/odisha-reporter/media/post_attachments/uploadimage/library/16_9/16_9_0/Poland_1757494888.jpg)
Poland
ପ୍ରଥମଥର ପାଇଁ ରୁଷ ବିରୋଧରେ ସାମାରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲାଣ୍ଡ। ରୁଷର ଏକାଧିକ ଡ୍ରୋନକୁ ଗୁଳି କରି ଖସାଇ ଦେଇଛି ୟୁକ୍ରେନର ପଡ଼ୋଶୀ ପୋଲାଣ୍ଡ। ବୁଧବାର ଭୋର ସମୟରେ ରୁଷର ଏକାଧିକ ଡ୍ରୋନ ୟୁକ୍ରେନରେ ହମଲା ପାଇଁ ପୋଲାଣ୍ଡ ଆକାଶ ପଥରେ ପ୍ରବେଶ କରିଥିଲେ। କିନ୍ତୁ ସେଗୁଡ଼ିକୁ ପୋଲାଣ୍ଡ ମାରି ଖସାଇ ଦେବାକୁ ସକ୍ଷମ ହୋଇଛି। ପୋଲାଣ୍ଡ ପକ୍ଷରୁ ଏନେଇ ସୂଚନା ଦିଆଯିବା ସହ ରୁଷ ସହ ତିକ୍ତତା ବଢ଼ିବାର ଆଶଙ୍କା ମଧ୍ୟ ପ୍ରକାଶ ପାଇଛି।
ପୋଲାଣ୍ଡ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କଙ୍କ କହିବା କଥା ଏକାଧିକ ଥର ଆକାଶ ପଥ ନିୟମକୁ ଉଲ୍ଲଙ୍ଘନ କରାଯିବାରୁ ଏପରି ସାମରିକ ପଦକ୍ଷେପ ନିଆଯାଇଛି। ରୁଷ ଡ୍ରୋନଗୁଡ଼ିକ ବିରୋଧରେ ଯୁଦ୍ଧାସ୍ତ୍ର ବ୍ୟବହାର ହୋଇଥିବା ସେ ନିଶ୍ଚିତ କରିଛନ୍ତି। ଏଥିସହ ନାଟୋ ମେଣ୍ଟର ମହାସଚିବଙ୍କୁ ମଧ୍ୟ ଘଟଣା ସମ୍ପର୍କର ଅବଗତ କରାଯାଇଥିବା ଟସ୍କ ସୂଚନା ଦେଇଛନ୍ତି।
ସେ କହିଛନ୍ତି, “ମୁଁ ନାଟୋ ମହାସଚିବଙ୍କୁ ବର୍ତ୍ତମାନର ସ୍ଥିତି ଓ ଆକାଶ ପଥ ନିୟମ ଉଲ୍ଲଙ୍ଘନ ପାଇଁ ଆମେ ନେଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରିଛି।” ପୋଲାଣ୍ଡ ସଶସ୍ତ୍ର ବଳ ପକ୍ଷରୁ ଏପରି ଅନୁପ୍ରବେଶକୁ ଆକ୍ରମଣାତ୍ମକ କାର୍ଯ୍ୟ ଓ ଏହା ନାଗରିକଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବା ଭଳି ପଦକ୍ଷେପ ବୋଲି କୁହାଯାଇଛି। ଏଥିସହ ପୋଲାଣ୍ଡ ପକ୍ଷରୁ ରୁଷର କୂଟନୀତିଜ୍ଞଙ୍କୁ ସମନ କରାଯାଇଛି।
ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ପୂରା ଅଞ୍ଚଳରେ ନାଟୋ ଯୁଦ୍ଧ ବିମାନଗୁଡ଼ିକୁ ସକ୍ରିୟ କରାଯାଇଥିବା ପୋଲାଣ୍ଡ ପ୍ରତିରକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି। ଯୁଦ୍ଧ ବିମାନଗୁଡ଼ିକ ଗର୍ଜନ କରି ପଇଁତର ମାରୁଛନ୍ତି ଓ ଏୟାର ଡିଫେନ୍ସ ସିଷ୍ଟମଗୁଡ଼ିକ ହାଇଆଲର୍ଟରେ ରହିଛନ୍ତି। ପୋଲାଣ୍ଡର ପୂର୍ବ ପ୍ରଦେଶର ପୋଡ୍ଲାସ୍କି, ମାଜୋୱିସ୍କି ଓ ଲୁବଲିନରେ ଡ୍ରୋନ ଅନୁପ୍ରବେଶ କରିଥିଲା। ତେଣୁ ସେହି ଅଞ୍ଚଳରେ ଅଧିକ ସତର୍କତା ଅବଲମ୍ବନ କରାଯାଇଛି। ଟେରିଟୋରିଆଲ ଡିଫେନ୍ସି ୟୁନିଟକୁ ମୁତୟନ କରାଯାଇଛି ଓ ଧ୍ୱଂସ ହୋଇଥିବା ଗୋଟିଏ ଡ୍ରୋନକୁ ମଧ୍ୟ ଜବତ କରାଯାଇଛି।
ରୁଷ ଓ ୟୁକ୍ରେନ ମଧ୍ୟରେ ୩ ବର୍ଷ ହେଲା ଯୁଦ୍ଧ ଚାଲିଥିଲେ ହେଁ ପଡ଼ୋଶୀ ପୋଲାଣ୍ଡ କେବେ ହେଲେ ବି ମସ୍କୋ ବିରୋଧରେ ସାମାରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା। ୟୁକ୍ରେନକୁ ପୋଲାଣ୍ଡ ପରୋକ୍ଷରେ ଲଜିଷ୍ଟିକ ସମର୍ଥନ ଦେଇଥିଲେ ହେଁ କେବେ ହେଲେ ରୁଷ ବିରୋଧରେ ଅସ୍ତ୍ର ପ୍ରୟୋଗ କରି ନଥିଲା। କିନ୍ତୁ ଏବେ ନିଜ ସୀମାରେ ପୋଲାଣ୍ଡ ପକ୍ଷରୁ ରୁଷ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପୋଲାଣ୍ଡ ନାଟୋ ଦେଶର ସଦସ୍ୟ ହୋଇଥିବାରୁ ରୁଷର ଯେକୌଣସି ପଦକ୍ଷେପ ସ୍ଥିତିକୁ ଭୟଙ୍କର କରିବାର ଆଶଙ୍କା ରହିଛି।
ଆମେରିକା ଓ ନାଟୋ ଅଧିକାରୀମାନେ କହିଛନ୍ତି ଯେ ଏୟାରସ୍ପେଶ ଉଲ୍ଲଙ୍ଘନ କରି ରୁଷ ଜାଣିଶୁଣି ଉତ୍ତେଜନା ସୃଷ୍ଟି କରିବାକୁ ଚାହୁଁଛି। ଏପରି ଉଲ୍ଲଙ୍ଘନ ଯୁଦ୍ଧ ସହ ସମାନ। ତେବେ ଏନେଇ ରୁଷ ପକ୍ଷରୁ କୌଣସି ପ୍ରକାରର ପ୍ରତିକ୍ରିୟା ଦିଆଯାଇ ନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
