ପାକିସ୍ତାନ ପଠାଇଥିବା ରିଲିଫ ସାମଗ୍ରୀ
ପୁଣି ବିଶ୍ୱ ଦରବାରରେ ହଟହଟା ହୋଇଛି ପାକିସ୍ତାନ। ଭୟଙ୍କର ବନ୍ୟା ଯୋଗୁ ଉବୁଟୁବୁ ହେଉଥିବା ଶ୍ରୀଲଙ୍କାକୁ ସହାୟତା କରିବାକୁ ଯାଇ ଲୋକ ହସା ହୋଇଛି ପାକିସ୍ତାନ। ବନ୍ୟା କ୍ଷତିଗ୍ରସ୍ତ ଶ୍ରୀଲଙ୍କାକୁ ସହାନୁଭୂତି ଦେଖାଇବାକୁ ଉଦ୍ୟମ କରି ପାକିସ୍ତାନ ଲଜ୍ଜାଜନକ ସ୍ଥିତିର ସମ୍ମୁଖୀନ ହୋଇଛି।
ପାକିସ୍ତାନ ପକ୍ଷରୁ ଶ୍ରୀଲଙ୍କାକୁ ଏକ୍ସପାରୀ ରିଲିଫ ସାମଗ୍ରୀ ପଠାଯାଇଛି। ଶ୍ରୀଲଙ୍କାକୁ ବିପୁଳ ପରିମାଣର ରିଲିପ ଜିନିଷ ପାକିସ୍ତାନ ପଠାଉଥିବା କଥା କହି ଏହାର ଫଟୋ ରିଲିଜ କରିଛି। ହେଲେ ପାକିସ୍ତାନ ପଠାଇଥିବା ରିଲିଫ ସାମଗ୍ରୀର ଏକ୍ସପାରୀ ନଥିବା ସେଥିରେ ଉଲ୍ଲେଖ ରହିଛି।
ପାକିସ୍ତାନ(Pakistan) ହାଇକମିଶନ ପକ୍ଷରୁ ଏହି ରିଲିଫ ସାମଗ୍ରୀର ଫଟୋ ସୋଶାଲ ମିଡିଆରେ ପୋଷ୍ଟ କରାଯାଇଛି। ଏସବୁର ଏକ୍ସପାରୀ ୧୦/୨୦୨୪ରୁ ଶେଷ ହୋଇଥିବା ଜଳଜଳ ହୋଇ ଦେଖିବାକୁ ମିଳିଛି। ଏହି ଫଟୋ ସାମ୍ନାକୁ ଆସିବା ପରେ ପାକିସ୍ତାନକୁ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡ଼ିଛି।
ଇସଲାମାବାଦ ପକ୍ଷରୁ ଶ୍ରୀଲଙ୍କାକୁ ସହାୟତା ଯୋଗାଇ ଦିଆଯାଉଥିବା କଥା ବିଶ୍ୱକୁ ଜଣାଇବା ପାଇଁ ପାକିସ୍ତାନ ହାଇ କମିଶନ ରିଲିଫ ସାମଗ୍ରୀର ଫଟୋକୁ ଏକ୍ସରେ ପୋଷ୍ଟ କରିଥିଲା। ହେଲେ ଏକାଧିକ ରିଲିଫ ପ୍ୟାକେଜରେ ଏକ୍ସପାରୀ ତାରିଖ ୧୦/୨୦୨୪ ଉଲ୍ଲେଖ ରହିଛି। ଭୟଙ୍କର ବନ୍ୟାର ସମ୍ମୁଖୀନ ହୋଇଥିବା ଗୋଟିଏ ଦେଶକୁ ପାକିସ୍ତାନ ସହାୟତା କରିବା ବଦଳରେ ଲୋକ ଦେଖାଣିଆ ଭାବେ ଏକ୍ସପାରୀ ସାମଗ୍ରୀ ପଠାଉଥିବା ଲୋକମାନେ କଟାକ୍ଷ କରି କହିଛନ୍ତି।
ପାକିସ୍ତାନ ହାଇ କମିଶନର ରିଲିଫ ସାମଗ୍ରୀର ଫଟୋ ପୋଷ୍ଟ କରି ଲେଖିଥିଲା ଯେ “ସବୁବେଳେ ଏକାଠି। ଶ୍ରୀଲଙ୍କା ସହ ପାକିସ୍ତାନ ଆଜି ଓ ସବୁବେଳେ ଛିଡ଼ା ହୋଇଛି।” ହେଲେ ଏହି ଉତ୍ସାହିତ ପୋଷ୍ଟ ମାତ୍ର କିଛି ମିନିଟ ମଧ୍ୟରେ ପାକିସ୍ତାନ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଛି।
ସୋଶାଲ ମିଡିଆ ବ୍ୟବହାରକାରୀ ତୁରନ୍ତ ଏକ୍ସାପାରୀ ମାର୍କକୁ ଖୋଜି ବାହାର କରି ଦେଇଛନ୍ତି। ପ୍ରାୟ ବର୍ଷକ ତଳକୁ ବ୍ୟବହାର ଅନୁପଯୋଗୀ ହୋଇ ସାରିଥିବା ସାମଗ୍ରୀକୁ ପାକିସ୍ତାନ ରିଲିଫ ଆକାରରେ ଶ୍ରୀଲଙ୍କାକୁ କାହିଁକି ପଠାଉଛି ବୋଲି ଅନେକ ପ୍ରଶ୍ନ କରିଛନ୍ତି।
ଅନେକ ଅଭିଯୋଗ କରିଛନ୍ତି ଯେ ଯେଉଁ ସବୁ ଜିନିଷର ନିଜସ୍ୱ ଜୀବନ ନାହିଁ, ସେସବୁ ପାକିସ୍ତାନ ପକ୍ଷରୁ ଶ୍ରୀଲଙ୍କାକୁ ପଠାଇ ଯାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ପୀଡ଼ିତଙ୍କୁ ଅପମାନିତ କରାଯାଇଛି। ଏକ୍ସପାରୀ ଲେବଲ୍ସର ଯାଞ୍ଚ ନ କରି ହାଇକମିଶନ କାହିଁକି ଉତ୍ସାହର ସହ ରିଲିଫ ସାମଗ୍ରୀର ଫଟୋ ପୋଷ୍ଟ କଲା ବୋଲି କିଛି ସୋଶାଲ ମିଡିଆ ବ୍ୟବହାରକାରୀ ପ୍ରଶ୍ନ କରିଛନ୍ତି। ତେବେ ଏଯାଏ ପାକିସ୍ତାନ ପକ୍ଷରୁ ଏହାର ଜବାବ ଦିଆଯାଇ ନାହିଁ।
ପାକିସ୍ତାନ ନିଜର କନସାଇନମେଣ୍ଟ ଯୋଗୁ ପ୍ରଶ୍ନ ଘେରରେ ରହିଥିବା ବେଳେ ଶ୍ରୀଲଙ୍କାକୁ ସହାୟତା ପଠାଇବାରେ ଲାଗିଛି ଭାରତ। ବାତ୍ୟା ଦିତୱା(Cyclone Ditwa) ଦ୍ୱାରା ପ୍ରଭାବିତ ଶ୍ରୀଲଙ୍କା(Srilanka)କୁ ଭାରତ ବିଭିନ୍ନ ମାନବିକ ସହାୟତା ଯୋଗାଇ ଦେବା ଜାରି ରଖିଛି। ଅପରେସନ ସାଗର ବନ୍ଧୁ ଜରିଆରେ ଭାରତ ଇତି ମଧ୍ୟରେ ଆକାଶ ପଥ ଓ ଜଳ ପଥରେ ୫୩ ଟନର ରିଲିଫ ସାମଗ୍ରୀ ପଠାଇ ସାରିଛି। ଶ୍ରୀଲଙ୍କାରେ ଫସି ରହିଥିବା ୨ ହଜାରରୁ ଅଧିକ ଭାରତୀୟଙ୍କୁ ମଧ୍ୟ ନୂଆଦିଲ୍ଲୀ ପକ୍ଷରୁ ଉଦ୍ଧାର କରାଯାଇଛି।
ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଏନଡିଆରଏଫ ଟିମ ଉପାନ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖିବା ସହ ୧୫୦ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଛି। ରିଲିଫ ସାମଗ୍ରୀ ଭାରତୀୟ ବାୟୁସେନାର ମାଲବାହୀ ବିମାନ ଓ ନୌସେନା ଜାହାଜରେ ପଠାଯାଇଛି। ଆଇଏନଏସ ବିକ୍ରାନ୍ତ, ଆଇଏନଏସ୍ ଉଦୟଗିରି ଓ ଆଇଏନଏସ୍ ସୁକନ୍ୟା ଜରିଆରେ ରିଲିଫ ସାମଗ୍ରୀ ଶ୍ରୀଲଙ୍କାକୁ ଯୋଗାଇ ଦିଆଯାଇଛି।
ମାନବୀୟ ସହାୟତା ଧରି ଆଇଏନଏସ୍ ସୁକନ୍ୟା ଶ୍ରୀଲଙ୍କାର ତ୍ରିନକୋମାଲୀରେ ପହଞ୍ଚିବାର ଫଟୋକୁ ବୈଦେଶିକ ବ୍ୟାପର ମନ୍ତ୍ରୀ ଏସ୍ ଜୟଶଙ୍କର ପୋଷ୍ଟ କରିଛନ୍ତି। ଶ୍ରୀଲଙ୍କା ଅଧିକାରୀଙ୍କ ସହ ସମନ୍ୱୟ ରକ୍ଷା କରି ଆଇଏନଏସ ବିକ୍ରାନ୍ତରୁ ଚେତକ ହେଲିକପ୍ଟର ଓ ଭାରତୀୟ ବାୟୁସେନାର ଏମଆଇ ୧୭ ଜରିଆରେ ଫସି ରହିଥିବା ସାଧାରଣ ଲୋକ, ଗର୍ଭବତୀ, ଛୋଟ ପିଲା ଓ ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇଛି।
ଉଦ୍ଧାର ହୋଇଥିବା ଲୋକଙ୍କ ମଧ୍ୟରେ ଶ୍ରୀଲଙ୍କା, ଭାରତ, ଜର୍ମାନୀ, ସ୍ଲୋଭେନିଆ, ବ୍ରିଟେନ, ଦକ୍ଷିଣ ଆଫ୍ରିକା, ପୋଲାଣ୍ଡ, ବେଲାରୁଷ, ଇରାନ, ଅଷ୍ଟ୍ରେଲିଆ, ପାକିସ୍ତାନ ଓ ବାଂଲାଦେଶର ନାଗରିକ ରହିଛନ୍ତି।
ଭାରତ ପ୍ରାରମ୍ଭିକ ପର୍ଯ୍ୟାୟରେ ୯.୫ ଟନର ରାସନ ସାମଗ୍ରୀ ୨ଟି ନୌସେନା ଜାହାଜରେ କଲୋମ୍ବୋରେ ପହଞ୍ଚାଇଥିଲା। ଏହାପରେ ୩୧.୫ ଟନ ଓଜନର ରିଲିଫ ସାମଗ୍ରୀ ଶ୍ରୀଲଙ୍କା ଯାଇଥିଲା। ଏହା ମଧ୍ୟରେ ଟେଣ୍ଟ, ତାର୍ପୁଲିନ୍ସ, କମ୍ବଳ, ମେଡିସିନ, ହାଇଜିନ କିଟ, ସର୍ଜିକାଲ ସପ୍ଲାଏ ଓ ୨ଟି ଭିସ୍ମ ମେଡିକାଲ କ୍ୟୁବ୍ସ ରହିଥିଲା। ୮୦ ଜଣିଆ ଏନଡିଆରଏଫ ଟିମ ମଧ୍ୟ ଉଦ୍ଧାର କାର୍ଯ୍ୟ ପାଇଁ ଶ୍ରୀଲଙ୍କା ଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/12/02/srilanka-2025-12-02-16-16-49.jpg)