Advertisment

ଆମେରିକାକୁ ହିଟ୍‌ କରିବା ଭଳି ଦୂରଗାମୀ ଆଣବିକ ବାଲାଷ୍ଟିକ ମିସାଇଲ ପ୍ରସ୍ତୁତ କରୁଛି ପାକିସ୍ତାନ!

ଦୂରଗାମୀ ଆଣବିକ ବାଲାଷ୍ଟିକ ମିସାଇଲକୁ ପାକିସ୍ତାନ ବିକଶିତ କରିବା ଖବର ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ଭାରତର ଅପରେସନ ସିନ୍ଦୂର ପରେ ପାକିସ୍ତାନ ବେଶ ସକ୍ରିୟ ଭାବେ ଚାଇନା ସହ ମିଶି ନିଜ ଆଣବିକ ଯୁଦ୍ଧାସ୍ତ୍ରକୁ ବିକଶିତ କରୁଥିବା ଖବର ପ୍ରକାଶ ପାଇଥିଲା।

author-image
Hemant Lenka
ICBM

ICBM

ପାକିସ୍ତାନ ସରକାର ଓ ସେନା କରୁଥିବା ସାଂଘାତିକ ପ୍ରସ୍ତୁତିର ପର୍ଦ୍ଦାଫାସ ହୋଇଛି। ପାକିସ୍ତାନୀ ସେନା ବେଶ ଗୁପ୍ତ ଭାବେ ଗୋଟିଏ ଆଣବିକ ଯୁଦ୍ଧାସ୍ତ୍ର ବହନ କରିପାରୁ ଥିବା ଅନ୍ତଃଦେଶୀୟ ବାଲାଷ୍ଟିକ ମିସାଇଲ (ଆଇସିବିଏମ)ର ବିକଶିତ କରୁଛି। ଏହି ବାଲାଷ୍ଟିକ ମିସାଇଲ ଯେମିତି ପାକିସ୍ତାନରୁ ଯାଇ ସିଧା ଆମେରିକାକୁ ହିଟ କରିପାରିବ, ସେହି ଦୂରତା ଉପରେ ପାକିସ୍ତାନ ଫୋକସ କରିଥିବା ୱାଶିଂଟନର ଗୁଇନ୍ଦା ଏଜେନ୍ସି ରିପୋର୍ଟ ଦେଇଛି।

Advertisment

ଦୂରଗାମୀ ଆଣବିକ ବାଲାଷ୍ଟିକ ମିସାଇଲକୁ ପାକିସ୍ତାନ ବିକଶିତ କରିବା ଖବର ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ଭାରତର ଅପରେସନ ସିନ୍ଦୂର ପରେ ପାକିସ୍ତାନ ବେଶ ସକ୍ରିୟ ଭାବେ ଚାଇନା ସହ ମିଶି ନିଜ ଆଣବିକ ଯୁଦ୍ଧାସ୍ତ୍ରକୁ ବିକଶିତ କରୁଥିବା ଖବର ପ୍ରକାଶ ପାଇଥିଲା। ଏବେ ଏହି ରିପୋର୍ଟ ଏହାକୁ ସତ ପ୍ରମାଣିତ କରିଛି।

ରିପୋର୍ଟରେ ଆମେରିକା ଅଧିକାରୀମାନଙ୍କ ଉକ୍ତିକୁ ସାମିଲ କରାଯାଇଛି। ଏଥିରେ କୁହାଯାଇଛି ଯେ ଯଦି ପାକିସ୍ତାନ ଏଭଳି ମିସାଇଲକୁ ହାସଲ କରିବାରେ ସକ୍ଷମ ହେବ, ତା’ହେଲେ ଆମେରିକା ପକ୍ଷରୁ ଇସଲାମାବାଦକୁ ଗୋଟିଏ ଆଣବିକ ଶତ୍ରୁ ରାଷ୍ଟ୍ର ଭାବେ ଘୋଷଣା କରାଯିବ। ୱାଶିଂଟନର କହିବା କଥା ଯେ ଯଦି ଆମେରିକା ବିରୋଧରେ କିମ୍ବା ଆମେରିକାକୁ ବିପଦ ସୃଷ୍ଟି କରିବା ଭଳି ଆଣବିକ ଯୁଦ୍ଧାସ୍ତ୍ର କୌଣସି ରାଷ୍ଟ୍ର ହାସଲ କରେ କିମ୍ବା ନିଜ ପାଖରେ ରଖେ, ତା’ହେଲେ ତା’କୁ ଗୋଟିଏ ଆଣବିକ ଶତ୍ରୁ ଭାବେ ବିବେଚନା କରିବାର ଅଧିକାର ରହିଛି। ବର୍ତ୍ତମାନ ରୁଷ, ଚାଇନା ଓ ଉତ୍ତର କୋରିଆକୁ ଆମେରିକା ଆଣବିକ ଶତ୍ରୁ ଭାବେ ବିବେଚନା କରୁଛି।

Advertisment

ଜଣେ ଆମେରିକା ଅଧିକାରୀ କହିଛନ୍ତି, “ଯଦି ପାକିସ୍ତାନ ଆଇସିବିଏମ ହାସଲ କରିବ, ତା’ହେଲେ ୱାଶିଂଟନ ବିନା କୌଣସି ଦ୍ୱିଧାରେ ଇସଲାମାବାଦକୁ ଗୋଟିଏ ନ୍ୟୁକ୍ଲିୟର ଶତ୍ରୁ ଭାବେ ବିବେଚନା କରିବ। ଆଇସିବିଏମ ରଖୁଥିବା ଦେଶକୁ ଆମେରିକା କେବେ ହେଲେ ବନ୍ଧୁ ଭାବେ ବିବେଚନା କରିପାରିବ ନାହିଁ। କାରଣ ଆଇସିବିଏମ ଦ୍ୱାରା ଆମେରିକାକୁ ଟାର୍ଗେଟ କରିବାର କ୍ଷମତା ସେମାନଙ୍କର ହୋଇଯିବ।”

ପାକିସ୍ତାନର ଆଣବିକ ଅସ୍ତ୍ରାଗାର

ପାକିସ୍ତାନ ସବୁବେଳେ କହି ଆସିଛି ଯେ ତା’ର ଆଣବିକ କାର୍ଯ୍ୟକ୍ରମ କେବଳ ଭାରତକୁ ଫୋକସରେ ରଖି କରାଯାଉଛି। ପାକିସ୍ତାନର ନୀତି ହେଲା ଛୋଟ ଓ ମଧ୍ୟମ ଦୂରଗାମୀ ମିସାଇଲକୁ ବିକଶିତ କରିବା। କିନ୍ତୁ ଏବେ ପାକିସ୍ତାନ ଆଇସିବିଏମର ବିକଶିତ କରୁଛି। ଆଇସିବିଏମ ଦ୍ୱାରା ଉଭୟ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବହନ କରାଯାଇ ପାରିବ। ଏହାର ଲକ୍ଷ୍ୟ ଭେଦ କ୍ଷମତା ୫,୫୦୦ କିମିରୁ ଅଧିକ ହୋଇଥାଏ। ଏବେ ପାକିସ୍ତାନ ପାଖରେ କୌଣସି ଆଇସିବିଏମ ନଥିବାରୁ ଇସଲାମାବାଦ ଏହାର ବିକଶିତ କରୁଥିବା ଗୁଇନ୍ଦା ରିପୋର୍ଟ ଦେଇଛି।

୨୦୨୨ରେ ପାକିସ୍ତାନ ଭୂପୃଷ୍ଠରୁ ଭୂପୃଷ୍ଠକୁ ହିଟ କରିପାରୁଥିବା ମଧ୍ୟମ ଦୂରଗାମୀ ବାଲାଷ୍ଟିକ ମିସାଇଲ ଶାହୀନ-୩ର ପରୀକ୍ଷଣ କରିଥିଲା। ଏହାର ଲକ୍ଷ୍ୟ ଭେଦ କ୍ଷମତା ୨୭୦୦ କିମିରୁ ଅଧିକ ରହିଛି। ତେଣୁ ଭାରତର ଏକାଧିକ ସହରକୁ ଏହା ଟାର୍ଗେଟ କରିବାରେ ସକ୍ଷମ ବୋଲି ପାକିସ୍ତାନ ଦାବି କରିଛି।

ଯଦି ଭବିଷ୍ୟତରେ ଆମେରିକା ପକ୍ଷରୁ ପାକିସ୍ତାନର ଆଣବିକ ଅସ୍ତ୍ରାଗାରକୁ ନଷ୍ଟ କରିବା ପାଇଁ ଚେଷ୍ଟା କରିଯିବ କିମ୍ବା ଭାରତ ସହ ଲଢ଼େଇ ବେଳେ ୱାଶିଂଟନ ଯଦି ନୂଆଦିଲ୍ଲୀର ସମର୍ଥନ କରିବ, ତା’ହେଲେ ଏହାକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଇସଲାମାବାଦ ଅନ୍ତଃଦେଶୀୟ ବାଲାଷ୍ଟିକ ମିସାଇଲର ବିକଶିତ କରୁଥିବା ଜଣାପଡ଼ିଛି।

ଆମେରିକା କଟକଣା

ପାକିସ୍ତାନ ଆଇସିବିଏମକୁ ବିକଶିତ କରୁଥିବା ଖବରକୁ ଆମେରିକା ବେଶ ଗୁରୁତ୍ୱର ସହ ନେଇଛି। ଗତବର୍ଷ ଆମେରିକା ପକ୍ଷରୁ ପାକିସ୍ତାନର ଦୂରଗାମୀ ବାଲାଷ୍ଟିକ କାର୍ଯ୍ୟକ୍ରମ ଉପରେ କଟକଣା ଲଗା ଯାଇଥିଲା। ସରକାରଙ୍କ ଅଧୀନରେ ଥିବା ଡିଫେନ୍ସ ଏଜେନ୍ସି ନ୍ୟାଶନାଲ ଡେଭଲପମେଣ୍ଟ କମ୍ପ୍ଲେକ୍ସ ଓ ଅନ୍ୟ ୩ଟି କମ୍ପାନୀ ଏପରି କଟକଣା ଲଗାଇଥିଲେ। ଏହି ସଂସ୍ଥାଗୁଡ଼ିକ ବିଶ୍ୱରେ ବିଭିନ୍ନ ଦେଶ କରୁଥିବା ମିସାଇଲ କାର୍ଯ୍ୟକ୍ରମ ଉପରେ ନଜର ରଖନ୍ତି। କଟକଣାରେ ସାମିଲ ହେଉଥିବା ଦେଶଗୁଡ଼ିକ ପାଖରେ ଥିବା ଆମେରିକା ସମ୍ପତ୍ତିକୁ ଜବତ କରାଯାଏ ଓ ଆମେରିକୀୟ କମ୍ପାନୀକୁ କଟକଣାରେ ସାମିଲ ଥିବା ସଂସ୍ଥା ସହ ବ୍ୟବସାୟ କରିବାକୁ ବାରଣ କରାଯାଏ।

ଅବଶ୍ୟ ପାକିସ୍ତାନ ଏହାକୁ ପକ୍ଷପାତିତାପୂର୍ଣ୍ଣ କହିଛି। କିନ୍ତୁ ଆମେରିକାର ବୈଦେଶିକ ବିଭାଗ ଦେଇଥିବା ତଥ୍ୟ ଆଧାରରେ ପଦକ୍ଷେପ ଗ୍ରହଣ କରିଥିଲେ। ଏଥିରେ କୁହାଯାଇଥିଲା ଯେ ଇସଲାମାବାଦ ନିଜ ଦୂରଗାମୀ ବାଲାଷ୍ଟିକ ମିସାଇଲ କାର୍ଯ୍ୟକ୍ରମ ପାଇଁ ଆବଶ୍ୟକ ଉପାଦନ ଚାହୁଁଛି। ପାକିସ୍ତାନ ପାଖରେ ଏବେ ପ୍ରାୟ ୧୭୦ଟି ଆଣବିକ ଯୁଦ୍ଧାସ୍ତ୍ର ରହିଛି। ଆଣବିକ ଯୁଦ୍ଧାସ୍ତ୍ର ପ୍ରସାର ଚୁକ୍ତିରେ ମଧ୍ୟ ପାକିସ୍ତାନ ସାମିଲ ହୋଇନାହିଁ। ତେଣୁ ଏବେ ପାକିସ୍ତାନ ନିଜର ଆଣବିକ କ୍ଷମତାକୁ ଆହୁରି ସଶକ୍ତ କରିବା ମୁଡରେ ରହିଛି।

Pakistan USA Nuclear-Armed Nations Nuclear Arsenals