/odisha-reporter/media/media_files/2026/01/21/pizza-hut-2026-01-21-13-42-50.jpg)
ଉଦଘାଟନ କରୁଛନ୍ତି ଆସିଫ
ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ବେଶ ଖୁସି ହୋଇ ନାଲି ଫିତା କାଟିଲେ। କ୍ୟାମେରା ଚାଲିଲା ଓ ଖଚାଖଚ ଭିଡ଼ ମଧ୍ୟରେ ଫଟୋ ବି ଉଠିଲା। ଉଦଘାଟନ ହୋଇଥିବା ବ୍ରାଣ୍ଡ ବି ବେଶ ପରିଚିତ ଥିଲା। ହେଲେ ଉଦଘାଟନ ପରେ ପିଜା ହଟ ଏଥିରେ ହସ୍ତକ୍ଷେପ କରିଛି।
ପାକ(Pakistan) ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ଆସିଫ ଉଦଘାଟନ କରିଥିବା ଷ୍ଟଲ ସହ ପିଜା ହଟର କୌଣସି ଭୂମିକା ନଥିବା ସଂସ୍ଥା କହିଛି। ଅର୍ଥାତ ଆସିଫ ନକଲି ପିଜା ହଟ୍ ଷ୍ଟୋରକୁ ଉଦଘାଟନ କରିଥିବା ଜଣାପଡ଼ିବା ପରେ ଲୋକଲଜ୍ଜାର ସମ୍ମୁଖୀନ ହୋଇଛନ୍ତି।
ମଙ୍ଗଳବାର ଆସିଫ ସିଆଲକୋଟରେ ଗୋଟିଏ ନୂଆ ପିଜା ହଟ୍ ଆଉଟଲେଟକୁ ଉଦଘାଟନ କରିଥିବା ସମସ୍ତେ ଭାବିଥିଲେ। ହେଲେ ଉଦଘାଟନର କିଛି ଘଣ୍ଟା ପରେ ପାକିସ୍ତାନରେ ଥିବା ପ୍ରାଧିକୃତ ପିଜା ହଟ ପ୍ରାଞ୍ଚାଇଜ ନୂଆ ଷ୍ଟୋର ସହ ସେମାନଙ୍କର କୌଣସି ସମ୍ପର୍କ ନଥିବା କହିଛି। ଉଦଘାଟନ ହୋଇଥିବା ଆଉଟଲେଟ ଅନାଧିକୃତ ଓ ପିଜା ହଟ୍ର ନାଁକୁ ବ୍ୟବହାର କରି କେହି ଏହାକୁ ଖୋଲିଥିବା ସଂସ୍ଥା ସ୍ପଷ୍ଟ କରିଛି।
ପିଜା ହଟ ପାକିସ୍ତାନ ଗୋଟିଏ ବିବୃତି ଜାରି କରି କହିଛି, “ପିଜା ହଟ ପାକିସ୍ତାନ ନିଜର ମୂଲ୍ୟବାନ ଗ୍ରାହଣମାନଙ୍କୁ ସୂଚିତ କରୁଅଛି ଯେ ପିଜା ହଟର ନାଁ ଓ ବ୍ରାଣ୍ଡିଂକୁ ବ୍ୟବହାର କରି ଗୋଟିଏ ଅନାଧିକୃତ ଆଉଟଲେଟ ନିକଟରେ ସିଆଲକୋଟ କ୍ୟାଣ୍ଟନମେଣ୍ଟରେ ଖୋଲିଛି। ଏହାର ସମ୍ପର୍କ ପିଜା ହଟ ପାକିସ୍ତାନ କିମ୍ବା ମୂଳ କମ୍ପାନୀ ୟୁମ ବ୍ରାଣ୍ଡସ ସହ ନାହିଁ।
ଏହା ପିଜ ହଟର ଅନ୍ତର୍ଜାତୀୟ ରେସିପି, ଗୁଣବତ୍ତା ପ୍ରୋଟକଲ, ଖାଦ୍ୟ ସୁରକ୍ଷା ଓ ଅପରେସନାଲ ସ୍ତରକୁ ଅନୁସରଣ କରେ ନାହିଁ। ଏନେଇ ପିଜା ହଟ ପାକିସ୍ତାନ ପକ୍ଷରୁ ଉପଯୁକ୍ତ ଅଧିକାରୀଙ୍କ ନିକଟେ ଅଭିଯୋଗ କରାଯାଇଛି। ଆମ ନାଁକୁ ଯେମିତି କେହି ଭୁଲ ଭାବେ ବ୍ୟବହାର ନ କରିପାରିବେ, ତା’କୁ ନିଶ୍ଚିତ କରିବାକୁ ଅନୁରୋଧ ହୋଇଛି।”
ପିଜା ହଟ୍ ଆଉଟଲେଟକୁ ଗୋଟିଏ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଉଦଘାଟନ କରିଥିବାରୁ ବେଶ ଚର୍ଚ୍ଚା ହୋଇଥିଲା। କିନ୍ତୁ ଏହି ହାଇ ପ୍ରୋଫାଇଲ ଉଦଘାଟନ ପିଜା ହଟର ବିବୃତି ପରେ ଲୋକଲଜ୍ଜାର ସ୍ଥିତି ସୃଷ୍ଟି କରିଛି। ସୋଶାଲ ମିଡିଆରେ ଏହାକୁ ନେଇ ଆସିଫଙ୍କୁ ଲୋକମାନେ କଟାକ୍ଷ ମଧ୍ୟ କରୁଛନ୍ତି।
ପିଜା ହଟ ପାକିସ୍ତାନ ପୂରା ଦେଶରେ ୧୬ଟି ଅଧିକୃତ ଷ୍ଟୋରକୁ ପରିଚାଳନା କରେ। ଏହା ମଧ୍ୟରୁ ୧୪ଟି ଲାହୋରରେ ଓ ୨ଟି ଇସଲାମାବାଦରେ ରହିଛି। ସିଆଲକୋଟରେ ସଂସ୍ଥାର କୌଣସି ଷ୍ଟୋର ନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
