Advertisment

କାରଗିଲ ଯୁଦ୍ଧରେ ସଂପୃକ୍ତି କଥା ସ୍ୱୀକାର କଲା ପାକିସ୍ତାନୀ ସେନା

୧୯୯୯ରେ କାରଗିଲ ଯୁଦ୍ଧ ହୋଇଥିବା ବେଳେ ୨୫ ବର୍ଷ ପରେ ଏଥିରେ ନିଜର ଭୂମିକାକୁ ଖୋଲାଖୋଲି ସ୍ୱୀକାର କରିଛି ପାକିସ୍ତାନୀ ସେନା।

author-image
Jitendra Garnayak
 Pakistan army chief General Asim Munir

Pakistan army chief General Asim Munir

କାରଗିଲ ଯୁଦ୍ଧର ୨୫ ବର୍ଷ ପରେ ପାକିସ୍ତାନୀ ସେନା ପ୍ରଥମ ଥର ପାଇଁ ସ୍ୱୀକାର କରିଛି ଯେ ଏଥିରେ ତା’ର ସଂପୃକ୍ତି ରହିଥିଲା। ପାକିସ୍ତାନର ସେନା ମୁଖ୍ୟ ଜେନାରାଲ ଅସୀମ ମୂନୀର ନିଜେ ସର୍ବସାଧାରଣରେ ଏକଥାକୁ ସ୍ୱୀକାର କରିଛନ୍ତି।   

Advertisment

ନିଜ ଦେଶର ପ୍ରତିରକ୍ଷା ଦିବସ ପାଳନ ଅବସରରେ ରାୱଲପିଣ୍ଡିରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଜେନେରାଲ ଅସୀମ ମୂନୀର କହିଥିଲେ, ୧୯୪୮ ହେଉ ଅବା ୧୯୬୫, ୧୯୭୧ ଅବା ୧୯୯୯ର କାରଗିଲ ଯୁଦ୍ଧ, ପାକିସ୍ତାନ ଓ ଇସଲାମ ପାଇଁ ହଜାର ହଜାର ସୈନ୍ୟ ଜୀବନ ହରାଇଛନ୍ତି।

ତାଙ୍କର ଏହି ମନ୍ତବ୍ୟ ପୁଣି ଥରେ ପ୍ରମାଣିତ କରିଛି ଯେ କାରଗିଲ ଯୁଦ୍ଧରେ ପାକିସ୍ତାନୀ ସେନା ଜଡ଼ିତ ଥିଲା। ଏହା ପୂର୍ବରୁ ପାକିସ୍ତାନୀ ସେନା କେବେ ବି ସର୍ବସାଧାରଣରେ ସ୍ୱୀକାର କରି ନଥିଲା ଯେ କାରଗିଲ ଯୁଦ୍ଧରେ ଏହାର ପ୍ରତ୍ୟକ୍ଷ ସଂପୃକ୍ତି ଥିଲା। ପାକିସ୍ତାନୀ ସେନା ସବୁ ବେଳେ କହି ଆସୁଥିଲା ଯେ ଏହା ମୁଜାହିଦ୍ଦୀନମାନଙ୍କ କାର୍ଯ୍ୟ।

Advertisment

୧୯୯୯ ମସିହାରେ ହୋଇଥିବା କାରଗିଲ ଯୁଦ୍ଧରେ ପାକିସ୍ତାନ ପରାସ୍ତ ହୋଇଥିଲା। ତିନି ମାସ ଧରି ଏହି ଯୁଦ୍ଧ ଚାଲିଥିଲା। କାରଗିଲ ସେକ୍ଟରରେ ଯେଉଁ ସବୁ ସ୍ଥାନଗୁଡ଼ିକୁ ଅନୁପ୍ରବେଶକାରୀମାନେ ନିଜ କବଜାକୁ ନେଇଥିଲେ, ସେଗୁଡ଼ିକୁ ଭାରତୀୟ ସେନା ଛଡ଼ାଇ ଆଣିଥିଲା। ଭାରତୀୟ ସେନାର ୫୪୫ ଯବାନ ଏହି ଯୁଦ୍ଧରେ ସହିଦ ହୋଇଥିଲେ। ପାକିସ୍ତାନର ହଜାର ହଜାର ଯବାନ ନିହତ ହୋଇଥିଲେ।

କାରଗିଲ ଯୁଦ୍ଧରେ ପାକିସ୍ତାନୀ ସେନାର ସଂପୃକ୍ତି ନେଇ ଭାରତ ଅନେକ ପ୍ରମାଣ ଦେଇଥିଲା। ତଥାପି ପାକିସ୍ତାନ କେବେ ଏହାକୁ ସ୍ୱୀକାର କରୁ ନଥିଲା। ଯୁଦ୍ଧ ପରେ ଭାରତୀୟ ସେନା ଅନେକ ପାକିସ୍ତାନୀ ଯବାନଙ୍କ ମୃତଦେହକୁ ପୋତିଛି। କାରଣ ପାକିସ୍ତାନ ସେଗୁଡ଼ିକୁ ଗ୍ରହଣ କରିବାକୁ ରାଜି ହୋଇ ନଥିଲା। 

Kargil Vijay Diwas Kargil War