/odisha-reporter/media/post_attachments/uploadimage/library/16_9/16_9_0/H1_B_Visa_1758355590.jpg)
H1 B Visa
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଚ-୧ବି ଭିସା ଫି’କୁ ବୃଦ୍ଧି କରିଛନ୍ତି। ଏଣିକି ଆମେରିକାରେ କାମ କରିବା ପାଇଁ ଆବଶ୍ୟକ ଏଚ୍-୧ବି ଭିସା ପାଇଁ ୧ ଲକ୍ଷ ଡଲାର ବା ଭାରତୀୟ ମୁଦ୍ରାରେ ପ୍ରାୟ ୯୦ ଲକ୍ଷ ଟଙ୍କା ଦେବାକୁ ପଡ଼ିବ। ଟ୍ରମ୍ପଙ୍କ ଏପରି ଘୋଷଣା ପରେ ବଡ଼ବଡ଼ ଟେକ୍ କମ୍ପାନୀଗୁଡ଼ିକ ମଧ୍ୟରେ ହଇଚଇ ସୃଷ୍ଟି ହୋଇଛି।
ମାଇକ୍ରୋସଫ୍ଟ, ଜେପି ମୋର୍ଗାନ ଓ ଆମାଜନ ଭଳି କମ୍ପାନୀଗୁଡ଼ିକ ନିଜର ଏଚ-୧ଭି ଭିସାଧାରୀ କର୍ମଚାରୀଙ୍କୁ ଆମେରିକରା ନ ଛାଡ଼ିବାକୁ କହିଛନ୍ତି। ସେହିପରି ଦେଶ ବାହାରେ ଥିବା କର୍ମଚାରୀଙ୍କୁ ରବିବାର ସୁଦ୍ଧା ଆମେରିକା ଫେରି ଆସିବାକୁ ମଧ୍ୟ କମ୍ପାନୀଗୁଡ଼ିକ ନିର୍ଦ୍ଦେଶ ଦେଇଛନ୍ତି।
ଆମଜନ ପକ୍ଷରୁ ଜାରି ହୋଇଥିବା ଚିଠିରେ କୁହାଯାଇଛି ଯେ ଏଚ-୧ବି ଓ ଏଚ ୪ ଭିସାଧାରୀ ସମସ୍ତ କର୍ମଚାରୀ ସେପ୍ଟେମ୍ବର ୨୧ ତାରିଖ ଦିନ ୧୨ଟା ସୁଦ୍ଧା ଆମେରିକା ଫେରି ଆସନ୍ତୁ। କାରଣ ୧୨ଟା ପରେ ଟ୍ରମ୍ପଙ୍କ ଭିସା ଫି’ ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ। ଏଚ୍ ୪ ଭିସା ଆଇନଗତ ସ୍ୱାମୀ/କିମ୍ବା ସ୍ତ୍ରୀଙ୍କ ପାଇଁ ଓ ଏଚ୍-୧ବି ଭିସା ଅବିବାହିତ ପିଲାମାନଙ୍କୁ ମିଳିଥାଏ।
ଜେପି ମୋର୍ଗାନ ପକ୍ଷରୁ ସମସ୍ତ କର୍ମଚାରୀଙ୍କୁ ମଧ୍ୟ ଏନେଇ ଗୋଟିଏ ଇ-ମେଲ ପଠା ଯାଇଛି। ଏଥିରେ କୁହାଯାଇଛି ଯେ ଯେଉଁ ଏଚ-୧ବି ଭିସାଧାରୀମାନେ ଆମେରିକାର ରହିଛନ୍ତି, ସେମାନେ ଅନ୍ତର୍ଜାତୀୟ ଗସ୍ତକୁ ବାତିଲ କରନ୍ତୁ। ସରକାରଙ୍କ ପକ୍ଷରୁ ନୂଆ ଯାତ୍ରା ଗାଇଡଲାଇନ୍ସ ଜାରି ନ ହେବା ଯାଏ ସେମାନେ ଆମେରିକା ଛାଡ଼ନ୍ତୁ ନାହିଁ। ମାଇକ୍ରୋସଫ୍ଟ ପକ୍ଷରୁ ମଧ୍ୟ ସମାନ ନିର୍ଦ୍ଦେଶ ଦିଆଯାଇଛି।
ଆମେରିକାରେ କାର୍ଯ୍ୟ କରୁଥିବା ଆଇଟି ଓ ପ୍ରଫେସନାଲ କର୍ମଚାରୀଙ୍କୁ ପ୍ରଭାବିତ କରିବା ଭଳି ନିଷ୍ପତ୍ତି ଟ୍ରମ୍ପ ନେଇଛନ୍ତି। ବ୍ୟବସ୍ଥିତ ଢଙ୍ଗରେ ଏଚ୍ ୧-ବି ଭିସା କାର୍ଯ୍ୟକ୍ରମର ଅପବ୍ୟବହାରକୁ ରୋକିବା ପାଇଁ ଟ୍ରମ୍ପ ପ୍ରଶାସନ ଏହାର ବାର୍ଷିକ ଫି’କୁ ୧ ଲକ୍ଷ ଡଲାରକୁ ବୃଦ୍ଧି କରିଥିବା କହିଛନ୍ତି। ଏହାଦ୍ୱାରା ଭାରତୀୟ ଶିକ୍ଷାର୍ଥୀ ଓ କର୍ମଚାରୀମାନେ ମଧ୍ୟ ପ୍ରଭାବିତ ହେବେ।
କାରଣ ଆମେରିକା ନାଗରିକତ୍ୱ ଓ ପ୍ରବାସୀ ସେବାର ତଥ୍ୟ ଅନୁସାରେ ୨୦୨୨ ଅକ୍ଟୋବରରୁ ୨୦୨୩ ସେପ୍ଟେମ୍ବର ମଧ୍ୟରେ ଜାରି ହୋଇଥିବା ପ୍ରାୟ ୪ ଲକ୍ଷ ଭିସା ମଧ୍ୟରୁ ୭୨% ଭାରତୀୟ ରହିଛନ୍ତି। ଅନେକ ଭାରତୀୟ ଏଚ୍-୧ବି ଭିସା ବଳରେ ଆମେରିକାରେ କାମ କରୁଛନ୍ତି। ଏବେ ସେମାନଙ୍କୁ ମଧ୍ୟ ଅଧିକ ଫି’ ଦେବାକୁ ପଡ଼ିବ। ସେହିପରି ଆମେରିକା ଯିବାକୁ ଚାହୁଁଥିବା ଲୋକଙ୍କୁ ମଧ୍ୟ ଭିସା ବାବଦରେ ଅଧିକ ଫି’ ଦେବାକୁ ପଡ଼ିବ।
ଟ୍ରମ୍ପ ପ୍ରଶାସନ କହିଛି ଯେ ସେମାନେ ବଡ଼ବଡ଼ କମ୍ପାନୀଗୁଡ଼ିକୁ ଏଚ-୧ବି କର୍ମଚାରୀ ଭିସା ପାଇଁ ବାର୍ଷିକ ୧ ଲକ୍ଷ ଡଲାର ଫି’ ଦେବାକୁ କହିବେ। ଏହାଦ୍ୱାରା କମ୍ପାନୀଗୁଡ଼ିକ ସେମାନଙ୍କ କର୍ମଚାରୀଙ୍କୁ ଆମେରିକାରେ ରହିବାକୁ କହିବେ କିମ୍ବା ଯଥାଶୀଘ୍ର ଫେରି ଆସିବାକୁ ନିର୍ଦ୍ଦେଶ ଦେବେ।
ପୂର୍ବରୁ ବିଦେଶରୁ ବିଭିନ୍ନ କମ୍ପାନୀ ଆଣୁଥିବା କର୍ମଚାରୀଙ୍କୁ ଆମେରିକାରେ କାମ କରିବା ପାଇଁ ଏଚ୍ -୧ବି ଭିସା ବାବଦରେ ୧୫୦୦ ଡଲାରର ପ୍ରଶାସନିକ ଫି’ ଦେବାକୁ ପଡ଼ୁଥିଲା। କିନ୍ତୁ ଏବେ ଏହାକୁ ବାର୍ଷିକ ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
