Advertisment

ମାତ୍ର ୬ ଘଣ୍ଟାରେ ସାମରିକ ଆଇନ ପ୍ରତ୍ୟାହାର କଲେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ୍‌

ସାଂସଦମାନଙ୍କ ଚାପରେ ମାତ୍ର କେଇ ଘଣ୍ଟା ମଧ୍ୟରେ ସାମରିକ ଆଇନ ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଛନ୍ତି ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ୍‌ ସୁକ୍‌ ୟୋଲ। ମଙ୍ଗଳବାର ରାତିରେ ସେ ଟେଲିଭିଜନରେ ରାଷ୍ଟ୍ର ଉଦ୍ଦେଶ୍ୟରେ ବାର୍ତ୍ତା ଜରିଆର ଯେଉଁ ଜରୁରୀ ପରିସ୍ଥିତି ଦୃଷ୍ଟିରୁ ସାମରିକ ଆଇନ ଜାରି କରିଥିଲେ ତାହାକୁ ମାତ୍ର କେଇ ଘଣ୍ଟା ମଧ୍ୟରେ ପ୍ରତ୍ୟାହାର କରାଗଲା ବୋଲି ଆଉ ଥରେ ଘୋଷଣା କରିଛନ୍ତି।

South Korean President Yoon Suk Yeol

South Korean President Yoon Suk Yeol

Advertisment

ସାଂସଦମାନଙ୍କ ଚାପରେ ମାତ୍ର କେଇ ଘଣ୍ଟା ମଧ୍ୟରେ ସାମରିକ ଆଇନ ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଛନ୍ତି ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ୍‌ ସୁକ୍‌ ୟୋଲ। ମଙ୍ଗଳବାର ରାତିରେ ସେ ଟେଲିଭିଜନରେ ରାଷ୍ଟ୍ର ଉଦ୍ଦେଶ୍ୟରେ ବାର୍ତ୍ତା ଜରିଆର ଯେଉଁ ଜରୁରୀ ପରିସ୍ଥିତି ଦୃଷ୍ଟିରୁ ସାମରିକ ଆଇନ ଜାରି କରିଥିଲେ ତାହାକୁ ମାତ୍ର କେଇ ଘଣ୍ଟା ମଧ୍ୟରେ ପ୍ରତ୍ୟାହାର କରାଗଲା ବୋଲି ଆଉ ଥରେ ଘୋଷଣା କରିଛନ୍ତି। କାରଣ ତାଙ୍କର ସାମରିକ ଆଇନ ଜାରିକୁ ବିରୋଧ କରି ଦେଶର ସାଂସଦମାନେ ସେନା ଓ ବନ୍ଧୁକକୁ ନଡରି ରାତିସାରା ଏକଜୁଟ ହୋଇଥିଲେ ରାଷ୍ଟ୍ରପତିଙ୍କ ଘୋଷଣାକୁ ବିରୋଧ କରିଥିଲେ।

Advertisment

ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ୍‌ ସୁକ୍‌ ୟୋଲ ମଙ୍ଗଳବାର ରାତିରେ ରାଷ୍ଟ୍ର ଉଦ୍ଦେଶ୍ୟରେ ବାର୍ତ୍ତା ଦେଇ କହିଥିଲେ ଯେ ଗଣତାନ୍ତ୍ରିକ ଦକ୍ଷିଣ କୋରିଆ ପ୍ରତି କମ୍ୟୁନିଷ୍ଟ ଉତ୍ତର କୋରିଆ ପକ୍ଷରୁ ଭୟଙ୍କର ବିପଦ ଦେଖାଦେଇଛି। ଏଣେ ଦେଶର ବିରୋଧୀ ଦଳ ଦେଶବାସୀଙ୍କର ସୁଖ ଓ ସ୍ୱାଧୀନତା ହଡ଼ପ କରିବାକୁ ଚକ୍ରାନ୍ତ କରୁଛନ୍ତି। ଏହାକୁ ପ୍ରତିହତ କରିବା ପାଇଁ ଦେଶରେ ଜରୁରୀକାଳୀନ ସାମରିକ ଆଇନ ଲାଗୁ କରାଯାଉଛି। ୧୯୮୦ ମସିହା ପରେ ଏହା ଥିଲା ଏହି ପୂର୍ବ ଏସୀୟ ଦେଶରେ ପ୍ରଥମ ସାମରିକ ଆଇନ।

ୟୁନ୍‌ ତାଙ୍କ ଭାଷଣରେ କହିଥିଲେ ଯେ ଦେଶର ବିରୋଧୀ ଦଳ ଡେମୋକ୍ରାଟିକ ପାର୍ଟି ଦେଶବିରୋଧୀ କାର୍ଯ୍ୟରେ ସଂପୃକ୍ତ ଅଛି। ସେମାନେ ରାଷ୍ଟ୍ରପତିଙ୍କୁ ବହିଷ୍କାର କରିବା ସହିତ ସ୍ୱତନ୍ତ୍ର ତଦନ୍ତ ଆଦି ଚଳାଇବାକୁ ଷଡ଼ଯନ୍ତ୍ର କରୁଛନ୍ତି। ସେମାନେ ସେମାନଙ୍କ ନେତାମାନଙ୍କୁ ନ୍ୟାୟିକ ପ୍ରକ୍ରିୟାରୁ ବାଦ ଦେବାକୁ ଚାହୁଁଛନ୍ତି। ସେମାନେ ଦେଶର ଶାସନକୁ ଅଚଳ କରିବାକୁ ଉଦ୍ୟମ କରୁଛନ୍ତି। ଏସବୁ କାରଣରୁ ଦେଶରେ ଜରୁରୀକାଳୀନ ସାମରିକ ଆଇନ ଲାଗୁ କରାଯାଉଛି।

Advertisment

ଉଲ୍ଲେଖଯୋଗ୍ୟ ଯେ ୨୦୨୪ ଏପ୍ରିଲ ମାସରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଦକ୍ଷିଣ କୋରିଆର ଏକସଦନ ତଥା ୩୦୦ ସଦସ୍ୟ ବିଶିଷ୍ଟ ସଂସଦରେ ବିପକ୍ଷ ଡେମୋକ୍ରାଟିକ ପାର୍ଟି ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ହାସଲ କରିଛି ଏବଂ ୟୁନ୍‌ଙ୍କ ପିପୁଲ୍ସ ପାୱାର ପାର୍ଟି ବିପୁଳ ପରାଜୟ ବରଣ କରିଛି। ମଙ୍ଗଳବାର ରାତିରେ ରାଷ୍ଟ୍ରପତି ୟୁନ୍‌ ସୁକ୍‌ ୟୋଲ୍‌ ସାମରିକ ଆଇନ ଲାଗୁ କରିବା ପରେ ରାତି ସାରା ବିରୋଧୀ ଦଳର ସାଂସଦମାନେ ଏକଜୁଟ ହୋଇ ଏହା ବିରୋଧରେ ମତ ପ୍ରଦାନ କରିଥିଲେ। ସେମାନେ ଓ ସେମାନଙ୍କ ଦଳର କର୍ମୀମାନଙ୍କ ସହିତ ଦେଶର ହଜାର ହଜାର ସାଧାରଣ ନାଗରିକ ମଧ୍ୟ ସେନା ଓ ବନ୍ଧୁକକୁ ଭୟ ନକରି ରାସ୍ତାକୁ ଓହ୍ଲାଇଥିଲେ।

ପ୍ରତିବାଦ ଏତେ ଜୋରଦାର ଥିଲା ଯେ ମାତ୍ର ଛଅ ଘଣ୍ଟା ମଧ୍ୟରେ ରାଷ୍ଟ୍ରପତି ୟୁନ୍‌ ପୁଣି ଥରେ ରାଷ୍ଟ୍ର ଉଦ୍ଦେଶ୍ୟରେ ବାର୍ତ୍ତା ଦେଇ ସାମରିକ ଆଇନ ପ୍ରତ୍ୟାହୃତ ହେଲା ବୋଲି ଘୋଷଣା କରିଥିଲେ। ସେ କହିଥିଲେ, କେଇ ମୁହୂର୍ତ୍ତି ପୂର୍ବରୁ ନ୍ୟାସନାଲ ଆସେମ୍ବ୍ଲି ସାମରିକ ଆଇନ ପ୍ରତ୍ୟାହା କରିବାକୁ ଦାବି କରିଛି। ତେଣୁ ଏହାକୁ ପ୍ରତ୍ୟାହାର କରାଗଲା ଓ ଯେଉଁ ସୈନ୍ୟମାନଙ୍କୁ ସାମରିକ ଆଇନ କାର୍ଯ୍ୟକାରୀ କରିବାକୁ ମୁତୟନ କରାଯାଇଥିଲା ସେମାନଙ୍କୁ ମଧ୍ୟ ପ୍ରତ୍ୟାହାର କରାଗଲା।

ତଥାପି ବିପକ୍ଷ ଡେମୋକ୍ରାଟିକ ପାର୍ଟି କହିଛି ଯେ ଦେଶରେ ବିଦ୍ରୋହ ଉଦ୍ୟମ କରିଥିବାରୁ ୬୩ ବର୍ଷ ବୟସ୍କ ରାଷ୍ଟ୍ରପତି ୟୁନ୍‌ ନିଜ ପଦରୁ ତୁରନ୍ତ ଇସ୍ତଫା ଦେବା ଉଚିତ। ସେ ଇସ୍ତଫା ନଦେଲେ ତାଙ୍କ ବିରୋଧରେ ବହିଷ୍କାର ପ୍ରକ୍ରିୟା ଆରମ୍ଭ ହେବ। ଗତ ୨୦୨୨ ମସିହା ନିର୍ବାଚନରେ ୟୁନ୍‌ ରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ। ମାତ୍ର ତାଙ୍କ ସରକାରଙ୍କର ବହୁ ନୀତି ଓ ପଦକ୍ଷେପ ଦେଶର ଶ୍ରମିକ ଓ ଅନ୍ୟ ପେସାଦାରମାନଙ୍କୁ ଅସନ୍ତୁଷ୍ଟ କରିଛି। ସାମରିକ ଆଇନ ଘୋଷଣା ପରେ ଦେଶର ପ୍ରମୁଖ ଶ୍ରମିକ ସଂଗଠନଗୁଡ଼ିକ ମଧ୍ୟ ଏହା ବିରୋଧରେ ଧର୍ମଘଟ ଡାକରା ଦେବା ସହିତ ତୁରନ୍ତ ଏହି ଅଗଣାତାନ୍ତ୍ରିକ ଘୋଷଣା ପାଇଁ ରାଷ୍ଟ୍ରପତି ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି।

ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ୟୁନ୍‌ଙ୍କ ନିଜ ଦଳ ପିପୁଲ୍ସ ପାୱାର ପାର୍ଟି ମଧ୍ୟ ତାଙ୍କର ଏପରି ଘୋଷଣାକୁ ଦୁଃଖଦ ବୋଲି ବର୍ଣ୍ଣନା କରିବା ସହିତ ଏଥିପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଉଠାଇଛି।

ରାଷ୍ଟ୍ରପତି ୟୁନ୍‌ଙ୍କର ଏଭଳି ପଦକ୍ଷେପରେ ଚୀନ, ରୁଷିଆ ଓ ଆମେରିକା ତରଫରୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି। ସାମରିକ ଆଇନ ଜାରି ହେବା ପରେ ଆମେରିକା କହିଥିଲା ଯେ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଏହା ପ୍ରତ୍ୟାହୃତ ହେବା ପରେ ଆମେରିକା ଏବେ ଆଶ୍ୱସ୍ତ ବୋଲି କହିଛି। ଉତ୍ତର କୋରିଆର ଆଣବିକ ଆକ୍ରମଣରୁ ଦକ୍ଷିଣ କୋରିଆକୁ ସୁରକ୍ଷା ଦେବାକୁ ଏହି ରାଷ୍ଟ୍ରରେ ୩୦ ହଜାର ମାର୍କିନ ସୈନ୍ୟ ମୁତୟନ ଅଛନ୍ତି। ଅନ୍ୟପକ୍ଷରେ ଉତ୍ତର କୋରିଆକୁ ସମର୍ଥନ କରୁଥିବା ଚୀନ ଓ ରୁଷିଆ ସମସ୍ତଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।

North Korea South Korea Democracy Martial Law
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe