିଛନ୍ତି।
ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଲଗାଣ ବର୍ଷା ଯୋଗୁ ଭୟଙ୍କ ବନ୍ୟା ସୃଷ୍ଟି ହୋଇଛି। ୨.୪ ନିୟୁତ ଲୋକ ଏଥିରେ ପ୍ରଭାବିତ ହୋଇଥିବା ବେଳେ ହଜାର ହଜାର ଗାଁ ପାଣିରା ବୁଡ଼ି ରହିଛି। ଏସବୁ ଭିତରେ ପାକିସ୍ତାନର ଗୋଟିଏ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ଆସିଫ କହିଛନ୍ତି, “ଯେଉଁ ଲୋକମାନେ ବନ୍ୟା ଭଳି ସ୍ଥିତି ବିରୋଧରେ ବିକ୍ଷୋଭ କରୁଛନ୍ତି, ସେମାନେ ବନ୍ୟା ଜଳକୁ ନିଜ ଘରେ ଗଚ୍ଛିତ କରି ରଖନ୍ତୁ। ଲୋକମାନେ ବନ୍ୟା ଜଳକୁ ନିଜ ଘରେ ଡ୍ରମ ଓ ଟପରେ ଗଚ୍ଛିତ କରି ରଖି ପାରିବେ। ଏହି ପାଣିକୁ ଆମେ ଆଶୀର୍ବାଦ ଭାବେ ଦେଖିବା ଦରକାର ଓ ଏହାକୁ ସଂରକ୍ଷିତ କରିବା ଉଚିତ।”
ଆସିଫ ଆହୁରି ପ୍ରସ୍ତାବ ଦେଇଛନ୍ତି ଯେ ପାକିସ୍ତାନ ଛୋଟ ଡ୍ୟାମ ନିର୍ମାଣ କରିବା ଦରକାର। କାରଣ ଏହାର କାମ ଶୀଘ୍ର ସରିବ। ମେଗା ପ୍ରକଳ୍ପ ପାଇଁ ୧୦ରୁ ୧୫ ବର୍ଷ ଅପେକ୍ଷା କରିବା ବଦଳରେ ଛୋଟ ଡ୍ୟାମ ଭଲ। ଆମେ ଏବେ ପାଣିକୁ ଡ୍ରେନକୁ ଛାଡ଼ି ଦେଉଛୁ। ଏହାକୁ ଯେମିତି ହେଲେ ସଂରକ୍ଷଣ କରାଯିବା ଉଚିତ ବୋଲି ଆସିଫ କହିଛନ୍ତି।
ପାକିସ୍ତାନର ବନ୍ୟା ସ୍ଥିତି
ପାକିସ୍ତାନର ପଞ୍ଜାବ ପ୍ରଦେଶରେ ରେକର୍ଡ ବର୍ଷା ପରେ ଦେଖାଯାଇଥିବା ପ୍ରଳୟଙ୍କରୀ ବନ୍ୟା ଦ୍ୱାରା ୨୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ବନ୍ୟା ଓ ଲଗାଣ ବର୍ଷା ଯୋଗୁ ଜୁନ ୨୬ରୁ ଅଗଷ୍ଟ ୩୧ ମଧ୍ୟରେ ୮୫୪ ଜଣ ପାକିସ୍ତାନୀ ପ୍ରାଣ ହରାଇଥିବା ବେଳେ ୧୧ଶହରୁ ଅଧିକ ଲୋକ ଆହତ ହୋଇଛନ୍ତି।
ମଙ୍ଗଳବାର ସୁଦ୍ଧା ଚେନାବ ନଦୀରେ ଆସିଥିବା ବନ୍ୟା ପାଣି ପଞ୍ଜାବର ମୁଲତାନ ଜିଲ୍ଲାରେ ପ୍ରବେଶ କରିଛି। ସେପ୍ଟେମ୍ବର ୫ ବେଳକୁ ପଞ୍ଜାବରେ ଥିବା ପଞ୍ଜନାଦର ଜଳ ମଧ୍ୟ ବିପଦ ସଙ୍କେତ ପାର କରିବ। ସୁତଲେଜର ଜଳ ମଧ୍ୟ ବଢ଼ିବାରେ ଲାଗିଛନ୍ତି। ଆଗକୁ ଆହୁରି ବର୍ଷାର ଆଶଙ୍କା ଥିବାରୁ ସ୍ଥିତି ଭୟଙ୍କର ହୋଇପାରେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Pakistan_1756810861.jpg)