ପହଲଗାମ ନରସଂହାରର ବଦଲା ନେବାକୁ ଭାରତର ପ୍ରସ୍ତୁତି ଦେଖି ଛାନିଆ ହୋଇପଡ଼ିଛି ପାକିସ୍ତାନ। ଭାରତର ଘନଘନ ବୈଠକ ଯୋଗୁ ପାକିସ୍ତାନ ଛାତି ଧଡ଼ଧଡ଼ ହେବାରେ ଲାଗିଛି। ଆତଙ୍କିସ୍ତାନ ଭାବେ ପରିଚିତ ପାକିସ୍ତାନ ଏବେ ଆତଙ୍କିତସ୍ତାନରେ ପରିଣତ ହୋଇଛି। ପହଲଗାମ ନରସଂହାର ଘଟଣାରେ ଭାରତୀୟ ନେତାଙ୍କ ରଣହୁଙ୍କାର, କୂଟନୀତିକ ପଦକ୍ଷେପ ଠାରୁ ଆରମ୍ଭ କରି ସେନାକୁ ଫ୍ରି ହ୍ୟାଣ୍ଡ ଦେଇ ନୂଆଦିଲ୍ଲୀ ସ୍ପଷ୍ଟ କରିସାରିଛି ଯେ ପହଲଗାମ ନରରାକ୍ଷସଙ୍କୁ ଆଦୌ ଛଡ଼ା ଯିବ ନାହିଁ।
ମଙ୍ଗଳବାର ପ୍ରଧାନମନ୍ତ୍ରୀ ୩ ସେନା ମୁଖ୍ୟ ଓ ସିଡିଏସଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିବା ପରେ ପାକିସ୍ତାନ ଉପରେ ଆକ୍ରମଣର ସଙ୍କେତ ଆହୁରି ସ୍ପଷ୍ଟ ହୋଇଛି। ଆତଙ୍କବାଦ ବିରୋଧରେ ଭାରତ ଅଲଆଉଟ ଆକ୍ରମଣ କରିବାକୁ ରଣନୀତିକ ପ୍ରସ୍ତୁତ ହେଉଥିବା ବେଳେ ପାକିସ୍ତାନ ଭୟରେ ଥରିବାରେ ଲାଗିଛି।
୨୦୧୬ ଉରି ଓ ୨୦୧୯ ପୁଲୱାମା ହମଲା ପରେ ଭାରତୀୟ ସେନା ପାକିସ୍ତାନ ଭିତରେ ପଶି ଭୟଙ୍କର ପ୍ରହାର କରିଥିଲେ। ଏବେ ସମାନ ଧରଣର କାର୍ଯ୍ୟାନୁଷ୍ଠାନ ଭୟରେ ପାକିସ୍ତାନ ଆତଙ୍କିତ ହୋଇ ଉଠିଛି। ପୂର୍ବ ହମଲା କଥା ଭାବି ପାକିସ୍ତାନର ନିଦ ଏବେ ହଜି ଯାଇଛି। ଏହାର ଜ୍ୱଳନ୍ତ ଉଦାହରଣ ପାକିସ୍ତାନର ସୂଚନା ମନ୍ତ୍ରୀ ଅତାଉଲ୍ଲା ତରାରଙ୍କ ବୟନାରୁ ସ୍ପଷ୍ଟ ହୋଇଛି।
ମଙ୍ଗଳବାର ମୋଦିଙ୍କ ବୈଠକ ଦେଖି ବିଳମ୍ବିତ ରାତିରେ ଅତାଉଲ୍ଲା କ୍ୟାମେରା ସାମ୍ନାକୁ ଆସିଥିଲେ। ଏହାପରେ ଭାରତ ୨୪ରୁ ୩୬ ଘଣ୍ଟା ମଧ୍ୟରେ ପାକିସ୍ତାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ବୋଲି କହିଥିଲେ।
ପାକିସ୍ତାନରେ ସକ୍ରିୟ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତାଏବାର ପ୍ରକ୍ସି ଟିଆରଏଫ ପହଲଗାମ ନରସଂହାର ପାଇଁ ନିଜକୁ ଦାୟୀ କରିଛି। ଟିଆରଏଫର ସ୍ୱୀକାରଉକ୍ତି ପରେ ପହଲଗାମ ଆକ୍ରମଣ ପାକିସ୍ତାନ ହାତ ଥିବା ଭାରତ ଜାଣିବାକୁ ପାଇଛି। ପାକିସ୍ତାନର ମିଲିଟାରୀ ପ୍ରତିଷ୍ଠାନ ଓ ଆଇଏସଆଇର ବିନା ସହାୟତାରେ କଶ୍ମୀରରେ ଏତେ ବଡ଼ ଆକ୍ରମଣ ସମ୍ଭବ ନୁହେଁ ବୋଲି ଭାରତ ହାତରେ ପ୍ରମାଣ ଲାଗିଛି।
ଭାରତ ସିଧାସଳଖ ପାକିସ୍ତାନକୁ ପହଲଗାମ ନରସଂହାର ପାଇଁ ଦାୟୀ କରିବା ଓ ପ୍ରଧାନମନ୍ତ୍ରୀ ମୋଦି ହମଲା ପଛରେ ଥିବା ଲୋକଙ୍କୁ ମାଟିରେ ମିଶାଇ ଦେବେ ବୋଲି କହିବା ପରେ ଇସଲାମାବାଦରେ କୋକୁଆ ଭୟ ଦେଖାଯାଇଛି। ସେହିପରି ଭାରତର ପହଲଗାମ ରଣହୁଙ୍କାର ବେଳେ ଭାରତୀୟ ନୌସେନା ଓ ବାୟୁ ସେନା ଯୁଦ୍ଧାଭ୍ୟାସ କରିବା ମଧ୍ୟ ପାକିସ୍ତାନକୁ ଆହୁରି ଡରାଇ ଦେଇଛି।
ପାକିସ୍ତାନକୁ ପାନେ ଦେବା ପାଇଁ ଭାରତ ପାଖରେ ଉଭୟ କୂଟନୀତିକ ଓ ସଶସ୍ତ୍ର କାର୍ଯ୍ୟାନୁଷ୍ଠାନର ବିକଳ୍ପ ରହିଛି। ପ୍ରଥମ ପଦକ୍ଷେପ ସ୍ୱରୂପ ଭାରତ ସରକାର ପାକିସ୍ତାନ ସହ ସିନ୍ଧୁ ଜଳ ଚୁକ୍ତି ବାତିଲ କରିଛନ୍ତି। ସେହିପରି ପାକିସ୍ତାନୀଙ୍କ ଭିସା ରଦ୍ଦ କରିବା ସହ ଅଟ୍ଟାରୀ-ୱାଘା ସୀମାକୁ ସିଲ କରିଛନ୍ତି। ଏସବୁ ଦେଖି ପାକିସ୍ତାନ ଆତଙ୍କିତ ହୋଇପଡ଼ିଛି। ଭୟରେ ପାକିସ୍ତାନ କ’ଣ ସବୁ ପଦକ୍ଷେପ ନେଇଛି ଜାଣନ୍ତୁ।
ସୀମାରେ ରାଡର ଖଞ୍ଜି ଯୁଦ୍ଧାଭ୍ୟାସ ଆରମ୍ଭ କରିଛି ପାକିସ୍ତାନ : ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନକୁ ପ୍ରଶମିତ କରିବା ପାଇଁ ଏଲଓସିରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି ପାକିସ୍ତାନ। ଭାରତର ସମ୍ଭାବ୍ୟ ଏୟାର ଷ୍ଟ୍ରାଇକକୁ ରୋକିବା ପାଇଁ ପାକିସ୍ତାନୀ ଆର୍ମି ତା’ର ରାଡର ବ୍ୟବସ୍ଥାକୁ ସିଆଲକୋଟର ଫରୱାର୍ଡ ପୋଜିସନରେ ସ୍ଥାପିତ କରିଛି। ଫିରୋଜପୁର ସେକ୍ଟରରେ ଭାରତର ଗତିବିଧିକୁ ଟ୍ରାକ କରିବା ପାଇଁ ବୈଦ୍ୟୁତିକ ଯୁଦ୍ଧାସ୍ତ୍ରଗୁଡ଼ିକ ଲଗାଯାଇଛି।
ରାଫେଲ ସମେତ ଭାରତର ସମ୍ମୁଖଭାଗ ଯୁଦ୍ଧ ବିମାନଗୁଡ଼ିକ ଆକ୍ରମଣ ନାଁରେ ବଡ଼ଧରଣର ସାମରିକ ଅଭ୍ୟାସ କରିଥିବା ବେଳେ ନୌସେନା ପକ୍ଷରୁ ମଧ୍ୟ କିଛି ଯୁଦ୍ଧାଭ୍ୟାସ କରାଯାଇଛି। ଏହାକୁ ଦେଖି ପାକିସ୍ତାନ ସତର୍କ ହୋଇଛି ଓ ଏୟାର ଡ୍ରିଲ୍ସ ବି କରିଛି।
ଲଞ୍ଚପ୍ୟାଡରୁ ଆତଙ୍କବାଦୀଙ୍କୁ ବଙ୍କରକୁ ନେଲା ପାକିସ୍ତାନ: ପହଲଗାମ ନରସଂହାର ପାଇଁ ପିଓକରେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା। ଭାରତ ଏଠାରେ ଥିବା ଆତଙ୍କବାଦୀ ଲଞ୍ଚପ୍ୟାଡଗୁଡ଼ିକ ଉପରେ ଆକ୍ରମଣ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ସେହି ଭୟରେ ପାକିସ୍ତାନ ଆତଙ୍କବାଦୀମାନଙ୍କୁ ଲଞ୍ଚପ୍ୟାଡରୁ ଆର୍ମି ଶେଲଟର ଓ ବଙ୍କରକୁ ସ୍ଥାନାନ୍ତର କରିଛି। ଭାରତୀୟ ଗୁଇନ୍ଦା ସଂସ୍ଥା ପିଓକେରେ ସକ୍ରିୟ ଥିବା ଏକାଧିକ ଆତଙ୍କୀ ଲଞ୍ଚପ୍ୟାଡକୁ ଚିହ୍ନଟ କରିଥିବାରୁ ପାକିସ୍ତାନ ଏପରି ପଦକ୍ଷେପ ନେଇଛି।
ପିଓକେର କେଲ, ସାର୍ଡି, ଧୁଧନିଆଲ, ଅଥମୁକାମ, ଜୁରା, ଲିପା, ପଚିବନ, ଫରୱାର୍ଡ କଠୁଆ, କୋଟଲି, ଖୁଇରାଟ୍ଟା, ମାନ୍ଧର, ନିକାଇଲ, ଚମନକୋଟ ଓ ଜନକୋଟରୁ ଆତଙ୍କବାଦୀ ସ୍ଥାନାନ୍ତର ହୋଇଛନ୍ତି। ଏଠାରେ ଥିବା ଲଞ୍ଚପ୍ୟାଡଗୁଡ଼ିକରେ ଆତଙ୍କବାଦୀମାନେ ରୁହନ୍ତି ଓ ସମୟକ୍ରମେ ଏଲଓସି ଦେଇ ଜମ୍ମୁ-କଶ୍ମୀରରେ ଅନୁପ୍ରବେଶ କରନ୍ତି।
ଏଲଓସିରେ କ୍ରମାଗତ ଗୁଳି ମାଡ଼ : ପହଲଗାମ ଆକ୍ରମଣ ପରଠାରୁ ପାକିସ୍ତାନ ସେନା ଏଲଓସିରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ନିୟମିତ ଗୁଳିମାଡ଼ କରି ଚାଲିଛି। ଭାରତୀୟ ସେନା ଏହାର ଜବାବ ଦେଉଥିଲେ ହେଁ ପାକିସ୍ତାନ ସୁଧୁରିବାର ନାଁ ଧରୁନି। କୁପୱାଡା ଓ ବାରମୁଲ୍ଲା ଜିଲ୍ଲା ସମେତ ଅଖନୁର ସେକ୍ଟରରେ ୨୩ ତାରିଖରୁ ପାକିସ୍ତାନ ପର୍ଯ୍ୟାୟକ୍ରମେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରୁଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପାକିସ୍ତାନ ଆର୍ମି ପ୍ରଥମଥର ପାଇଁ ଜମ୍ମୁର ପରାଗୱାଲ ସେକ୍ଟର ସ୍ଥିତ ଅନ୍ତର୍ଜାତୀୟ ସୀମାରେ ଗୁଳି ମାଡ଼ କରିବା ଭଳି ହରକତ ଦେଖାଇଛି। ଏପ୍ରିଲ ୨୯-୩୦ ତାରିଖ ରାତିରେ ପାକିସ୍ତାନ ସ୍ୱଂୟଚାଳିତ ବନ୍ଧୁକ ଓ ମୋର୍ଟାର ମାଡ଼ କରିଥିବା ଜଣାପଡ଼ିଛି।
ପାକିସ୍ତାନ ମନ୍ତ୍ରୀମାନଙ୍କ ବଚଳିତ ହେବା ଭଳି ବୟାନ: ପାକିସ୍ତାନ ସୂଚନା ମନ୍ତ୍ରୀ ଅତାଉଲ୍ଲା ତରାର ୨୪ରୁ ୩୬ ଘଣ୍ଟା ମଧ୍ୟରେ ଭାରତ ଆକ୍ରମଣ କରିବରା ଭଳି ବୟାନ ଦେବା ଇସଲାମାବାଦର ଡରକୁ ଦର୍ଶାଇଛି। ଭାରତ ଆକ୍ରମଣ କରିବ ବୋଲି ସେ ଆଶଙ୍କା କରଥିଲେ ହେଁ ନୂଆଦିଲ୍ଲୀକୁ ମଧ୍ୟ ନାଲିଆଖି ଦେଖାଇଛନ୍ତି। ଭାରତ ଆକ୍ରମଣ କଲେ ଏହାର ପରିଣାମ ଭୟଙ୍କର ହେବ ବୋଲି ଅତାଉଲ୍ଲା କହିଛନ୍ତି।
ହେଲେ ଅନ୍ୟପକ୍ଷରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ମିଳିତ ଜାତିସଂଘକୁ ଗୁହାରୀ କରି ଭାରତକୁ ବୁଝାଇବାକୁ କହିବା ଇସଲାମାବାଦର ଭୟକୁ ପଦାରେ ପକାଇଛି। ସେହିପରି ସେ ପହଲଗାମ ଆତଙ୍କବାଦୀ ଆକ୍ରମଣର ନିରପେକ୍ଷ ତଦନ୍ତ କଥା କହି ପରୋକ୍ଷରେ ଉତ୍ତେଜନା ହ୍ରାସ କରିବା ପାଇଁ ଜାତିସଂଘ ଜରିଆରେ ଭାରତକୁ ଅନୁରୋଧ କରିଛନ୍ତି।
ସହଯୋଗୀଙ୍କ ଶରଣରେ ପାକିସ୍ତାନ : ଭାରତର ରଣହୁଙ୍କାରରେ ଡରି ପାକିସ୍ତାନ ଏବେ ତା’ର ସହଯୋଗୀମାନଙ୍କ ପାଖରେ ସହାୟତା ଲୋଡ଼ିଛି। ବିଶେଷ କରି ତୁର୍କୀ ଓ ଚାଇନା ଶରଣରେ ପାକିସ୍ତାନ ପହଞ୍ଚିଛି। ଏପ୍ରିଲ ୨୭ରେ ପାକିସ୍ତାନର ଉପ ମୁଖ୍ୟମନ୍ତ୍ରୀ ଈଶାକ ଡାର ଚାଇନାର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ସହ ଫୋନରେ କଥା ହୋଇଛନ୍ତି। ପହଲଗାମ ଆକ୍ରମଣ ପରେ ଭାରତ ପକ୍ଷରୁ ରହିଥିବା ଭୟ ସମ୍ପର୍କରେ ସେ ତାଙ୍କ ସହ ଆଲୋଚନା କରିଥିଲେ। ଏହାପରେ ଡାର ବ୍ରିଟିଶ ବୈଦେଶିକ ମନ୍ତ୍ରୀ ଡାଭିଡ ଲାମ୍ମୀଙ୍କୁ ମଧ୍ୟ ସବୁ କଥା କହିଥିଲେ। ପହଲଗାମ ଆକ୍ରମଣର ତଦନ୍ତ ପାଇଁ ପାକିସ୍ତାନ ପକ୍ଷରୁ ଚାଇନା, ରୁଷ କିମ୍ବା ପଶ୍ଚିମ ଦେଶର ବିଶେଷଜ୍ଞ କମିଟି ଦ୍ୱାରା କରିବାକୁ ପ୍ରସ୍ତାବ ଦେଇଛି।
ଭାରତକୁ ପ୍ରମୁଖ ସହଯୋଗୀଙ୍କ ସମର୍ଥନ : ପାକସ୍ତାନ ସହଯୋଗ ମାଗିଥିଲେ ହେଁ ଅନେକ ପ୍ରମୁଖ ଦେଶ ଇସଲାମାବାଦ ସହ ଏକମତ ହୋଇ ନାହାନ୍ତି। କେବଳ ଚାଇନା ନିରପେକ୍ଷ ତଦନ୍ତ ସପକ୍ଷରେ ମତ ରଖିଛି। କିନ୍ତୁ ଚାଇନା ଏବେ ନିଜ ବିବାଦରେ ବ୍ୟସ୍ତ ରହିଛି। ଆମେରିକା ଓ ଚାଇନା ମଧ୍ୟରେ ଚାଲିଥିବା ଟାରିଫ ୱାର ବେଜିଂର ମୁଣ୍ଡବିନ୍ଧାର କାରଣ ପାଲଟିଛି। ତେଣୁ ଚାଇନା ପୂରା ସମର୍ଥନ ପାକିସ୍ତାନକୁ ଦେବା ଅସମ୍ଭବ। ହେଲେ ଭାରତକୁ ସହଯୋଗୀମାନେ ଆତଙ୍କବାଦ ବିରୋଧୀ ଲଢ଼େଇରେ ସହାୟତା କରିବେ ବୋଲି କହିବା ପରେ ପାକିସ୍ତାନ ଛାନିଆ ହୋଇଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।