Advertisment

ବ୍ରାଜିଲରେ ଭୟଙ୍କର ବିମାନ ଦୁର୍ଘଟଣା, ୬୨ ମୃତ

ବ୍ରାଜିଲରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି। ବୋଏପାସ୍ ATR-72 ବିମାନଟି ବ୍ରାଜିଲର ସାଓ ପାଓଲରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ୬୨ ଜଣଙ୍କ ମୃତ୍ୟୁ ହୋଇଛି।

author-image
Niharika Rout
ଅଦ୍ୟତନ ହୋଇଛି
Plane Crash

Plane Crash

ବ୍ରାଜିଲରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି। ବୋଏପାସ୍ ATR-72 ବିମାନଟି ବ୍ରାଜିଲର ସାଓ ପାଓଲରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ୬୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୫୮ ଜଣ ଯାତ୍ରୀ ଓ ୪ ଜଣ କ୍ରିଉ ମେମ୍ବର ଥିବା ଜଣାଯାଇଛି।

Advertisment

ବୋଏପାସ୍‌ ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି, ବିମାନଟି କାସ୍କାବେଲରୁ ସାଓ ପାଓଲୋର ଅନ୍ତରାଷ୍ଟ୍ରୀୟ ବିମାନବନ୍ଦର ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା। ମାତ୍ର ସାଓ ପାଓଲୋଠୁ ପ୍ରାୟ ୮୦ କିମି ପୂର୍ବରୁ ବିମାନଟି ବିନହେଡୋ ସହରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହାର ପ୍ରାୟ ଦେଢ ଘଣ୍ଟା ପୂର୍ବରୁ ବିମାନଟି କଣ୍ଟ୍ରୋଲ ରୁମ୍‌ ସହ ଶେଷ ଥର ପାଇଁ ଯୋଗାଯୋଗ କରିଥିଲା।

ବିନହେଡୋ ସହରରେ ବିମାନଟି ଉଡ଼ୁଥିବା ବେଳେ ଜନବସତି ଅଞ୍ଚଳ ଉପରେ ଅନିୟନ୍ତ୍ରିତ ହୋଇ ଚକ୍କର କାଟିବାକୁ ଲାଗିଲା। ଏହାପରେ ବିମାନଟି ତଳେ ଖସି ପଡ଼ିଥିଲା। ଏହାପରେ ସେଠାରୁ ମୋଟା ଆସ୍ତରଣର କଳା ଧୂଆଁ ବାହାରିବା ସହ ବିମାନରେ ନିଆଁ ଲାଗି ଯାଇଥିଲା।

Advertisment

ଖବର ପାଇ ସ୍ଥାନୀୟ ପୁଲିସ୍‌ ଓ ଅଗ୍ନିଶମ ବାହିନୀ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ବହୁ ପ୍ରଚେଷ୍ଟା ପରେ ବିମାନର ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା। ଏହାପରେ ବିମାନର ଭଗ୍ନାବଶେଷ ଭିତରୁ ୬୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ବିମାନଟି ଜନବସତି ଅଞ୍ଚଳ ନିକଟରେ ପଡ଼ିଥିଲେ ବି କେହି ମୃତାହତ ହୋଇ ନାହାନ୍ତି। କେବଳ ଗୋଟିଏ ଘର କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି। ବିମାନଟି ଦୁର୍ଘଟଣାଗ୍ରସ୍ତ ବେଳର ଭୟଙ୍କର ଦୃଶ୍ୟର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି।

ବ୍ରାଜିଲ ରାଷ୍ଟ୍ରପତି ବିମାନ ଦୁର୍ଘଟଣା ସମ୍ପର୍କରେ ଦେଶବାସୀଙ୍କୁ ସୂଚିତ କରି ଏକ ଦୁଃଖଦ ଘଟଣାର ବାହକ ସାଜିବାକୁ ପଡ଼ୁଥିବା କହିଛନ୍ତି। ଏଥିସହ ଏହି ଦୁର୍ଘଟଣାରେ ମୃତକଙ୍କ ପରିବାର ପ୍ରତି ସେ ଗଭୀର ସମବେଦନା ଜଣାଯାଇଛି। ସାଓ ପାଓଲୋ ଗଭର୍ଣ୍ଣର ଏହି ଦୁର୍ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ୩ ଦିନିଆ ଶୋକ ପାଳନ ନିମନ୍ତେ ଘୋଷଣା କରିଛନ୍ତି।

ବିମାନ ଦୁର୍ଘଟଣା ପଛର କାରଣ କ’ଣ, କ’ଣ ପାଇଁ ଅକାଳରେ ଚାଲିଗଲା ୬୨ ଜୀବନ ତାହାର ତଦନ୍ତ ନିମନ୍ତେ ଏକ କମିଟି ଗଠିତ ହୋଇଛି। ଏହି କମିଟି ଖୁବ୍‌ ଶୀଘ୍ର ସମସ୍ତ ଘଟଣାର ଅନୁସନ୍ଧାନ କରି ରିପୋର୍ଟ ରାଷ୍ଟ୍ରପତିଙ୍କୁ ହସ୍ତାନ୍ତର କରିବ ବୋଲି ଜଣାଯାଇଛି।

Plane Crash Brazil