/odisha-reporter/media/post_attachments/uploadimage/library/16_9/16_9_0/Pakistan_1747471182.jpg)
Pakistan
ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ପ୍ରଥମଥର ପାଇଁ ଭାରତୀୟ ସେନାର ପ୍ରଚଣ୍ଡ ହମଲାକୁ ସ୍ୱୀକାର କରିଛନ୍ତି। ଅପରେସନ ସିନ୍ଦୂର ବେଳେ ଭାରତୀୟ ସେନା ପାକିସ୍ତାନର ପ୍ରମୁଖ ଏୟାର ବେସ୍କୁ ଧ୍ୱଂସ କରିଥିବା ଶରିଫ ମାନିଛନ୍ତି। ମେ’ ୧୦ ତାରିଖ ଭୋର ସମୟରେ ଭାରତ କରିଥିବା ହମଲା ଯୋଗୁ ତାଙ୍କ ନିଦ ହଜିଥିଲା। ଭୋର ୨.୩୦ରେ କେମିତି ଭାରତର ହମଲା ସମ୍ପର୍କିତ ଖବର ତାଙ୍କ ପାଖରେ ପହଞ୍ଚିଥିଲା, ସେକଥା ପ୍ରଥମଥର ପାଇଁ ଶରିଫ ସମସ୍ତଙ୍କୁ ଜଣାଇଛନ୍ତି।
ପହଲଗାମ ନରସଂହାର ପରେ ଭାରତୀୟ ସେନା ମେ’ ୭ରେ ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଥିଲା। ହେଲେ ପାକିସ୍ତାନ ସେନା ଆତଙ୍କବାଦୀଙ୍କ ସମର୍ଥନରେ ଭାରତର ସାମରିକ ପ୍ରତିଷ୍ଠାନ ଓ ଜନବସତିକୁ ଟାର୍ଗେଟ କରିବାରୁ ଦୁଇ ଦେଶ ମଧ୍ୟରେ ୪ ଦିନ ଧରି ଯୁଦ୍ଧ ପରିସ୍ଥିତି ଦେଖାଯାଇଥିଲା।
ପାକିସ୍ତାନର ଡ୍ରୋନ ଓ ମିସାଇଲ ହମଲାର ଜବାବ ଦେବାକୁ ଭାରତୀୟ ସେନା କାଉଣ୍ଟର ଆଟାକ କରିଥିଲା। ଏଥିରେ ପାକିସ୍ତାନର ପ୍ରମୁଖ ସହର ଓ ଏୟାରବେସ ଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି। ଭାରତ ଏହାର ସ୍ୟାଟେଲାଇଟ ଛବି ଜାରି କରିଥିଲେ ହେଁ ପାକିସ୍ତାନ ଏହାକୁ ସ୍ୱୀକାର କରୁ ନଥିଲା। କିନ୍ତୁ ପ୍ରଥମଥର ପାଇଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶରିଫ ଭାରତୀୟ ସେନାର ହମଲାକୁ ସ୍ୱୀକାର କରିଛନ୍ତି।
ଶୁକ୍ରବାର ପାକିସ୍ତାନର ଇସଲାମାବାଦରେ ଆୟୋଜିତ ଗୋଟିଏ କାର୍ଯ୍ୟକ୍ରମରେ ଶରିଫ କହିଛନ୍ତି ଯେ ତାଙ୍କୁ ରାତି ୨.୩୦ରେ ଆର୍ମି ମୁଖ୍ୟ ଜେନେରାଲ ଆସୀମ ମୁନିର ଭାରତର ଅପରେସନ ସମ୍ପର୍କରେ ନିଦରୁ ଉଠାଇ ଖବର ଦେଇଥିଲେ। ଇସଲାମାବାଦରେ ସେ କହିଛନ୍ତି, “ଜେନେରାଲ ମୁନିର ବ୍ୟକ୍ତିଗତ ଭାବେ ମୋତେ ୧୦ ତାରିଖ ଭୋର ୨.୩୦ରେ ଗୋଟିଏ ସୁରକ୍ଷିତ ଫୋନ ଲାଇନରେ ଯୋଗାଯୋଗ କରିଥିଲେ। ଏହି ଫୋନରେ ସେ ମୋତେ ଭାରତ ତା’ର ବାଲାଷ୍ଟିକ ମିସାଇଲ ମାଡ଼ କରିଥିବା କଥା ଜଣାଇଥିଲେ। କିଛି ମିସାଇଲ ନୁର ଖାନ ଏୟାରବେସ ଓ ଅନ୍ୟ କିଛି ସ୍ଥାନରେ ମାଡ଼ ହୋଇଥିବା ସେ ଅବଗତ କରାଇଥିଲେ। ଏହା ଅତ୍ୟନ୍ତ ଚିନ୍ତାର ମୁହୂର୍ତ୍ତ ଥିଲା।”
ନୁର ଖାନ ଏୟାରବେସ୍ ରାୱଲପିଣ୍ଡି ଓ ଇସଲାମାବାଦ ମଧ୍ୟରେ ରହିଛି। ପାକିସ୍ତାନର ଏୟାର ଅପରେସନରେ ନୁର ଖାନ ଏୟାରବେସ୍ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ପୂର୍ବରୁ ଏହା ଚକଲାଲା ଏୟାବେସ ଭାବେ ଏହା ପରିଚିତ ଥିଲା। ୧୯୭୧ ଭାରତ ପାକିସ୍ତାନ ଯୁଦ୍ଧ ସମୟରେ ଏହି ଏୟାରବେସକୁ ଟାର୍ଗେଟ କରାଯାଇଥିଲା।
ବିଜେପି ଆଇଟି ସେଲ ମୁଖିଆ ଅମିତ ମାଲବ୍ୟ ନିଜ ଏକ୍ସ ଆକାଉଣ୍ଟରେ ଶରିଫଙ୍କ ସ୍ୱୀକାରୋକ୍ତିର ଭିଡିଓକୁ ପୋଷ୍ଟ କରିଛନ୍ତି। ସେ କହିଛନ୍ତି, “ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ନିଜେ ସ୍ୱୀକାର କରିଛନ୍ତି ଯେ ଜେନେରାଲ ଆସୀମ ମୁନିର ତାଙ୍କୁ ରାତି ଭୋର ୨.୩୦ରେ ଫୋନ କରି ଭାରତ ନୁର ଖାନା ଏୟାରବେସ ଓ ଅନ୍ୟ ଠିକଣାରେ ବୋମା ବର୍ଷଣ କରିବା କଥା ଜଣାଇଥିଲେ। ପାକିସ୍ତାନ ଭିତରେ ଷ୍ଟ୍ରାଇକ ହୋଇଥିବା ଖବର ଶୁଣି ପ୍ରଧାନମନ୍ତ୍ରୀଙ୍କ ନିଦ ମଧ୍ୟରାତ୍ରରେ ହଜି ଯିବା କଥା ଥରେ ଗଭୀର ଭାବେ ଚିନ୍ତା କରନ୍ତୁ। ଏହି କଥା ହିଁ ଅପରେସନ ସନ୍ଦୂରର ପ୍ରଭାବକୁ ଦର୍ଶାଉଛି।”
ପାକିସ୍ତାନ ପୂର୍ବରୁ ଦାବି କରିଥିଲା ଯେ ଦେଶର ଜେଏଫ-୧୭ ଯୁଦ୍ଧ ବିମାନ ପଞ୍ଜାବର ଆଦମପୁର ଏୟାର ବେସ୍ରେ ଥିବା ଏସ-୪୦୦ ଏୟାର ଡିଫେନ୍ସ ସିଷ୍ଟମକୁ ଧ୍ୱଂସ କରି ଦେଇଥିଲା। କିନ୍ତୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ସେଠାକୁ ଯାଇ ଫଟୋ ଉଠାଇବା ସହ ନିଜ ବ୍ୟାକଗ୍ରାଉଣ୍ଡରେ ଏସ୍-୪୦୦କୁ ଜାଣିଶୁଣି ରଖିବା ପାକିସ୍ତାନର ସବୁ ମିଛକୁ ପର୍ଦ୍ଦାଫାସ କରିଥିଲା।
Pakistan PM Shehbaz Sharif himself admits that General Asim Munir called him at 2:30am to inform him that India had bombed Nur Khan Air Base and several other locations. Let that sink in — the Prime Minister was woken up in the middle of the night with news of strikes deep inside… pic.twitter.com/b4QbsF7xJh
— Amit Malviya (@amitmalviya) May 16, 2025
ପାକିସ୍ତାନ ଆହୁରି ଦାବି କରିଥିଲା ଯେ ଭାରତ ଅପରେସନ ସିନ୍ଦୂର ବେଳେ ସାଧାରଣ ଜନବସତିକୁ ଟାର୍ଗେଟ କରିଥିଲା। ହେଲେ ପାକିସ୍ତାନର ସିନ୍ଧ ପ୍ରଦେଶର ମୁଖ୍ୟମନ୍ତ୍ରୀ ନିଜେ ନିଶ୍ଚିତ କରିଛନ୍ତି ଯେ ଭାରତ ଭୋଲାରି ଏୟାରବେସ ଉପରେ ଆକ୍ରମଣ କରିଥିଲା। ଏଥିରେ ୬ ଜଣ ବାୟୁ ସେନା କର୍ମଚାରୀ ପ୍ରାଣ ହରାଇଛନ୍ତି। ଏହି ସ୍ୱୀକାରୋକ୍ତି ପ୍ରମାଣ କରିଛି ଯେ ଭାରତ କେବଳ ପାକିସ୍ତାନର ସାମରିକ ଠିକଣାକୁ ଟାର୍ଗେଟ କରିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
