/odisha-reporter/media/post_attachments/uploadimage/library/16_9/16_9_0/Pollution_1698919427.jpg)
Pollution
ଜାରି ହେଲା ଜରୁରିକାଳୀନ ପରିସ୍ଥିତି। ପୁଣି ବାଧ୍ୟତାମୂଳକ ହେଲା ମାସ୍କ ପିନ୍ଧିବା। ଭାରତର ପଡୋଶୀ ଦେଶ ପାକିସ୍ତାନର ପଞ୍ଜାବରେ ଲାଗିଲା ଏମରଜେନ୍ସି। ଏଠାକର ପ୍ରଦୂଷଣ ସ୍ତର ବ୍ୟାପକ ରୂପେ ବଢ଼ି ଚାଲିଛି। ସ୍ଥିତି ଏପରି ହୋଇଛି ଯେ ଏଠି ନିଶ୍ୱାସ ନେବା ବି ମୁସକିଲ ହୋଇପଡିଛି। ପାକିସ୍ତାନରେ ଏବେ ଏହା ସବୁଠୁ ବଡ ଚିନ୍ତାର କାରଣ ପାଲଟିଛି। ପ୍ରଦୂଷଣକୁ ଦୃଷ୍ଟରେ ରଖି ଏଠି ଏମରଜେନ୍ସି ଲାଗୁ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।
ଶୀତ ଆସିଲେ ଏଠି ବଢ଼ି ଚାଲୁଛି ପ୍ରଦୂଷଣ ମାତ୍ରା। ବିଷାକ୍ତ ହୋଇପଡୁଛି ବାୟୁ। ପାକିସ୍ତାନର ବିଭିନ୍ନ ଅଞ୍ଚଳରେ ପାରୋଲ ଜାଳୁଛନ୍ତି ଲୋକେ। ଲାହୋର ସହରରେ ପ୍ରଦୂଷଣ ସମସ୍ୟା ସହରବାସୀଙ୍କ ସମେତ ସରକାରଙ୍କର ମୁଣ୍ଡବିନ୍ଧାର କାରଣ ସାଜିଛି। ଏହାକୁ ନେଇ ପାକିସ୍ତାନର ପଞ୍ଜାବ ସରକାର ପୂରା ଅଞ୍ଚଳରେ 'ସ୍ମଗ ଏମରଜେନ୍ସି' ଲାଗୁ କରିଛନ୍ତି। ବାୟୁର ଗଣବତ୍ତା ଲଗାତର ଖରାପ ହେବା ପରେ ଲାହୋର ହାଇକୋର୍ଟ ସରକାରଙ୍କ ଉପରେ ବର୍ଷିଥିଲେ। ବାୟୁ ପ୍ରଦୂଷଣ ଦୂର କରିବା ପାଇଁ କ'ଣ କ'ଣ ପଦେକ୍ଷପ ନିଆଯାଇଛି ସେ ନେଇ ଜବାବ ମାଗିଥିଲେ।
କୋର୍ଟ ସହରରେ ଏମରଜେନ୍ସି ଲାଗୁ କରିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଦୂଷଣ କରୁଥିବା କାରଖାନାଗୁଡିକ ପୁଣି ଥରେ ନ ଖୋଲିବାକୁ ତାଗିଦ୍ କରିଛନ୍ତି। ଏଥିସହ ଲାହୋରର ଆୟୁକ୍ତଙ୍କ ସମେତ ସମସ୍ତ ଅଧିକାରୀ ସ୍କୁଲ ଓ କଲେଜ ଗସ୍ତ କରି ଏ ବିଷୟରେ ପିଲାଙ୍କୁ ଅବଗତ କରିବାକୁ କୋର୍ଟ କହିଛନ୍ତି। ପ୍ରଦୂଷଣ ଯୋଗୁ ଲାହୋର ବିଷାକ୍ତ ଗ୍ୟାସ ଚାମ୍ବରରେ ପରିଣତ ହୋଇଛି। ଏଥିଯୋଗୁ ସହରବାସୀଙ୍କ ମଧ୍ୟରେ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଛି।
ମଙ୍ଗଳବାର ଲାହୋର ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର ଭାବେ ତାଲିକାର ଶୀର୍ଷରେ ଥିବା ଏକ ସର୍ଭେରୁ ଜଣାପଡିଛି। ରିପୋର୍ଟ ଅନୁଯାୟୀ, ଏଠାରେ ବାୟୁର ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୨୫୫ ରହିଛି। ସୋମବାର ଏହା ୪୪୭ରେ ପହଞ୍ଚି ଯାଇଥିଲା। ତେଣୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ମୋହସିନ ନକବି ପଞ୍ଜାବରେ ସ୍ମଗ୍ ଏମରଜେନ୍ସି ଲାଗୁ କରିଛନ୍ତି। ଏଥିସହ ସମସ୍ତ ସରକାରୀ ଓ ଘରୋଇ ସ୍କୁଲର ଛାତ୍ରଛାତ୍ରୀଙ୍କୁ ମାସ୍କ ପିନ୍ଧିବାକୁ କୁହାଯାଇଛି। ଘରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ପାଇଁ ସାଧାରଣ ଜନତାଙ୍କୁ ଅନୁରୋଧ କରାଯାଇଛି।
ନିର୍ମାଣ କାମରେ ପାଣି ସିଞ୍ଚନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଯଦି ଏହାର ଖିଲାଫ ହୁଏ ତେବେ କଡା କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯିବ। ଏଥିସହ କୃଷକଙ୍କୁ ପାରୋଲ ନ ଜାଳିବାକୁ ମଧ୍ୟ ସରକାରଙ୍କ ତରଫରୁ ଅନୁରୋଧ କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
