Pakistan
ପାକିସ୍ତାନର ଅସ୍ତିତ୍ୱ ପ୍ରତି ଭାରତ ବିପଦ। ପାକିସ୍ତାନ ନିଜେ ଏହା ମନେ କରୁଛି। ଆମେରିକାର ଡିଫେନ୍ସ ଇଣ୍ଟେଲିଜେନ୍ସ ଏଜେନ୍ସୀ ପକ୍ଷରୁ ପ୍ରକାଶିତ ‘ବିଶ୍ୱବ୍ୟାପୀ ବିପଦ ଆକଳନ ରିପୋର୍ଟ ୨୦୨୫’ର ତଥ୍ୟ ଏହା କହୁଛି। କିନ୍ତୁ ଚୀନକୁ ତା’ର ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ମନେ କରୁଛି ଭାରତ। ପାକିସ୍ତାନକୁ ନିଜ ସୁରକ୍ଷା ସହିତ ଜଡ଼ିତ ସମସ୍ୟା ବୋଲି ମନେ କରେ ଭାରତ ଓ ଏହାକୁ ସେ ସମ୍ଭାଳି ପାରିବ ବୋଲି ମନେ କରେ।
ଏହି ରିପୋର୍ଟରେ କୁହାଯାଇଛି, ପାକିସ୍ତାନ ତା’ର ଅସ୍ତିତ୍ୱ ପାଇଁ ଭାରତ ବିପଦ ବୋଲି ମନେ କରୁଛି। ପାକିସ୍ତାନ ତା’ର ସେନାର ଆଧୁନିକୀକରଣକୁ ଗୁରୁତ୍ୱ ଦେବ। ସେଥିରେ ସେ ପରମାଣୁ ଅସ୍ତ୍ରଶସ୍ତ୍ରର ଆଧୁନିକୀକରଣ ଉପରେ ମଧ୍ୟ ଗୁରୁତ୍ୱ ଦେବ। ପାକିସ୍ତାନ ତା’ର ପରମାଣୁ ଶସ୍ତ୍ରାଗାରର ଆଧୁନିକୀକରଣ କରୁଛି। ଗଣବିଧ୍ୱଂସୀ ଅସ୍ତ୍ର ତିଆରି କରିବା ପାଇଁ ଏହା ବିଦେଶରୁ ସରଞ୍ଜାମ ଆଣୁଛି। ପାକିସ୍ତାନ ଚୀନଠାରୁ ଆର୍ଥିକ ଓ ସାମରିକ ସହଯୋଗ ପାଉଛି। ପାକିସ୍ତାନ ସେନା ଚୀନ ସେନା ସହ ମିଶି ଅନେକ ସାମରିକ ଅଭ୍ୟାସ କରୁଛି। ଗଣବିଧ୍ୱଂସୀ ଅସ୍ତ୍ର ତିଆରି କରିବା ପାଇଁ ପାକିସ୍ତାନ ବିଶେଷ ଭାବେ ଚୀନରୁ ଆନୁଷଙ୍ଗିକ ସାମଗ୍ରୀ ଆଣିବା ସହିତ ବୈଷୟିକ ସହାୟତା ମଧ୍ୟ ପାଉଛି। ବେଳେବେଳେ ସିଙ୍ଗାପୁର, ତୁର୍କୀ ଓ ୟୁଏଇ ଦେଇ ପାକିସ୍ତାନ ପାଖରେ ପହଞ୍ଚୁଛି ବିନାଶକାରୀ ଅସ୍ତ୍ରଶସ୍ତ୍ର ତିଆରି ପାଇଁ ଆବଶ୍ୟକ ସାମଗ୍ରୀ। ତେବେ ପାକିସ୍ତାନରେ କାମ କରୁଥିବା ଚୀନର ଶ୍ରମିକମାନଙ୍କୁ ଆତଙ୍କବାଦୀମାନେ ଆକ୍ରମଣ କରିବା ପରେ ଗୋଟିଏ ସମୟରେ ଏହି ଦୁଇ ଦେଶ ମଧ୍ୟରେ ମନୋମାଳିନ୍ୟ ଦେଖାଯାଇଥିଲା। ୨୦୨୪ରେ ପାକିସ୍ତାନରେ ଚୀନର ୭ ଜଣ ନାଗରିକଙ୍କୁ ହତ୍ୟା କରାଯାଇଥିଲା। ଭାରତ ବ୍ୟତୀତ ଆଫଗାନିସ୍ତାନ ଓ ଇରାନ ସହିତ ଲାଗିଥିବା ଝଗଡ଼ା, ଦେଶ ଭିତରେ ରହିଥିବା ସମସ୍ୟା- ଯେମିତିକି ବଲୁଚିସ୍ତାନର ବିଦ୍ରୋହ ଓ ଆତଙ୍କବାଦୀ କାର୍ଯ୍ୟକଳାପ ପାକିସ୍ତାନ ପାଇଁ ଚଳିତ ବର୍ଷ ଅନ୍ୟତମ ଶୀର୍ଷ ପ୍ରସଙ୍ଗ ହେବ ବୋଲି ପ୍ରକାଶିତ ରିପୋର୍ଟରେ କୁହାଯାଇଛି।
ଭାରତ ସଂପର୍କରେ
ଏହି ରିପୋର୍ଟ ପୂର୍ବାନୁମାନ କରିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିରକ୍ଷା ପ୍ରାଥମିକତା ସମ୍ଭବତଃ ଭାରତକୁ ବୈଶ୍ୱିକ ନେତୃତ୍ୱ (ଗ୍ଲୋବାଲ ଲିଡରଶିପ) ରୂପେ ପ୍ରସ୍ତୁତ କରିବା, ଚୀନର ମୁକାବିଲା କରିବା ଓ ନୂଆଦିଲ୍ଲୀର ସୈନ୍ୟ ଶକ୍ତି ବୃଦ୍ଧି କରିବା ଉପରେ କେନ୍ଦ୍ରିତ ହେବ। ଭାରତ ଚୀନକୁ ତା’ର ପ୍ରତିଦ୍ୱନ୍ଦ୍ୱୀ ମନେ କରେ। ମେ’ ମାସରେ ଭାରତ ଓ ପାକିସ୍ତାନ ସେନା ମଧ୍ୟରେ ଲଢ଼େଇ ହୋଇଥିଲେ ହେଁ ପାକିସ୍ତାନକୁ ନିଜ ସୁରକ୍ଷା ସହିତ ଜଡ଼ିତ ସମସ୍ୟା ବୋଲି ମନେ କରେ ଭାରତ। ଏହି ରିପୋର୍ଟରେ ଭାରତ ପାକିସ୍ତାନ ଓ ପିଓକେରେ ଆତଙ୍କୀ ଠିକଣା ଉପରେ ଆକ୍ରମଣ କରିଥିବା କଥା ମଧ୍ୟ ଉଲ୍ଲେଖ ରହିଛି।
‘ଭାରତ ମହାସାଗର’ରେ ଦ୍ୱିପାକ୍ଷିକ ପ୍ରତିରକ୍ଷା ଚୁକ୍ତି ଉପରେ ଭାରତ ଗୁରୁତ୍ୱ ଦେଉଛି। ଭାରତ ମହାସାଗର ଉପରେ ଚୀନର ପ୍ରଭାବକୁ ହ୍ରାସ କରିବାକୁ ଭାରତ ଏହା ଉପରେ ଗୁରୁତ୍ୱ ଦେଉଛି।
ଏହି ରିପୋର୍ଟରେ ଭାରତ-ଚୀନ ସୀମା ବିବାଦ ଉପରେ ମଧ୍ୟ ଉଲ୍ଲେଖ କରାଯାଇଛି। ଉଭୟ ପକ୍ଷ ମଧ୍ୟରେ ସୀମା ବିବାଦର ସମାଧାନ ହୋଇନାହିଁ। ତେବେ ୨୦୨୦ର ସଂଘର୍ଷ ପରଠାରୁ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ହ୍ରାସ ପାଇଛି ବୋଲି ଏହି ରିପୋର୍ଟ ଦର୍ଶାଇଛି।
ସେହିପରି ଚଳିତ ବର୍ଷ ପ୍ରତିରକ୍ଷା ସାମଗ୍ରୀ ପ୍ରସ୍ତୁତ ପାଇଁ ଭାରତ ‘ମେଡ୍ ଇନ୍ ଇଣ୍ଡିଆ’କୁ ପ୍ରୋତ୍ସାହିତ କରିବ ବୋଲି ରିପୋର୍ଟରେ ଲେଖାଯାଇଛି। ସେନାର ଆଧୁନିକୀକରଣକୁ ପୂର୍ବବର୍ଷ ଭଳି ଏ ବର୍ଷ ମଧ୍ୟ ଭାରତ ଗୁରୁତ୍ୱ ଦେବ। ୨୦୨୫ରେ ରୁଷ ସହିତ ତା’ର ସଂପର୍କକୁ ଭାରତ ପୂର୍ବବତ୍ ଅବ୍ୟାହତ ରଖିବ। ନିଜର ଅର୍ଥନୀତିକ ଓ ସାମରିକ ଲକ୍ଷ୍ୟ ପୂରଣ କରିବା ଦିଗରେ ରୁଷ ସହିତ ସଂପର୍କକୁ ବଜାୟ ରଖିବ ଭାରତ। ମୋଦିଙ୍କ ନେତୃତ୍ୱାଧୀନ ଭାରତ ରୁଷଠାରୁ ଅସ୍ତ୍ରଶସ୍ତ୍ର କିଣିବା ହ୍ରାସ କରି ଦେଇଛି। କିନ୍ତୁ ଏହା ପାଖରେ ଥିବା ରୁଷ ନିର୍ମିତ ଟ୍ୟାଙ୍କ ଓ ଯୁଦ୍ଧ ବିମାନଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ଦରକାର ସ୍ପେୟାର ପାର୍ଟଗୁଡ଼ିକୁ ଏହାକୁ ରୁଷରୁ ହିଁ କ୍ରୟ କରିବାକୁ ପଡ଼ିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Pakistan_1748184017.jpg)