Advertisment

ଇରାନକୁ ବଡ଼ ଚେତାବନୀ ଦେଲେ ଆମେରିକା ରାଷ୍ଟ୍ରପତି

ଟ୍ରମ୍ପ କହିଛନ୍ତି, “ଆମେ ଯୁଦ୍ଧ ବିରତି ଠାରୁ ଆଉ କିଛି ଅଧିକ ଚାହୁଁଛୁ। ସବୁ କିଛି ଶେଷ ହେବା ଦରକାର। କେବଳ ଯୁଦ୍ଧ ବିରତି ନୁହେଁ। ଗୋଟିଏ ଶେଷ ଆମେ ଚାହୁଁଛୁ।”

author-image
Hemant Lenka
Trump

Trump

ଇସ୍ରାଏଲ ଆକ୍ରମଣରେ ଘାଇଲା ହୋଇଥିବା ଇରାନକୁ ବଡ଼ ଚେତାବନୀ ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ। ଇସ୍ରାଏଲ ଓ ଇରାନ ଲଢ଼େଇ ତୀବ୍ର ହେଉଥିବାରୁ ଟ୍ରମ୍ପ ଆଉ ଏଥିରେ ସାମୟିକ ରୋକ ସପକ୍ଷରେ ନାହାନ୍ତି। ସେ ପୂରା ବିବାଦ ଶେଷ କରିବାକୁ ଚାହୁଁଛନ୍ତି। କାନାଡାରେ ଚାଲିଥିବା ଜି-୭ ସମ୍ମିଳନୀର କାର୍ଯ୍ୟ ସୂଚୀକୁ କାଟଛାଣ୍ଟ କରି ଟ୍ରମ୍ପ ସିଧା ଆମେରିକାକୁ ଉଡ଼ାଣ ଭରିଛନ୍ତି। ଏହାପୂର୍ବରୁ ସେ ତେହରାନ ଖାଲି କରିବାକୁ ମଧ୍ୟ ସାଧାରଣ ଲୋକଙ୍କୁ କହିଥିଲେ। ଏହାପରେ ସେ ଏବେ ଇରାନକୁ ଚେତାବନୀ ଦେଇଛନ୍ତି।

Advertisment

ଟ୍ରମ୍ପ ବିମାନରେ ଚଢ଼ିବା ସମୟରେ ସାମ୍ବାଦିକ ମାନଙ୍କୁ କହିଛନ୍ତି, “ଆମେ ଯୁଦ୍ଧ ବିରତି ଠାରୁ ଆଉ କିଛି ଅଧିକ ଚାହୁଁଛୁ। ସବୁ କିଛି ଶେଷ ହେବା ଦରକାର। କେବଳ ଯୁଦ୍ଧ ବିରତି ନୁହେଁ। ଗୋଟିଏ ଶେଷ ଆମେ ଚାହୁଁଛୁ।”

ପୂରା ବିବାଦରେ ଆମେରିକାର ଭୂମିକା ଓ ଇସ୍ରାଏଲକୁ ସମର୍ଥନ ପ୍ରସଙ୍ଗରେ ଟ୍ରମ୍ପ କହିଛନ୍ତି, “ବର୍ତ୍ତମାନ ସ୍ଥିତିରେ ଆମେ ବହୁତ ଭଲ କାମ କରୁଛୁ। ମନେ ରଖନ୍ତୁ ଇରାନ କେବେ ହେଲେ ଆଣବିକ ଯୁଦ୍ଧାସ୍ତ୍ରର ଅଧିକାରୀ ହୋଇପାରିବ ନାହିଁ।”

Advertisment

ଆମେରିକା ସମ୍ପତ୍ତି କିମ୍ବା ସୈନ୍ୟଙ୍କ ଦେହରେ ହାତ ନ ମାରିବାକୁ ମଧ୍ୟ ଟ୍ରମ୍ପ ଇରାନକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, “ଆମେ ତେହରାନ ସହ ବୁଝାମଣା ମୁଡରେ ନାହୁଁ। ଇରାନ ଜାଣିଛି ଯେ ସେମାନେ ଆମ ସୈନ୍ୟଙ୍କ ସହ ଲାଗିବେ ନାହିଁ। ଆମେ ବଡ଼ ପ୍ରହାର କରିପାରିବୁ। ମୁଁ ଇରାନ ସହ ଶାନ୍ତି ଆଲୋଚନା ପାଇଁ ଯୋଗାଯୋଗ କରି ନାହିଁ।

ଏ ସଂକ୍ରାନ୍ତ ରିପୋର୍ଟରେ କୌଣସି ସତ୍ୟତା ନାହିଁ। ଯଦି ସେମାନେ ଆଲୋଚନା ଚାହୁଁଛନ୍ତି, ତା’ହେଲେ ସେମାନେ ମୋ ପାଖରେ ପହଞ୍ଚନ୍ତୁ। ମୋ ପାଖରେ ପହଞ୍ଚିବାର ରାସ୍ତା ସେମାନଙ୍କୁ ଜଣା ଅଛି। ଟେବୁଲ ଉପରେ ଥିବା ଡିଲକୁ ସେମାନଙ୍କୁ ଗ୍ରହଣ କରିବାକୁ ପଡ଼ିବ। ଏହା ଛଡ଼ା ଆଉ କୌଣସି ଉପାୟ ନାହିଁ। ଡିଲ ହେଲେ ଅନେକ ଜୀବନ ବଞ୍ଚିବ।”

Iran Israel Conflict Iran Israel War Donald Trump