Advertisment

ଇମ୍ରାନ ଖାନଙ୍କ ଭାଷଣ ଦେଖାଇବାରୁ ARY ଟିଭିର ପ୍ରସାରଣ ବନ୍ଦ

ଟିଭି ଚ୍ୟାନେଲ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଉତ୍ତେଜନା ସୃଷ୍ଟି କରିବା ଭଳି ବୟାନର ପ୍ରସାରଣ ରବିବାର କରିବାରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି।

author-image
Hemant Lenka
ARY News

ARY News

ପାକିସ୍ତାନର ଘରୋ ଟିଭି ନ୍ୟୁଜ ଚ୍ୟାନେଲ ARY ଟିଭିର ପ୍ରସାରଣ ଆଜି ବନ୍ଦ କରିଦିଆଯାଇଛି। ଏହି ଟିଭି ଚ୍ୟାନେଲ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଉତ୍ତେଜନା ସୃଷ୍ଟି କରିବା ଭଳି ବୟାନର ପ୍ରସାରଣ ରବିବାର କରିବାରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ପାକିସ୍ତାନ ମିଡିଆ ରେଗୁଲେଟର ପକ୍ଷରୁ ଇମ୍ରାନ ଖାନଙ୍କ ଭାଷଣର ପ୍ରସାରଣ ନ କରିବାକୁ ସବୁ ଚ୍ୟାନେଲକୁ କୁହାଯାଇଥିଲା। ଏହି ନିର୍ଦ୍ଦେଶକୁ ବେଖାତିର କରିବାରୁ ARY ଟିଭିର ପ୍ରସାରଣକୁ ଆଜି ଅଫ ଏୟାର ବା ବନ୍ଦ କରି ଦିଆଯାଇଛି।

Advertisment

ରବିବାର ରାତିରେ ପାକିସ୍ତାନ ବୈଦ୍ୟୁତିକ ଗଣମାଧ୍ୟମ ନିୟାମକ ପ୍ରାଧିକରଣ(PEMRA) ଗୋଟିଏ ନିର୍ଦ୍ଦେଶନାମା ଜାରି କରିଥିଲା। ଏଥିରେ କୁହାଯାଇଥିଲା ଯେ କୌଣସି ସ୍ୟାଟେଲାଇଟ ଟିଭି ଚ୍ୟାନେଲ ଇମ୍ରାନ ଖାନଙ୍କ ଭାଷଣର ସିଧାପ୍ରସାରଣ କିମ୍ବା ରେକର୍ଡିଂ ପ୍ରସାରଣ କରିପାରିବେ ନାହିଁ। ରବିବାର ଗୋଟିଏ ଦୁର୍ନୀତି ମାମଲାରେ ପୁଲିସ୍‌ ଇମ୍ରାନଙ୍କୁ ଗିରଫ କରିବାକୁ ଯାଇଥିବା ବେଳେ ସେ ସମସ୍ତଙ୍କୁ ଚକମା ଦେଇ ଖସି ଯାଇଥିଲେ। ଏହାପରେ ହିଁ ତାଙ୍କ ଭାଷଣ ନ ଦେଖାଇବାକୁ କୁହାଯାଇଥିଲା।

ଏହା ସତ୍ତ୍ୱେ ଏଆରୱାଇ ଟିଭି ଇମ୍ରାନଙ୍କ ଭାଷଣ ଦେଖାଇଥିଲା। ଏଥିପାଇଁ ଉକ୍ତ ଚ୍ୟାନେଲର ପ୍ରସାରଣକୁ ଆଜି ବନ୍ଦ କରି ଦିଆଯାଇଛି। PEMRA ପକ୍ଷରୁ କୁହାଯାଇଛି ଯେ ପାକିସ୍ତାନ ତେହେରିନ-ଇ-ଇନସାଫର ଅଧ୍ୟକ୍ଷ ଇମ୍ରାନ ଖାନ ତାଙ୍କ ଭାଷଣ ଓ ବିବୃତିରେ କ୍ରମାଗତ ଭାବେ ବିଭିନ୍ନ ପ୍ରତିଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ବିରୋଧରେ ଭିତ୍ତିହୀନ ଅଭିଯୋଗ ଲଗାଇ ଆସୁଛନ୍ତି।

Advertisment

ଏହାଦ୍ୱାରା ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟୟ ହେବାର ଆଶଙ୍କା ରହିଛି। ତାଙ୍କ ଭାଷଣ ପାକିସ୍ତାନର ସମ୍ବିଧାନର ଧାରା ୧୯ ଓ ସୁପ୍ରିମକୋର୍ଟଙ୍କ ରାୟକୁ ଉଲ୍ଲଙ୍ଘନ କରୁଛି। ତେଣୁ ତାଙ୍କ ବୟାନକୁ କେହି ବି ପ୍ରସାରଣ କରିବେ ନାହିଁ। ତତ୍କାଳ ଭାବେ ଇମ୍ରାନ ଖାନଙ୍କ ଭାଷଣକୁ ସବୁ ସ୍ୟାଟେଲାଇଟ ଚ୍ୟାନେଲ ବ୍ୟାନ କରିବେ ବୋଲି ନିର୍ଦ୍ଦେଶ ଦିଆଯାଉଛି। ଏସବୁ ସତ୍ତ୍ୱେ ତାଙ୍କ ଭାଷଣ ପ୍ରସାରଣ କରାଯାଇଥିବାରୁ ARY ଟିଭି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Pakistan Imran Khan