Nepal
ଦୁଇ ଦିନ ଧରି ସାଂଘାତିକ ପୋଡ଼ାଜଳା ଓ ଭଙ୍ଗାରୁଜା ପରେ ନେପାଳ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ରାଜଧାନୀ କାଠମାଣ୍ଡୁ ଠାରୁ ଆରମ୍ଭ କରି ଦେଶର ବିଭିନ୍ନ ସ୍ଥାନରେ ଏବେ ଅପେକ୍ଷାକୃତ ଶାନ୍ତି ପ୍ରତିଷ୍ଠା ହୋଇଛି। ଆଜି କୌଣସି ବଡ଼ଧରଣର ହିଂସାକାଣ୍ଡ ଏଯାଏ ଦେଖାଯାଇ ନାହିଁ। ଜେନ ଜେଡ ବିକ୍ଷୋଭକାରୀଙ୍କ ଚାପରେ ପ୍ରଧାନମନ୍ତ୍ରୀ ପଦରୁ କେପି ଶର୍ମା ଓଲି ଇସ୍ତଫା ଦେଇ ସାରିଛନ୍ତି। ଏଥିସହ ଦେଶ ଛାଡ଼ି ଚାଲି ଯାଇଛନ୍ତି। ନେପାଳରେ ଶାସନର ପରିବର୍ତ୍ତନ ହୋଇ ସାରିଛି।
ପ୍ରଧାନମନ୍ତ୍ରୀ ଇସ୍ତଫା ଦେଇଥିବାରୁ ଏବେ ପୂରା ନେପାଳ ସେନା ନିୟନ୍ତ୍ରଣରେ ରହିଛି। ସେନା ବାହିନୀ ସହରରେ ବୁଲି ଲୋକଙ୍କୁ ଶାନ୍ତି ବଜାୟୀ ରଖିବାକୁ କହିଛନ୍ତି। ସେହିପରି ବିଭିନ୍ନ ସ୍ଥାନରେ କଟକଣା ଲାଗି ଥିବା ବେଳେ ସନ୍ଧ୍ୟା ୬ଟାରୁ ଆସନ୍ତାକାଲି ସକାଳ ଯାଏ ପୂରା ନେପାଳରେ କର୍ଫ୍ୟୁ ଲାଗୁ କରାଯିବ। ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଛି।
ନେପାଳ ସ୍ଥିତିରେ ସାମନ୍ୟ ସୁଧାର ଆସିବା ବେଳେ ଦେଶର ଜେନ ଜେଡ ଆନ୍ଦୋଳନକାରୀମାନେ ଏକାଧିକ ରାଜନୀତିକ ଓ ସାମାଜିକ ଦାବି ଉପସ୍ଥାପନ କରିଛନ୍ତି। ସରକାରୀ ନୀତିରେ ବ୍ୟାପକ ସଂସ୍କାର ସହ ଗତ ୩ ଦଶନ୍ଧି ଧରି ରାଜନେତାମାନେ କରିଥିବା ସମ୍ପତ୍ତି ଲୁଟର ନିରପେକ୍ଷ ତଦନ୍ତ ପାଇଁ ସେମାନେ କହିଛନ୍ତି।
ଜେନ ଜେଡ ବିକ୍ଷୋଭକାରୀଙ୍କ ପକ୍ଷରୁ କୁହାଯାଇଛି ଯେ ଶାସନ ପରିବର୍ତ୍ତନ ଆନ୍ଦୋଳନ ବେଳେ ଜୀବନ ହରାଇଥିବା ଲୋକଙ୍କୁ ବିଧିବଦ୍ଧ ଭାବେ ସହିଦର ମାନ୍ୟତା ଦିଆଯାଉ। ସେମାନଙ୍କ ପରିବାର ଲୋକଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ରିଲିଫ ମିଳୁ। ବେକାରୀ, ପଳାୟନ ରୋକିବା ଓ ସାମାଜିକ ନ୍ୟାୟ ପ୍ରତିଷ୍ଠା ପାଇଁ ମଧ୍ୟ ବିକ୍ଷୋଭର ଆୟୋଜନକାରୀମାନେ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି।
ଜେନ ଜେଡ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ “ଏହି ବିପ୍ଳବ କୌଣସି ଦଳ କିମ୍ବା ବ୍ୟକ୍ତିବିଶେଷଙ୍କ ପାଇଁ ନୁହେଁ। ବରଂ ଏହା ପୂରା ପିଢ଼ି ଓ ଦେଶର ଭବିଷ୍ୟତ ପାଇଁ। ଶାନ୍ତି ଅପରିହାର୍ଯ୍ୟ। କିନ୍ତୁ ଏହା ଗୋଟିଏ ନୂଆ ରାଜନୀତିକ ବ୍ୟବସ୍ଥା ଦ୍ୱରା ହିଁ ସମ୍ଭବ।” ବିକ୍ଷୋଭକାରୀ ଆଶା କରିଛନ୍ତି ଯେ ରାଷ୍ଟ୍ରପତି ଓ ନେପାଳ ଆର୍ମି ସେମାନଙ୍କ ପ୍ରସ୍ତାବଗୁଡ଼ିକୁ ସକାରାତ୍ମକ ଭାବେ ଗ୍ରହଣ କରି ଏହାକୁ କାର୍ଯ୍ୟକାରୀ କରିବେ।
ପ୍ରମୁଖ ଦାବି
୧- ତୁରନ୍ତ ସଂସଦ ଭଙ୍ଗ କରାଯାଉ। କାରଣ ବର୍ତ୍ତମାନର ଲୋକପ୍ରତିନିଧି ଲୋକଙ୍କ ଆସ୍ଥା ହରାଇଛନ୍ତି।
୨- ଦେଶର ସମ୍ବିଧାନକୁ ସଂଶୋଧନ କରାଯାଉ କିମ୍ବା ପୁଣି ଏହାକୁ ସାଧାରଣ ଲୋକ, ବିଶେଷଜ୍ଞ ଓ ଯୁବଗୋଷ୍ଠୀଙ୍କ ପରାମର୍ଶକ୍ରମେ ଲେଖାଯାଉ।
୩- କିଛି ସମୟର ବ୍ୟବଧାନ ପରେ ଦେଶରେ ନିର୍ବାଚନ ଆୟୋଜନ ହେଉ।
୪- ସିଧାସଳଖ ନିର୍ବାଚିତ କାର୍ଯ୍ୟନିର୍ବାହୀ ନେତୃତ୍ୱର ପ୍ରତିଷ୍ଠା କରାଯାଉ।
୫- ଗତ ୩ ଦଶନ୍ଧି ମଧ୍ୟରେ ଲୁଟ କରାଯାଇଥିବା ସମସ୍ତ ସମ୍ପତ୍ତିର ଯାଞ୍ଚ ହେଉ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Nepal_1757489767.jpg)