/odisha-reporter/media/post_attachments/uploadimage/library/16_9/16_9_0/PM_1748335823.jpg)
PM
ଅପରେସନ ସିନ୍ଦୂରରେ ଘାଇଲା ହୋଇ ଭାରତ ବିରୋଧରେ ମିଛର ବଜାର ଖୋଲିଥିବା ପାକିସ୍ତାନ ଏବେ ବିଭିନ୍ନ ଦେଶ ବୁଲିବୁଲି ସମର୍ଥନ ହାସଲ କରିବାକୁ ଉଦ୍ୟମ କରୁଛି। ଭାରତୀୟ ସେନାର ଆକ୍ରମଣ ଯୋଗୁ ଦୋହଲି ଯାଇଥିବା ପାକିସ୍ତାନ ପ୍ରଥମେ ମୁହଁ ଫୁଟାଣି ମାରୁ ଥିଲା। ଭାରତ ବିରୋଧରେ ତଥାକଥିତ ବିଜୟର ଡେଙ୍ଗୁରା ପିଟୁଥିଲା। ମିଛି ଫଟୋ ଜରିଆରେ ବୀରତା ଦେଖାଇବାକୁ ଚେଷ୍ଟା କରି ଲୋକହସା ହୋଇଥିବା ପାକିସ୍ତାନର ମୁହଁ ଫୁଟାଣି ଭାଙ୍ଗିଛି।
ଭାରତକୁ ନାଲି ଆଖି ଦେଖାଉଥିବା ପାକିସ୍ତାନ ଏବେ ଇରାନକୁ ନୂଆଦିଲ୍ଲୀକୁ ଶାନ୍ତି ଆଲୋଚନାର ପ୍ରସ୍ତାବ ଦେଇଛି। ଅବଶ୍ୟ ପାକିସ୍ତାନର ଏହା ଲୋକ ଦେଖାଣିଆ କାମ। କିନ୍ତୁ ଇରାନର ସମର୍ଥନ ହାସଲ କରିବା ପାଇଁ ପାକିସ୍ତାନ ସରକାର ଭାରତ ସହ ଆଲୋଚନା ଚାହୁଁଥିବା ଜଣାଇବାକୁ ଚେଷ୍ଟା କରିଛି।
ଇରାନ ଗସ୍ତରେ ଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଭାରତ ସହ ଶାନ୍ତି ଆଲୋଚନା କରିବାକୁ ରାଜି ଥିବା କହିଛନ୍ତି। ଦୁଇ ପଡ଼ୋଶୀ ରାଷ୍ଟ୍ର ମଧ୍ୟରେ କଶ୍ମୀର, ଆତଙ୍କବାଦ, ଜଳ ଭାଗବଣ୍ଟା ଓ ବାଣିଜ୍ୟ ସମେତ ସମସ୍ତ ପ୍ରସଙ୍ଗରେ ଆଲୋଚନା ହେବା ଦରକାର ବୋଲି ଶରିଫ ମତ ରଖିଛନ୍ତି।
ପହଲଗାମ ନରସଂହାର ପରେ ଦୁଇ ଦେଶ ମଧ୍ୟରେ ବିବାଦ ଚରମସ୍ଥିତିରେ ପହଞ୍ଚିଥିଲା। ଏହା ପରେ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ଲାଗୁ ହୋଇଛି। ଅସ୍ତ୍ରବିରତି ଲାଗୁ ହେବା ପରେ ଶରିଫ ଶାନ୍ତି ଆଲୋଚନାର ପ୍ରସ୍ତାବ ଦେଇଛନ୍ତି।
ସେ କହିଛନ୍ତି, “ଆମେ କଶ୍ମୀର ଠାରୁ ଆରମ୍ଭ କରି ଜଳ ସମେତ ସମସ୍ତ ବିବାଦର ସମାଧାନ ଚାହୁଁଛୁ। ବୁଝାମଣା ଭିତ୍ତିରେ ଏହାର ସମାଧାନ ହେବା ଦରକାର। ଆମେ ଆମ ପଡ଼ୋଶୀ ସହ ବାଣିଜ୍ୟ ଓ ଆତଙ୍କବାଦ ପ୍ରସଙ୍ଗରେ ମଧ୍ୟ କଥା ହେବାକୁ ପ୍ରସ୍ତୁତ।”
ଖାମେନିଙ୍କ ସହ ବୈଠକ କରିବା ପରେ ଶରିଫ ଇରାନ ରାଷ୍ଟ୍ରପତି ମାସୌଦ ପେଜେଶକିଆନଙ୍କ ସହ ଯୁଗ୍ମ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମୟରେ ଭାରତ ସହ ନିକଟରେ ସୃଷ୍ଟି ହୋଇଥିବା ବିବାଦ ସମ୍ପର୍କରେ ମତ ରଖିଥିଲେ। ଗୋଟିଏ ପଟେ ଶରିଫ ଶାନ୍ତି ଆଲୋଚନା ଚାହୁଁଥିବା ବେଳେ ଅନ୍ୟପଟେ ମିଛ କହିବାକୁ ମଧ୍ୟ ଭୁଲି ନାହାନ୍ତି। ଭାରତୀୟ ସେନାର ଅପରେସନ ସିନ୍ଦୂରରେ ପାକିସ୍ତାନ ଆଣ୍ଠେଇଥିଲେ ହେଁ ସଫଳତାର ସହ ଏହାର ମୁକାବିଲା କରାଯାଇଥିବା ପୁଣି ଥରେ ସେ ଦୋହରାଇଛନ୍ତି।
ସେ କହିଛନ୍ତି, “ଆମେ ଶାନ୍ତି ଚାହୁଁଛୁ। କିନ୍ତୁ ସେମାନେ ଯଦି ଉତ୍ତେଜନା ସୃଷ୍ଟି କରିବେ, ତା’ହେଲେ ଆମେ ଆମ ଅଞ୍ଚଳର ସୁରକ୍ଷା କରିବାକୁ ସବୁ ପ୍ରକାରର ପଦକ୍ଷେପ ନେବୁ। ଠିକ କିଛି ଦିନ ପୂର୍ବରୁ ଆମେ ଯେମିତି ପଦକ୍ଷେପ ନେଇଥିଲୁ। ଯଦି ସେମାନେ ଶାନ୍ତି ପାଇଁ ମୁଁ ଦେଇଥିବା ପ୍ରସ୍ତାବକୁ ଗ୍ରହଣ କରିବେ, ତା’ହେଲେ ଶାନ୍ତି ପ୍ରତିଷ୍ଠା ପାଇଁ ଆମେ କେତେ ଯତ୍ନବାନ ଓ ତତ୍ପର ରହିଛୁ ସେକଥା ଦେଖାଇବୁ।
ଆମେ ଆମର ପଡ଼ୋଶୀ ସହ ଜଳ ପ୍ରସଙ୍ଗରେ ଶାନ୍ତି ଆଲୋଚନା ପାଇଁ ରାଜି। ଆମେ ବାଣିଜ୍ୟ ବୃଦ୍ଧି ଓ ଆତଙ୍କବାଦ ବିରୋଧୀ ପଦକ୍ଷେପ ସମ୍ପର୍କରେ କଥା ହେବାକୁ ପ୍ରସ୍ତୁତ। ଆମେ ଶାନ୍ତି ଚାହୁଁଥିଲୁ, ଶାନ୍ତି ଚାହୁଁଛୁ ଓ ଆମେ ଆଲୋଚନା ଦ୍ୱାରା ପୂରା ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ଉପରେ କାମ କରି ଚାଲିଥିବୁ। ସମସ୍ତ ପ୍ରକାରର ଦୀର୍ଘ କାଳୀନ ବିବାଦର ସମାଧାନ ଆମେ ଚାହୁଁଛୁ।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
