Advertisment

Pakistan-USA: ଟ୍ରମ୍ପଙ୍କ ମୁନିର ପ୍ରୀତି: ପାକିସ୍ତାନକୁ ଏୟାର ଟୁ ଏୟାର ମିସାଇଲ ଦେବ ଆମେରିକା

ପାକିସ୍ତାନକୁ କେତେ ସଂଖ୍ୟକ ମିସାଇଲ ଆମେରିକା ଦେବ, ସେକଥା ବିବୃତିରେ ନିର୍ଦ୍ଦିଷ୍ଟ ଭାବେ ଉଲ୍ଲେଖ କରାଯାଇ ନାହିଁ। ପାକିସ୍ତାନ ବ୍ୟତୀତ ବ୍ରିଟେନ, ଜର୍ମାନୀ, ଅଷ୍ଟ୍ରେଲିଆ, ଜାପାନ ଓ ସାଉଦି ଆରବ ମଧ୍ୟ ଏହି ଡିଲ୍‌ ଅଧୀନରେ ରହିଛନ୍ତି।

author-image
Hemant Lenka
Pak

ମିସାଇଲ୍‌

ଆମେରିକା(USA) ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ପାକିସ୍ତାନ(Pakistan) ସହ ସମ୍ପର୍କ ଦୃଢ଼ କରିବା ମୁଡରେ ରହିଛନ୍ତି। ଭାରତକୁ ଟାରିଫ ଲଗାଇ ଧମକ ଦେଉଥିବା ଟ୍ରମ୍ପ ଏବେ ପାକିସ୍ତାନ ପ୍ରେମରେ ଉବୁଟୁବୁ। ବିଶେଷ କରି ପାକିସ୍ତାନର ସେନା ମୁଖ୍ୟ ଜେନେରାଲ ଅସିମ ମୁନିର ହ୍ୱାଇଟ ହାଉସରେ ଟ୍ରମ୍ପଙ୍କୁ ଭେଟିବା ପରେ ଆମେରିକାର ଇସଲାମାବାଦ ପ୍ରୀତି ବଢ଼ି ଯାଇଛି।

Advertisment

ଏଥିପାଇଁ ପାକିସ୍ତାନକୁ ଅତ୍ୟାଧୁନିକ ଏଆଇଏମ-୧୨୦ ଆଡଭାନ୍ସଡ ମିଡିୟମ ରେଞ୍ଜ ଏୟାର ଟୁ ଏୟାର ମିସାଇଲ (AMRAAM) ଦେବାକୁ ନିଷ୍ପତ୍ତି ନେଇଛି ଆମେରିକା। ଦୁଇ ଦେଶ ପରସ୍ପର ସହ ପ୍ରତିରକ୍ଷା ସହଭାଗିତା ସୁଦୃଢ଼ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସହଭାଗିତାର ପ୍ରଥମ ପଦକ୍ଷେପ ସ୍ୱରୂପ ପାକିସ୍ତାନକୁ AMRAAM ଯୋଗାଇ ଦିଆଯିବ ବୋଲି ଆମେରିକାର ଯୁଦ୍ଧ ବିଭାଗ ବା DOW ପକ୍ଷରୁ ଗୋଟିଏ ବିବୃତି ଜାରି କରି ସୂଚନା ଦିଆଯାଇଛି।

ଆମେରିକାର ଯୁଦ୍ଧ ବିଭାଗର ନାଁ ପୂର୍ବରୁ ପ୍ରତିରକ୍ଷା ବିଭାଗ ଥିଲା। ଏହି ବିଭାଗ ପକ୍ଷରୁ ଗୋଟିଏ ସଂଶୋଧିତ ତଥା ନୂଆ ଆର୍ମସ କଣ୍ଟ୍ରାକ୍ଟ ସମ୍ପର୍କିତ ବିଜ୍ଞପ୍ତି ଜାରି କରାଯାଇଛି। ଏଥିରେ ଆମେରିକାର ଠାରୁ ମିସାଇଲ ସିଷ୍ଟମ କିଣିବାକୁ ଥିବା ବିଦେଶ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ପାକିସ୍ତାନ ନାଁ ରହିଛି। Raytheon ନାମକ କମ୍ପାନୀ ପ୍ରସ୍ତୁତ କରୁଥିବା ମିସାଇଲ କିଣିବାକୁ ନିଶ୍ଚିତ କରିଥିବା ରାଷ୍ଟ୍ର ପାକିସ୍ତାନ ବୋଲି ବିଜ୍ଞପ୍ତିରେ କୁହାଯାଇଛି। 

Advertisment

କମ୍ପାନୀକୁ ଅତିରିକ୍ତ ଭାବେ ୪୧.୬ ମିଲିୟନ ଡଲାର ଦିଆଯାଇଛି। ପୂର୍ବରୁ AMRAAMର ସି୮ ଓ ଡି୩ ଭାରିଆଣ୍ଟ ପାଇଁ କଣ୍ଟ୍ରାକ୍ଟ ଦିଆଯାଇଥିଲା। ଏବେ ଅତିରିକ୍ତ ଭାବେ ଆଉ ୪୧.୬ ମିଲିୟନ ଡଲାର ଦିଆଯାଇଛି। ଫଳର ସ୍ୱରୂପ ମିସାଇଲ ତିଆରି ପାଇଁ କମ୍ପାନୀ ସହ ହୋଇଥିବା ଚୁକ୍ତର ମୂଲ୍ୟ ୨.୫୧ ବିଲିୟନ ଡଲାର ଅତିକ୍ରମ କରିଛି ବୋଲି DOW କହିଛି। 

ତେବେ ପାକିସ୍ତାନକୁ କେତେ ସଂଖ୍ୟକ ମିସାଇଲ ଆମେରିକା ଦେବ, ସେକଥା ବିବୃତିରେ ନିର୍ଦ୍ଦିଷ୍ଟ ଭାବେ ଉଲ୍ଲେଖ କରାଯାଇ ନାହିଁ। ପାକିସ୍ତାନ ବ୍ୟତୀତ ବ୍ରିଟେନ, ଜର୍ମାନୀ, ଅଷ୍ଟ୍ରେଲିଆ, ଜାପାନ ଓ ସାଉଦି ଆରବ ମଧ୍ୟ ଏହି ଡିଲ୍‌ ଅଧୀନରେ ରହିଛନ୍ତି। ୨୦୩୦ ମେ’ ସୁଦ୍ଧା ଚୁକ୍ତି ଅନୁସାରେ ମିସାଇଲ ଯୋଗାଇ ଦେବାକୁ ଯୋଜନା ହୋଇଛି। 

ପାକିସ୍ତାନ ବାୟୁସେନା ବ୍ୟବହାର କରୁଥିବା ଏଫ-୧୬ ଯୁଦ୍ଧ ବିମାନରେ AMRAAM କାର୍ଯ୍ୟକ୍ରମକୁ ସାମିଲ କରାଯିବ। ୨୦୧୯ରେ  ପାକିସ୍ତାନ ଏଫ-୧୬ ଯୁଦ୍ଧ ବିମାନ ଦ୍ୱାରା ଭାରତୀୟ ବାୟୁସେନା ମିଗ-୨୧କୁ ଖସାଇ ଦେଇଥିଲା। ସେହି ସମୟରେ ମିଗ ୨୧କୁ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ ଚଳାଉଥିଲେ। 

ପ୍ରତିରକ୍ଷା ପ୍ରକାଶସନ କୁୱା ଅନୁସାରେ ଏଆଇଏମ-୧୨୦ସି୮ ହେଉଛି ନୂଆ ଅର୍ଡର ଅଂଶବିଶେଷ। ଏହା ଏଆଇଏମ-୧୨୦ଡିର ଏକପର୍ଟ ଭର୍ସନ। ଏହି ଅତ୍ୟାଧୁନତିକ AMRAAMକୁ ଆମେରିକା ସେନାର ସେବାରେ ରହିଛି। ଏବେ ପାକିସ୍ତାନ ପୁରୁଣା ସି୫ ସଂସ୍କରଣର ବ୍ୟବହାର କରୁଛି।

ଏହା ମଧ୍ୟରୁ ପ୍ରାୟ ୫୦୦ଟିକୁ ୨୦୧୦ରେ ୫୨ଟି ଏଫ-୧୬ କିଣା ଯିବା ପରେ ପାକିସ୍ତାନ ପାଇଥିଲା। କିନ୍ତୁ ଏବେ ଆମେରିକା ପକ୍ଷରୁ ପାକିସ୍ତାନକୁ ଅତ୍ୟାଧୁନିକ AMRAAM ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି। 

ଆମେରିକା ଓ ପାକିସ୍ତାନ ମଧ୍ୟରେ ନିବିଡ଼ତା ବଢ଼ୁଥିବା ବେଳେ ଏପରି ଖବର ଆସିଛି। ଗତ ମାସରେ ୱାଶିଂଟନ ଡିସିରେ ରାଷ୍ଟ୍ରପତି ଟ୍ରମ୍ପ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଓ ଫିଲ୍ଡ ମାର୍ଶଲ ଅସିମ ମୁନିରଙ୍କୁ ଭେଟିଥିଲେ।

ଜୁନ ମାସରେ ମୁନିର ଓ ଟ୍ରମ୍ପଙ୍କ ମଧ୍ୟରେ ହ୍ୱାଇଟ ହାସଲରେ ମଧ୍ୟ ବୈଠକ ହୋଇଥିଲା। ଏକାଧିକ ବୈଠକ ପରେ ଏବେ ଆମେରିକା ପକ୍ଷରୁ ପାକିସ୍ତାନ ସହ ପ୍ରତିରକ୍ଷା ଡିଲ ଚୂଡ଼ାନ୍ତ କରାଯାଇଛି।

Pakistan USA