/odisha-reporter/media/media_files/2026/03/05/asif-2026-03-05-16-43-53.jpg)
ଗିରଫ ପାକିସ୍ତାନୀ
ଆମେରିକାର ଶୀର୍ଷ ରାଜନେତାମାନଙ୍କ ହତ୍ୟା ଯୋଜନା ଅଭିଯୋଗରେ ଗିରଫ ହୋଇଥିବା ଜଣେ ପାକିସ୍ତାନ(Pakistan) ନାଗରିକ ବିସ୍ଫୋରକ ବୟାନ ରଖିଛନ୍ତି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଥିବା ବେଳେ ପାକିସ୍ତାନୀ ନାଗରିକ ଜଣଙ୍କ ସମସ୍ତଙ୍କୁ ଚକିତ କରିବା ଭଳି ବୟାନ ଦେଇଛନ୍ତି।
ତାଙ୍କ କହିବା କଥା ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ ଓ ଆମେରିକାର ପୂର୍ବତନ ରାଷ୍ଟ୍ରଦୂତ ନିକ୍କି ହେଲୀଙ୍କୁ ହତ୍ୟା କରିବା ପାଇଁ ଇରାନ ଗୁଇନ୍ଦା ବିଭାଗ ତାଙ୍କୁ ନିଯୁକ୍ତି ଦେଇଥିଲା। ୪୭ ବର୍ଷୀୟ ପାକିସ୍ତାନୀ ଆସିଫ ମର୍ଚାଣ୍ଟ ବୁଧବାର ବ୍ରୁକଲିନ ଫେଡରାଲ କୋର୍ଟ ରୁମରେ ଏପରି ତଥ୍ୟ ଉପସ୍ଥାପନ କରିଛନ୍ତି।
ଆସିଫ କହିଛନ୍ତି ଯେ ତାଙ୍କ ପରିବାରକୁ ହତ୍ୟା କରିବାର ଧମକ ମିଳିଥିଲା। ଏଥିପାଇଁ ଇରାନୀୟ ଗୁଇନ୍ଦା ଅଧିକାରୀଙ୍କ କଥାରେ ରାଜି ହେବା ଛଡ଼ା ତାଙ୍କ ପାଖରେ ଆଉ କୌଣସି ବିକଳ୍ପ ନଥିଲା ବୋଲି ଆସିଫ ଦାବି କରିଛନ୍ତି।
ଆସିଫ ହତ୍ୟା ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଦୁଇ ଜଣ ତଥାକଥିତ ସୁପାରି କିଲରଙ୍କୁ ବୁଝିଥିଲେ। କିନ୍ତୁ ସେ ବୁଝିଥିବା ୨ ଜଣଙ୍କ ଯାକ ଏଫବିଆଇର ଅଣ୍ଡର କଭର ଏଜେଣ୍ଟ ଥିଲା। ହତ୍ୟାକାଣ୍ଡକୁ ସଫଳ ରୂପ ଦେବା ପାଇଁ ଆସିଫ ସେମାନଙ୍କୁ ମାତ୍ର ୪.୬ ଲକ୍ଷ ଟଙ୍କା ଦେଇଥିଲେ। ହେଲେ ତାଙ୍କର ସବୁ ଖେଳର ପର୍ଦ୍ଦାଫାସ ହୋଇଯିବାରୁ ସେ ଆମେରିକାରେ ଗିରଫ ହୋଇଛନ୍ତି।
ନିଜକୁ ଜଣେ ପୂର୍ବତନ ବ୍ୟାଙ୍କର ଭାବେ ପରିଚୟ ଦେଇ ଆସିଫ କହିଛନ୍ତି ଯେ ସେ ଏକଦା କଦଳୀ ବ୍ୟବସାୟ କରୁଥିଲେ ହେଁ ଏହା ଭୁଶୁଡ଼ି ପଡ଼ିଥିଲା। ୨୦୨୪ ଏପ୍ରିଲ ମାସରେ ଜଣେ ଇରାନୀୟ ହ୍ୟାଣ୍ଡେଲର ତାଙ୍କୁ ଯୋଗାଯୋଗ କରିଥିଲେ ଓ କିଛି ଲୋକଙ୍କୁ ମାରିବା ପାଇଁ ତାଙ୍କୁ ଆମେରିକା ଗସ୍ତ କରିବାକୁ ପଡ଼ିବ ବୋଲି ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ଅବସ୍ଥାରେ ହ୍ୟାଣ୍ଡେଲର ଜଣଙ୍କ ତାଙ୍କୁ ଟ୍ରମ୍ପ, ବାଇଡେନ ଓ ହେଲୀଙ୍କୁ ସମ୍ଭାବ୍ୟ ଟାର୍ଗେଟ ବୋଲି ଜଣାଇଥିଲେ।
ହତ୍ୟା ମସୁଧା ବେଳେ ୨୦୨୪ ଆମେରିକା ରାଷ୍ଟ୍ରପତି ଦୌଡ଼ରେ ଟ୍ରମ୍ପ ଓ ବାଇଡେନ ରହିଥିଲେ। ହେଲୀ କେବଳ ମାସକ ପୂର୍ବରୁ ରାଷ୍ଟ୍ରପତି ଦୌଡ଼ରୁ ଓହରିଥିଲେ।
ଆତଙ୍କବାଦ ଓ ହତ୍ୟା ପାଇଁ ସୁପାରି କିଲର ଯୋଗାଡ଼ କରିବା ଅଭିଯୋଗରେ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି ଆସିଫ। ୨୦୨୪ ଅଗଷ୍ଟରେ ତାଙ୍କୁ ଗିରଫ କରାଯାଇଥିଲେ ହେଁ ସେ ଏଯାଏ ନିଜ ଦୋଷକୁ ସ୍ୱୀକାର କରିନାହାନ୍ତି।
ଇରାନୀୟ ଅପରେଟିଭସଙ୍କ ସେ ସ୍ୱେଚ୍ଛାକୃତ ଭାବେ ବିଳମ୍ବିତ ୨୦୨୨ ଓ ୨୦୨୩ ଆରମ୍ଭରୁ କାମ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ଇରାନକୁ ଆସିଫ ଟଙ୍କା ଲଣ୍ଡରିଂରେ ସହାୟତା କରୁଥିଲେ।
ଆସିଫଙ୍କ କହିବା କଥା ଯେ ତାଙ୍କ ହ୍ୟାଣ୍ଡେଲର ହେଉଛନ୍ତି ମେହର୍ଦାଦ ୟୁସେଫ। ତାଙ୍କ ଇସାରାରେ ସେ କାମ କରୁଥିଲେ। କିନ୍ତୁ କିଛି ମାସ ପରେ ମେହର୍ଦାଦ ତରଙ୍କୁ ହତ୍ୟାକୁ କାର୍ଯ୍ୟକାରୀ କରିବା ସହ ସାର୍ବଜନୀନ ହୋଇ ନଥିବା କିଛି ଦସ୍ତାବିଜ ହାସଲ କରିବାକୁ କହିଥିଲେ।
ମେହର୍ଦାଦଙ୍କୁ ଆସିଫ ଇରାନର ରେଭ୍ୟୁଲେସନାରୀ ଗାର୍ଡ କ୍ରପ୍ସର ସଦସ୍ୟ ବୋଲି କହିଛନ୍ତି। ଇରାନରେ ରହୁଥିବା ଆସିଫଙ୍କ ପରିବାର ଲୋକଙ୍କୁ କ୍ଷତି ପହଞ୍ଚାଇବାର ଧମକ ଦେଇ ସେ ହତ୍ୟା ଷଡ଼ଯନ୍ତ୍ରକୁ କାର୍ଯ୍ୟକାରୀ କରିବାକୁ ଚାହୁଁଥିଲେ।
ଆସିଫଙ୍କ କହିବା କଥା ଯେ ପାକିସ୍ତାନରେ ଥିବା ତାଙ୍କର ପତ୍ନୀ ଓ ୩ ପିଲାଙ୍କ ପ୍ରତି କୌଣସି ବିପଦ ନଥିଲା। କିନ୍ତୁ ଇରାନରେ ଥିବା ତାଙ୍କର ଆଉ ଜଣେ ପତ୍ନୀ ଓ ଝିଅଙ୍କୁ ମେହର୍ଦାଦ ଧମକ ଦେଇ ଚାଲିଥିଲେ।
ଆସିଫ ଦାବି କରିଛନ୍ତି ଯେ ମେହର୍ଦାଦ ଏକଦା ବିନା ସୂଚନାରେ ତାଙ୍କ ଘର ପାଖରେ ପହଞ୍ଚିଥିଲେ ଓ ଆଲୋଚନା ବେଳେ ନିଜ ପାଖରେ ଥିବା ଅସ୍ତ୍ର ଦେଖାଇ ଭୟଭୀତ କରାଇଥିଲେ। ଜୁରୀଙ୍କୁ ଆସିଫ କହିଛନ୍ତି, “ମୋ ପରିବାର ବିପଦରେ ଥିଲା। ତେଣୁ ମୋତେ ଏସବୁ କରିବାକୁ ପଡ଼ିଥିଲା।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
