/odisha-reporter/media/media_files/2025/10/16/taliban-2025-10-16-16-57-56.jpg)
ଆଫଗାନିସ୍ତାନ
କ’ଣ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତଥାକଥିତ ୯ମ ଯୁଦ୍ଧର ସମାଧାନ କରିବେ? ପାକିସ୍ତାନ ଓ ତାଲିବାନ ମଧ୍ୟରେ ଚାଲିଥିବା ବିବାଦର ସମାଧାନ କରି ଆଉ ଏକ ‘ଶାନ୍ତି ଟ୍ରଫି’ ଟ୍ରମ୍ପ ହାତେଇବେ କି? ଆଫଗାନିସ୍ତାର କ୍ଷମତାସୀନ ତାଲିବାନ ସହ ଲଢ଼େଇ କରି ଅସ୍ଥାୟୀ ଯୁଦ୍ଧ ବିରତି ଲାଗୁ କରିଥିବା ପାକିସ୍ତାନ ଏବେ ସ୍ଥାୟୀ ସମାଧାନ ପାଇଁ ନୋବେଲ ବାଉଳା ଟ୍ରମ୍ପଙ୍କ ଶରଣରେ ପଶିଛି।
ପାକିସ୍ତାନ ଓ ତାଲିବାନ ମଧ୍ୟରେ ପ୍ରାୟ ଗୋଟିଏ ସପ୍ତାହ ଧରି ସୀମାରେ ଜୋରଦାର ଲଢ଼େଇ ଜାରି ରହିଛି। ଘମାଘୋଟ ଲଢ଼େଇ ଓ କାବୁଲ ଓ କାନ୍ଧାହାରରେ ପାକିସ୍ତାନର ଏୟାର ଷ୍ଟ୍ରାଇକ ପରେ ଦୁଇ ଦେଶ ମଧ୍ୟରେ ଅସ୍ଥାୟୀ ଯୁଦ୍ଧ ବିରତି ଲାଗୁ ହୋଇଛି। ଏହି ଲଢ଼େଇରେ ଅନେକ ସାଧାରଣ ଲୋକ ଓ ପାକିସ୍ତାନର ସୈନ୍ୟ ନିହତ ହୋଇଛନ୍ତି।
ଘମାଘୋଟ ଲଢ଼େଇ ପରେ ପାକିସ୍ତାନର ଅନୁରୋଧକ୍ରମେ ତାଲିବାନ ୪୮ ଘଣ୍ଟିଆ ଯୁଦ୍ଧ ବିରତି ଲାଗୁ କରିଛି। ଯୁଦ୍ଧ ବିରତି ଲାଗୁ ହୋଇଥିବା ବେଳେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ଆସିଫ ଆମେରିକା ଓ ଟ୍ରମ୍ପଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଏଥିସହ ଭାରତ ସମ୍ପର୍କରେ ଆସିଫ ଅଜବ ଦାବି ମଧ୍ୟ କରିଛନ୍ତି।
ଟ୍ରମ୍ପଙ୍କୁ ପାକିସ୍ତାନର ନିବେଦନ
ସୀମା ବିବାଦ ମଧ୍ୟରେ ଜେଓ ଟିଭିକୁ ଆସିଫ ସାକ୍ଷାତ କରିବା ବେଳେ ଟ୍ରମ୍ପଙ୍କୁ ତେଲ ମାରିବାକୁ ଆଦୌ ପଛାଇ ନାହାନ୍ତି। ସେ କହିଛନ୍ତି, “ମୋ ମତେ ଆମେରିକାର ରାଷ୍ଟ୍ରପତିମାନେ ଯୁଦ୍ଧ ପାଇଁ ଦାୟୀ ରହୁଥିଲେ। ହେଲେ ଆମେରିକାର ପ୍ରଥମ ରାଷ୍ଟ୍ରପତି ଭାବେ ଟ୍ରମ୍ପ ଯୁଦ୍ଧ ବନ୍ଦ କରୁଛନ୍ତି। ଗତ ୧୫ରୁ ୨୦ ବର୍ଷ ହେଲା ଆମେରିକା ବିଭିନ୍ନ ଯୁଦ୍ଧକୁ ପ୍ରୋତ୍ସାହିତ କରିଛି। ସେ(ଟ୍ରମ୍ପ) ପ୍ରଥମ ରାଷ୍ଟ୍ରପତି ଯିଏ ଶାନ୍ତି ବୁଝାମଣାକୁ ଗୁରୁତ୍ୱ ଦେଉଛନ୍ତି। ଯଦି ସେ ପାକିସ୍ତାନ-ଆଫଗାନିସ୍ତାନ ଯୁଦ୍ଧକୁ ଦେଖିବାକୁ ଚାହିଁବେ କିମ୍ବା ଏଥିରେ ହସ୍ତକ୍ଷେପ କରିବାକୁ ଚାହିଁବେ, ତା’ହେଲେ ତାଙ୍କୁ ସ୍ୱାଗତ।”
ଟ୍ରମ୍ପ ନିଜେ ଗତ ସପ୍ତାହରେ ସଙ୍କେତ ଦେଇ ପାକିସ୍ତାନ-ଆଫଗାନିସ୍ତାନ ବିବାଦରେ ହସ୍ତକ୍ଷେପ କରି ଶାନ୍ତି ପ୍ରତିଷ୍ଠା କରିବେ ବୋଲି କହିଥିଲେ। ଇଜିପ୍ଟରେ ଆୟୋଜିତ ଗାଜା ଶାନ୍ତି ସମ୍ମିଳନୀରେ ଟ୍ରମ୍ପ କହିଥିଲେ ଯେ “ଏବେ ପାକିସ୍ତାନ-ଆଫଗାନିସ୍ତାନ ମଧ୍ୟରେ ଯୁଦ୍ଧ ଚାଲିଥିବା ମୁଁ ଶୁଣିବାକୁ ପାଇଛି। ମୁଁ ଫେରିବା ଯାଏ ସମସ୍ତେ ଅପେକ୍ଷା କରନ୍ତୁ। ମୁଁ ଆଉ ଗୋଟିଏ ଶାନ୍ତି ପ୍ରସ୍ତାବ ଆଣିବି। କାଣର ମୁଁ ଯୁଦ୍ଧ ଶେଷ କରିବାରେ ବେଶ ମାହିର।”
ଟ୍ରମ୍ପଙ୍କ ହସ୍ତକ୍ଷେପ ଉଦ୍ଦେଶ୍ୟ ଅଲଗା!
ପାକିସ୍ତାନ ଓ ଆଫଗାନିସ୍ତାନ ପ୍ରସଙ୍ଗରେ ଟ୍ରମ୍ପଙ୍କ ହସ୍ତକ୍ଷେପର ଉଦ୍ଦେଶ୍ୟ କିଛି ଅଲଗା। ଗତ ମାସରେ ଟ୍ରମ୍ପ କହିଥିଲେ ଯେ ଆଫଗାନିସ୍ତାନର ବାଗରମ ଏୟାର ବେସକୁ ଆମେରିକା ନିଜ ନିୟନ୍ତ୍ରଣକୁ ନେବାକୁ ଚାହୁଁଛି। ଚାଇନା ତିଆରି କରୁଥିବା ନିଜର ଆଣବିକ ଯୁଦ୍ଧାସ୍ତ୍ର ଠାରୁ ଏହି ସ୍ଥାନଟି ମାତ୍ର ୧ ଘଣ୍ଟା ଦୂର। ତେଣୁ ଆମେରିକା ଏହି ଏୟାର ବେସ ଚାହୁଁଛି। କିନ୍ତୁ ତାଲିବାନ ପକ୍ଷରୁ ଟ୍ରମ୍ପଙ୍କ ଏପରି ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦିଆଯାଇଛି।
ଟ୍ରମ୍ପଙ୍କ ୨.୦ ଶାସନ ସମୟରେ ପାକିସ୍ତାନ ଓ ଆମେରିକା ସମ୍ପର୍କରେ ବେଶ ସୁଧାର ଆସିଛି। କ୍ରିପ୍ଟୋକରେନ୍ସି ଚୁକ୍ତି ଠାରୁ ଭାରତ ସହ ବିବାଦ ସମାଧାନର ଶ୍ରେୟ ପାକିସ୍ତାନ ଟ୍ରମ୍ପଙ୍କୁ ଦେଇଛି। ଏହି କାରଣ ପାଇଁ ପାକିସ୍ତାନ ପକ୍ଷରୁ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ମଧ୍ୟ ମନୋନୀତ କରାଯାଇଥିଲା। ଏଥିପାଇଁ ଟ୍ରମ୍ପ ମଧ୍ୟ ବେଶ ଉତ୍ସାହିତ ହୋଇ ପାକିସ୍ତାନ ସପକ୍ଷରେ ମତ ରଖି ଚାଲିଛନ୍ତି।
ଯୁଦ୍ଧ ବିରତି ସତ୍ତ୍ୱେ ଆତଙ୍କିତ ଅବସ୍ଥାରେ ପାକିସ୍ତାନ
ତାଲିବାନ ସହ ୪୮ ଘଣ୍ଟାର ଯୁଦ୍ଧ ବିରତି ଲାଗୁ ହୋଇଥିଲେ ହେଁ ଆତଙ୍କିତ ଅବସ୍ଥାରେ ରହିଛି ପାକିସ୍ତାନ। ଖାସ ଏହି କାରଣ ପାଇଁ ଟ୍ରମ୍ପଙ୍କ ହସ୍ତକ୍ଷେପ ଲୋଡ଼ିଛି ଇସଲମାବାଦ। ଏଥିସହ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଆସିଫ ଭାରତ ସମ୍ପର୍କରେ ଅଜବ ଦାବି ମଧ୍ୟ କରିଛନ୍ତି। ତାଲିବାନ ସରକାର ଭାରତ ପକ୍ଷରୁ ପାକିସ୍ତାନ ସହ ଚ୍ଛାୟା ଯୁଦ୍ଧ କରୁଥିବା ସେ ଦାବି କରିଛନ୍ତି।
ସେ କହିଛନ୍ତି, “ଯୁଦ୍ଧ ବିରତି ଅତୁଟ ରହିବ କି ନାହିଁ, ତା’କୁ ନେଇ ମୋର ସନ୍ଦେହ ରହିଛି। କାରଣ ତାଲିବାନର ନିଷ୍ପତ୍ତି ନୂଆଦିଲ୍ଲୀ ଦ୍ୱାରା ପ୍ରାୟୋଜିତ। ଏବେ ଦିଲ୍ଲୀ ପାଇଁ କାବୁଲ ଗୋଟିଏ ଛାୟା ଲଢ଼େଇ ଜାରି ରଖିଛି। ମୁତାକୀ(ତାଲିବାନର ବୈଦେଶିକ ମନ୍ତ୍ରୀ) ଗୋଟିଏ ସପ୍ତାହର ଭାରତ ଗସ୍ତ ପରେ ଫେରିଛନ୍ତି। ସେ ନିଜ ସହ କ’ଣ ଯୋଜନା ଧରି ଆସିଛନ୍ତି, ତା’ ଉପରେ ନଜର ରହିଛି।”
ତାଲିବାନ ବୈଦେଶିକ ମନ୍ତ୍ରୀ ଆମୀର ଖାନ ମୁତାକୀ ପ୍ରଥମଥର ପାଇଁ ଗତ ସପ୍ତାହରେ ଦିଲ୍ଲୀ ଗସ୍ତରେ ଆସିଥିଲେ। ଏହି ସମୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସହ ବୈଠକ କରିଥିଲେ। ଏହାକୁ ପାକିସ୍ତାନ ସହଜରେ ଗ୍ରହଣ କରିପାରି ନାହିଁ।
ବୁଧବାର ସନ୍ଧ୍ୟା ୬ଟାରେ ଯୁଦ୍ଧ ବିରତି ଲାଗୁ ହେବା ପୂର୍ବରୁ ପାକିସ୍ତାନ ସେନା ଆଫଗାନିସ୍ତାନର କାନ୍ଧାହର ପ୍ରଦେଶରେ ଘନଘନ ଏୟାର ଷ୍ଟ୍ରାଇକ କରିଥିଲା। ଏହାର ଜବାବ ମଧ୍ୟ ତାଲିବାନ ପକ୍ଷରୁ ଦିଆଯାଇଥିଲା। ସେହିପରି ପାକିସ୍ତାନ ସେନା ସ୍ପିନ ବୋଲଡାକରେ ଆକ୍ରମଣ କରିବାରୁ ୧୫ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏଠାରେ ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲା। ପାକିସ୍ତାନ ଉତ୍ତେଜନା ସୃଷ୍ଟି କରିଥିବାରୁ ଏହାର ଜବାବ ଦୃଢ଼ ଭାବେ ଦିଆଯାଇଥିଲା ବୋଲି ତାଲିବାନ ମୁଖପାତ୍ର କହିଛନ୍ତି।
ଆଫଗାନର ତାଲିବାନ(Taliban) ଫୋର୍ସ ପାକିସ୍ତାନ ଆର୍ମିର ଗୋଟିଏ ବର୍ଡର ଆଉଟ ପୋଷ୍ଟକୁ ଧ୍ୱଂସ କରିଦେଇଛି। ତାଲିବାନ ପୋଷ୍ଟକୁ ଟାର୍ଗେଟ କରିବା ପାଇଁ ପାକିସ୍ତାନ ବ୍ୟବହାର କରୁଥିବା ଟ୍ୟାଙ୍କକୁ ମଧ୍ୟ ତାଲିବାନ ସିଜ କରିନେଇଛି।
ଉଭୟ ପକ୍ଷ ପରସ୍ପରକୁ ସୀମାରେ ଉତ୍ତେଜନା ସୃଷ୍ଟି କରିବା ପାଇଁ ଦାୟୀ କରିଛନ୍ତି। ପାକିସ୍ତାନ(Pakistan)ର ଚମାନ ଜିଲ୍ଲା ଓ ଆଫଗାନିସ୍ତାନର ସ୍ପିନ ବୋଲଡାକ ଜିଲ୍ଲା ସୀମାରେ ସୃଷ୍ଟି ହୋଇଥିବା ଉତ୍ତେଜନା ଯୋଗୁ ପ୍ରଭାବିତ ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
