Modi In UAE
ଦୁଇ ଦିନିଆ ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅବୁ ଧାବିରେ ପହଞ୍ଚିଛନ୍ତି। ଏଠାରେ ପହଞ୍ଚିବା ପରେ ସେ ୟୁଏଇର ରାଷ୍ଟ୍ରପତି ଶେଖ୍ ମହମଦ ବିନ୍ ଜାୟେଦ ଅଲ ନାହୟାନ୍ଙ୍କ ସହ ଭେଟିଛନ୍ତି। ସେ ତାଙ୍କୁ ଆଲିଙ୍ଗନ କରିଛନ୍ତି। ମୋଦିଙ୍କୁ ଅବୁ ଧାବିରେ ଭବ୍ୟ ସ୍ୱାଗତ କରାଯିବା ସହ ଗାର୍ଡ ଅଫ୍ ଅନର ମଧ୍ୟ ଦିଆଯାଇଛି।
ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାୟେଦଙ୍କ ସହ ମୋଦିଙ୍କ ଦ୍ୱିପାକ୍ଷିକ ଆଲୋଚନା ହୋଇଛି। ଏହି ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, 'ଏହି ଭବ୍ୟ ସ୍ୱାଗତ ପାଇଁ ମୁଁ କୃତଜ୍ଞ। ଯେତେବେଳେ ବି ମୁଁ ତୁମକୁ ଭେଟିବାକୁ ଏଠାକୁ ଆସେ, ମୁଁ ସବୁବେଳେ ଅନୁଭବ କରେ ଯେ ମୁଁ ମୋ ପରିବାରକୁ ଭେଟିବାକୁ ଆସିଛି। ମୋତେ ମୋ ନିଜ ଘରକୁ ଆସିଲା ଭଳି ଲାଗୁଛି।'
ସେ ଆହୁରି କହିଛନ୍ତି, 'ଗତ ସାତ ମାସ ମଧ୍ୟରେ ଆମେ ପାଞ୍ଚ ଥର ସାକ୍ଷାତ କରିଛୁ। ଏହା ହିଁ ଆମର ଘନିଷ୍ଠ ସମ୍ପର୍କକୁ ଦର୍ଶାଏ। ଆଜି ପ୍ରତ୍ୟେକ କ୍ଷେତ୍ରରେ ଭାରତ ଓ ୟୁଏଇ ମଧ୍ୟରେ ମିଳିତ ଭାଗିଦାରୀ ରହିଛି। ଆମେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛୁ। ସମ୍ପର୍କର ଏକ ନୂତନ ଯୁଗ ଆରମ୍ଭ ହେଉଛି।' କେବଳ ସେତିକି ନୁହେଁ ଆଗକୁ ହେବାକୁ ଥିବା 'ଭାଇବ୍ରେଣ୍ଟ ଗୁଜରାଟ' ସମ୍ମଳନୀରେ ଭାଗ ନେବା ପାଇଁ ୟୁଏଇ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରିଛନ୍ତି ମୋଦି।
୨୦୧୫ ପରଠାରୁ ୟୁଏଇକୁ ଏହା ହେଉଛି ମୋଦିଙ୍କର ସପ୍ତମ ଗସ୍ତ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଗତ ୯ ବର୍ଷ ମଧ୍ୟରେ ୟୁଏଇ ସହ ଆମର ବାଣିଜ୍ୟ ଠାରୁ ଆରମ୍ଭ କରି ପୁଞ୍ଜି ବିନିଯୋଗ ଏବଂ ସୁରକ୍ଷା ପର୍ଯ୍ୟନ୍ତ ଅନେକ କ୍ଷେତ୍ରରେ ସହଯୋଗ ହୋଇଛି। ଦୁଇ ଦେଶ ମଧ୍ୟରେ ସାଂସ୍କୃତିକ ସମ୍ପର୍କ ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ ହୋଇଛି।
ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଠାରେ ନିର୍ମିତ ହୋଇଥିବା ପ୍ରଥମ ହିନ୍ଦୁ ମନ୍ଦିର BAPS ର ଉଦଘାଟନ କରିବେ। ଏଥିସହ ଭାରତୀୟ ସମ୍ପ୍ରଦାୟଙ୍କୁ ସମ୍ବୋଧିତ କରିବେ। ୟୁଏଇ ଗସ୍ତ ପରେ ୧୪ରୁ ୧୫ ଫେବ୍ରୁଆରୀ ମଧ୍ୟରେ ସେ କତାର ଗସ୍ତ କରିବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1707827582.jpg)