Advertisment

ସୋଶାଲ ମିଡିଆକୁ ଅସ୍ତ୍ର କରିଛନ୍ତି ପାକିସ୍ତାନୀ ଆତଙ୍କୀ, ଟାର୍ଗେଟରେ ଜମ୍ମୁ-କଶ୍ମୀର ଯୁବପିଢ଼ି

ଯୁବପିଢ଼ିଙ୍କୁ ଆତଙ୍କବାଦୀରେ ଭର୍ତ୍ତି କରାଇବା ପାଇଁ ଅହରହ ଉଦ୍ୟମ ଚଳାଇଛନ୍ତି ପାକିସ୍ତାନୀ ଆତଙ୍କୀ ସଂଗଠନ। ଜମ୍ମୁ-କଶ୍ମୀରରେ ଆତଙ୍କବାଦର କାୟା ବିସ୍ତାର କରିବା ପାଇଁ ମୁଖ୍ୟ ଅସ୍ତ୍ର ପାଲଟିଛି ସୋଶାଲ ମିଡିଆ।

author-image
Debadatta Aryashrestha
ଅଦ୍ୟତନ ହୋଇଛି
Symbolic Image

Symbolic Image

ପାକିସ୍ତାନର ବିଭିନ୍ନ ଆତଙ୍କବାଦୀ ସଂଗଠନର ମୁଖ୍ୟ ଅସ୍ତ୍ର ପାଲଟିଛି ସୋଶାଲ ମିଡିଆ। ସବୁଠାରୁ ବଡ଼ କଥା ହେଉଛି, ଜମ୍ମୁ-କଶ୍ମୀରରେ ଆତଙ୍କବାଦର କାୟା ବିସ୍ତାର କରିବା ସହ ଏଠାକାର ଯୁବକଙ୍କୁ ଆତଙ୍କବାଦୀରେ ଭର୍ତ୍ତି କରାଇବା ପାଇଁ ଅହରହ ଉଦ୍ୟମ ଚାଲିଛି। ଗତ ମାସେ ମଧ୍ୟରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କଶ୍ମୀରର ଆତଙ୍କବାଦୀମାନଙ୍କ ଦ୍ୱାରା ନିୟନ୍ତ୍ରିତ ସୋଶାଲ ମିଡିଆ ହ୍ୟାଣ୍ଡେଲରେ ଭାରତ ବିରେଧୀ କାର୍ଯ୍ୟକଳାପରେ ଏକ ବଡ଼ ଅଭିବୃଦ୍ଧି ଦେଖିବାକୁ ମିଳିଛି।

Advertisment

ଭାରତୀୟ ସୁରକ୍ଷା ଏଜେନ୍ସିର ସୂଚନା ଅନୁସାରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କଶ୍ମୀରର ଆତଙ୍କବାଦୀମାନଙ୍କ ପାଇଁ କାମ କରୁଥିବା ଏଜେନ୍ସି ସବୁ ଫେସବୁକ, ଏକ୍ସ, ଟେଲିଗ୍ରାମ, ଡାର୍କ ୱେବ୍ ଭଳି ସୋଶାଲ ମିଡିଆଗୁଡ଼ିକୁ ଅସ୍ତ୍ର କରିଛନ୍ତି। ଗତ ଗୋଟିଏ ମାସ ଭିତରେ ପାକିସ୍ତାନର ଆତଙ୍କବାଦୀ ଏଜେନ୍ସି ଏହି ସବୁ ସୋଶାଲ ମିଡିଆରେ ୨୦୦୦ ଭାରତ ବିରୋଧୀ ପୋଷ୍ଟ ଶେୟାର କରିସାରିଲାଣି। ଏହା ପୂର୍ବରୁ ୨୦୨୩ରେ ସେମାନଙ୍କ ଦ୍ୱାରା କେବଳ ୮୯ଟି ଏଭଳି ପୋଷ୍ଟ କରାଯାଇଥିଲା। ଅର୍ଥାତ ଆତଙ୍କବାଦୀମାନେ ଗତବର୍ଷ ତୁଳନାରେ ଏହି ଗୋଟିଏ ମାସରେ ପ୍ରାୟ ୨୨ ଗୁଣା ଅଧିକ ଭାରତ ବିରୋଧୀ ପୋଷ୍ଟ ଶେୟାର କରିଛନ୍ତି।

କେନ୍ଦ୍ରୀୟ ସୁରକ୍ଷା ବିଭାଗର ଜଣେ ଅଧିକାରୀଙ୍କ କହିବା ମୁତାବକ, ଜମ୍ମୁ-କଶ୍ମୀରର ଯୁବପିଢ଼ିଙ୍କୁ ଦେଶ ବିରୋଧୀ କରାଇବା ପାଇଁ ସୋଶାଲ ମିଡିଆକୁ ଏକ ରାସ୍ତା କରାଯାଇଛି। ସ୍ଥାନୀୟ ଯୁବକ ବୁରହାନ ୱାନି ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନରେ ଯୋଗ ଦେବା ପରେ ସେ ଏକ ଆତଙ୍କୀ ଆଇକନରେ ପରିଣତ ହୋଇଥିଲା। ତେବେ ୨୦୧୬ରେ ସୁରକ୍ଷାକର୍ମୀଙ୍କ ଗୁଳିରେ ସେ ପ୍ରାଣ ହରାଇଥିଲା। ଏହାପରେ ଆତଙ୍କବାଦୀ ସଂଗଠନରେ ଯୋଗ ଦେଉଥିବା ସ୍ଥାନୀୟ କଶ୍ମୀର ଯୁବକଙ୍କ ସଂଖ୍ୟାରେ ହ୍ରାସ ଘଟିଛି। 

Advertisment

୨୦୨୨ରେ ୧୧୩ ଜଣ ଜମ୍ମୁ-କଶ୍ମୀର ଯୁବକ ଆତଙ୍କବାଦୀ ସଙ୍ଗଠନ ସହ ମିଶିଥିବାବେଳେ ୨୦୨୩ରେ ଏହି ସଂଖ୍ୟା କେବଳ ୨୨କୁ ଖସି ଆସିଥିଲା। ସେହିଭଳି ଚଳିତ ବର୍ଷ ନଭେମ୍ବର ମାସ ପର୍ଯ୍ୟନ୍ତ କେବଳ ୪ ଜଣ ସ୍ଥାନୀୟ ଯୁବକ ଆତଙ୍କୀ ସଂଗଠନରେ ମିଶିଛନ୍ତି। ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳରେ ବର୍ତ୍ତମାନ ସମୟରେ ୩୦ ସ୍ଥାନୀୟ ଆତଙ୍କବାଦୀ ସକ୍ରିୟ ଥିବାବେଳେ ୭୫-୮୦ ବିଦେଶୀ ଆତଙ୍କବାଦୀ ରହିଛନ୍ତି। ଗତ କିଛି ସପ୍ତାହ ହେବ ଘାଟିରେ ଆତଙ୍କବାଦୀଙ୍କ ଗତିବିଧି ବଢ଼ିଯାଇଛି। ସେମାନଙ୍କୁ ଖୋଜି ବାହାର କରିବା ପାଇଁ ସ୍ଥାନୀୟ ପୁଲିସ ଓ ସେନା ଅଧିକାରୀଙ୍କ ମିଳିତ ଅପରେସନ୍ ଜାରି ରହିଛି।

Pakistan Jammu Kashmir Terrorism Pakistan Based Terrorists