Advertisment

Operation Sindoor: ୩୬ ଘଣ୍ଟାରେ ୮୦ ଡ୍ରୋନ: ନୂର ଖାନ ବେସ୍‌ ଆକ୍ରମଣକୁ ସ୍ୱୀକାର କଲା ପାକିସ୍ତାନ

ଭାରତୀୟ ସେନା ୩୬ ଘଣ୍ଟାରେ ୮୦ଟି ଡ୍ରୋନ ମାଡ଼ କରିବାରୁ ନୂର ଖାନ ଏୟାର ବେସ୍‌ରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା ଓ ଅନେକ କର୍ମଚାରୀ ଆହତ ହୋଇଥିଲେ ବୋଲି ପାକିସ୍ତାନ ସର୍ବସମ୍ମୁଖରେ ମାନିଛି।

author-image
Hemant Lenka
Pakistan

ପାକ୍‌ ଉପ ପ୍ରଧାନମନ୍ତ୍ରୀ

ଅପରେସନ ସିନ୍ଦୂର (Operation Sindoor) ସମୟରେ ଭାରତୀୟ ସେନା ପାକିସ୍ତାନ ନୂର ଖାନ ବାୟୁସେନା ଘାଟି ଉପରେ ଭୟଙ୍କର ଆକ୍ରମଣ କରିଥିଲା ବୋଲି ପ୍ରଥମଥର ସ୍ୱୀକାର କରିଛି ଇସଲାମାବାଦ। ଭାରତୀୟ ସେନା ୩୬ ଘଣ୍ଟାରେ ୮୦ଟି ଡ୍ରୋନ ମାଡ଼ କରିବାରୁ ନୂର ଖାନ ଏୟାର ବେସ୍‌ରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା ଓ ଅନେକ କର୍ମଚାରୀ ଆହତ ହୋଇଥିଲେ ବୋଲି ପାକିସ୍ତାନ ସର୍ବସମ୍ମୁଖରେ ମାନିଛି। 

Advertisment

ବିଦାୟୀ ବର୍ଷର ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନ ଏପରି ସୂଚନା ଦେଇଛି। ପାକିସ୍ତାନର ଉପ ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଈଶାକ ଦାର କହିଛନ୍ତି ଯେ “ପାକିସ୍ତାନର ସାମରିକ ଭିତ୍ତିଭୂମିକୁ ଟାର୍ଗେଟ କରି ଭାରତ ପକ୍ଷରୁ ବିପୁଳ ପରିମାଣର ଡ୍ରୋନ ଆକ୍ରମଣ କରାଯାଇଥିଲା। ୩୬ ଘଣ୍ଟାରେ ୮୦ଟି ଡ୍ରୋନ ମାଡ଼ ହୋଇଥିଲା। ୮୦ଟି ଡ୍ରୋନରୁ ଆମେ ୭୯ଟିକୁ ଆମେ କାବୁ କରି ଧ୍ୱଂସ କରିଥିଲୁ। କିନ୍ତୁ ଗୋଟିଏ ଡ୍ରୋନ ମିଲିଟାରୀ ପ୍ରତିଷ୍ଠାନରେ କ୍ଷତି ପହଞ୍ଚାଇଥିଲା ଓ କିଛି କର୍ମଚାରୀ ଆହତ ହୋଇଥିଲେ।” 

ଯଦିଓ ଭାରତର ଷ୍ଟ୍ରାଇକକୁ ପାକିସ୍ତାନ ନିୟନ୍ତ୍ରଣ କରିଥିବା ସେ ଦାବି କରିଥିଲେ ହେଁ ରାୱଲପିଣ୍ଡିର ଚକଲାଲା ଅଞ୍ଚଳରେ ଥିବା ଗୁରୁତ୍ୱପୂର୍ଣ୍ଣ ନୂର ଖାନ ଏୟାର ବେସ୍‌ କ୍ଷତିଗ୍ରସ୍ତ ହୋଇଥିବା ଇଶାକ ଦାର ସ୍ୱୀକାର କରି ନେଇଛନ୍ତି। ନୂର ଖାନ ହେଉଛି ପାକିସ୍ତାନ ବାୟୁ ସେନାର ସବୁଠାରୁ ସମ୍ବେଦନଶୀଳ ପ୍ରତିଷ୍ଠାନ।

Advertisment

ଦେଶର ସାମରିକ ମୁଖ୍ୟାଳୟ ଓ ରାଜଧାନୀ ନିକଟରେ ଏହା ରହିଛି। ପୂର୍ବରୁ ନୂର ଖାନ ଏୟାର ବେସ୍‌ କ୍ଷତିଗ୍ରସ୍ତ ହୋଇଥିବା କଥାକୁ ପାକିସ୍ତାନ ମନା କରି ଚାଲିଥିଲା। ହେଲେ ଏବେ କଥା ଛଳରେ ଖୋଦ ଦେଶର ଉପ ପ୍ରଧାନମନ୍ତ୍ରୀ ଇଶାକ ଦାର ଏହାକୁ ସ୍ୱୀକାର କରିଛନ୍ତି। 

ସେ ଆହୁରି କହିଛନ୍ତି ଯେ ଭାରତର ଆକ୍ରମଣରେ ପାକିସ୍ତାନ ଘାଇଲା ହେବା ପରେ ମେ’ ୯ ତାରିଖ ରାତିରେ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଜରୁରୀ ବୈଠକ ଡାକିଥିଲେ। ହେଲେ ମେ’ ୧୦ ତାରିଖ ଭୋର ସମୟରେ ଭାରତ ନୂର ଖାନ ଏୟାର ବେସ୍‌ରେ ଆକ୍ରମଣ କରିଥିଲା ବୋଲି ଦାର ସମସ୍ତଙ୍କୁ ଜଣାଇଛନ୍ତି। ଇଶାକ ଦାର କହିଛନ୍ତି ଯେ “ମେ’ ୧୦ରେ ଭାରତ ନୂର ଖାନ ଏୟାର ବେସ ଉପରେ ଆକ୍ରମଣ କରି ବଡ଼ ଭୁଲ କରିଥିଲା। ଏଥିପାଇଁ ପାକିସ୍ତାନ ତା’ର ଅପରେସନକୁ ଜୋରଦାର କରିଥିଲା।”

ଭାରତ-ପାକିସ୍ତାନ ମଧ୍ୟରେ ଲାଗୁ ହୋଇଥିବା ଯୁଦ୍ଧ ବିରତି ସମ୍ପର୍କରେ ମଧ୍ୟ ଇଶାକ ଦାର ବଡ଼ ବୟାନ ଦେଇଛନ୍ତି। ମେ’ ମାସରେ ସୃଷ୍ଟି ହୋଇଥିବା ସାମରିକ ବିବାଦର ସମାଧାନ ପାଇଁ ପାକିସ୍ତାନ କୌଣସି ମଧ୍ୟସ୍ଥତାର ଦାବି କରି ନଥିଲା। ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଓ ସାଉଦି ବୈଦେଶିକ ମନ୍ତ୍ରୀ ପ୍ରିନ୍ସ ଫୈଜଲ ବିନ ଫରହାନ ହିଁ ଭାରତ ସହ କଥା ହେବାକୁ ଅନୁରୋଧ କରିଥିଲେ ବୋଲି ଦାର କହିଛନ୍ତି।

ସେ ଦାବି କରିଛନ୍ତି ଯେ ମେ’ ୧୦ ତାରିଖ ସକାଳ ୮.୧୭ରେ ରୁବିଓ ତାଙ୍କୁ ଫୋନ କରି ଭାରତ ଯୁଦ୍ଧ ବିରତି ପାଇଁ ରାଜି ଥିବା ଜଣାଇଥିଲେ ଓ ପାକିସ୍ତାନ ଏଥିରେ ରାଜି କି ନାହିଁ ପଚାରିଥିଲେ। ଏହାର ଜବାବରେ ଦାର କହିଥିଲେ ଯେ ପାକିସ୍ତାନ କେବେ ହେଲେ ଯୁଦ୍ଧ ଚାହେଁ ନାହିଁ। ସାଉଦି ଫ୍ରିନ୍ସ ଫୈଜଲ ମଧ୍ୟ ତାଙ୍କୁ ଯୋଗାଯୋଗ କରି ଭାରତ ସହ କଥା ହେବାକୁ ଅନୁମତି ମାଗିଥିଲେ। ଏହାପରେ ଯୁଦ୍ଧ ବିରତି ପାଇଁ ସହମତି ହୋଇଥିଲା। 


ମେ’ ୭ ତାରିଖ ଆକାଶ ପଥ ଲଢ଼େଇରେ ଭାରତର ୭ଟି ଯୁଦ୍ଧ ବିମାନକୁ ପାକିସ୍ତାନ ଖସାଇ ଦେଇଥିବା ଦାର ଦାବି କରିଥିଲେ ହେଁ ଏହାର ପ୍ରମାଣ କିମ୍ବା ଫଟୋ କିଛି ବି ସାର୍ବଜନୀନ କରିପାରି ନାହାନ୍ତି। ଦାର ଏପରି ଦାବି କରିଥିବା ବେଳେ ଏହା ପୂର୍ବରୁ ପାକିସ୍ତାନର ରାଷ୍ଟ୍ରପତି ଆସିଫ ଅଲୀ ଜର୍ଦାରୀ ମଧ୍ୟ ଭାରତର ଆକ୍ରମଣକୁ ସ୍ୱୀକାର କରିଥିଲେ। ଭାରତର ଆକ୍ରମଣରେ ପାକିସ୍ତାନ ଏତେ ଡରି ଯାଇଥିଲା ଯେ ରାଷ୍ଟ୍ରପତି ଜର୍ଦାରୀଙ୍କୁ ବଙ୍କର ଭିତରେ ଆଶ୍ରୟ ନେବାକୁ ପରାମର୍ଶ ଦିଆଯାଇଥିଲା। 

Operation Sindoor