Advertisment

WhatsApp: ହ୍ୱାଟସଆପକୁ ସଂପୂର୍ଣ୍ଣ ବ୍ୟାନ କଲା ରୁଷ

ହ୍ୱାଟସଆପ ବ୍ୟାନ କରାଯାଇଥିବା କଥାକୁ ନିଶ୍ଚିତ କରିଛନ୍ତି କ୍ରେମଲିନ ମୁଖପାତ୍ର ଡିମିଟ୍ରୀ ପେସ୍କୋଭ। ମେଟାର ମନମାନୀ ଯୋଗୁ ସରକାର ଏପରି ପଦକ୍ଷେପ ନେଇଥିବା ସେ ସୂଚନା ଦେଇଛନ୍ତି।

author-image
Hemant Lenka
Meta

ହ୍ୱାଟସଆପ

ଆମେରିକା ଭିତ୍ତିକ ମେସେଜିଂ ପ୍ଲାଟଫର୍ମ ହ୍ୱାଟସଆପକୁ ସଂପୂର୍ଣ୍ଣ ଭାବେ ଦେଶରେ ବ୍ୟାନ କରିଛି ରୁଷ। ସ୍ଥାନୀୟ ଆଇନକୁ ହ୍ୱାଟସଆପର ମୂଳ କମ୍ପାନୀ ମେଟା ଅନୁପାଳନ କରୁ ନଥିବାରୁ କ୍ରେମଲିନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। ରୁଷ ସ୍ୱଦେଶୀ ଜ୍ଞାନକୌଶଳରେ ତିଆରି କରିଥିବା ଜାତୀୟ ମେସେଞ୍ଜର ମାକ୍ସର ବହୁଳ ବ୍ୟବହାର କରିବାକୁ ମଧ୍ୟ ରୁଷ ପକ୍ଷରୁ ନିଜ ଦେଶର ଲୋକଙ୍କୁ ପରାମର୍ଶ ଦିଆଯାଇଛି।

Advertisment

ଗୁରୁବାର ରୁଷ ପକ୍ଷରୁ ହ୍ୱାଟସଆପ ବ୍ୟାନ କରାଯାଇଥିବା କଥାକୁ ନିଶ୍ଚିତ କରିଛନ୍ତି କ୍ରେମଲିନ ମୁଖପାତ୍ର ଡିମିଟ୍ରୀ ପେସ୍କୋଭ। ମେଟାର ମନମାନୀ ଯୋଗୁ ସରକାର ଏପରି ପଦକ୍ଷେପ ନେଇଥିବା ସେ ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ମେଟା ଦ୍ୱାରା ରୁଷ ଆଇନକୁ ଅନୁପାଳନ ନ କରାଯିବା ଯୋଗୁ ଏପରି ନିଷ୍ପତ୍ତି ନିଆଯାଇଛି। ଲୋକମାନେ ବହୁଳ ଭାବେ ରୁଷର ନିଜସ୍ୱ ମେସେଜିଂ ଆପ ମାକ୍ସକୁ ବ୍ୟବହାର କରନ୍ତୁ। MAX ହେଉଛି ଗୋଟିଏ ଉପଲବ୍ଧ ହେଉଥିବା ବିକଳ୍ପ, ଗୋଟିଏ ବିକାଶଶୀଳ ମେସେଞ୍ଜର୍, ଗୋଟିଏ ଜାତୀୟ ମେସେଞ୍ଜର୍ ଓ ନାଗରିକମାନଙ୍କ ପାଇଁ ବଜାରରେ ଉପଲବ୍ଧ ଥିବା ଗୋଟିଏ ବିକଳ୍ପ।” 

Advertisment

MAX ହେଉଛି ରୁଷ ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଗୋଟିଏ ଆପ୍। ୨୦୨୫ରେ VK କମ୍ପାନୀ ଏହାକୁ ଲଞ୍ଚ କରିଥିଲା। "ଜାତୀୟ ମେସେଞ୍ଜର୍" ଭାବେ ଏହାକୁ ସରକାର ପ୍ରୋତ୍ସାହିତ କରୁଛନ୍ତି। ଏହି ମେସେଜିଂ ଆପ ସହିତ ବିଭିନ୍ନ ସରକାରୀ ସେବାକୁ ମଧ୍ୟ ଲିଙ୍କ କରାଯାଇଛି। ତେଣୁ ଏହାକୁ ବ୍ୟବହାର କରି ସାଧାରଣ ଲୋକ ସରକାରୀ ସେବା ଓ ସରକାରୀ ପେମେଣ୍ଟ ସହଜରେ କରିପାରିବେ। 

ତେବେ ବିରୋଧୀ ଓ ସମାଲୋଚକମାନେ MAXକୁ ଏକ ସର୍ଭେଲାନ୍ସ ଉପକରଣ ବୋଲି କହିଛନ୍ତି। କାରଣ ଏଥିରେ end-to-end encryption ନଥାଏ। ଆପଟି ସଂପୂର୍ଣ୍ଣ ଭାବେ ସରକାରଙ୍କ ନିୟନ୍ତ୍ରଣରେ ରହିଛି। ଲୋକମାନଙ୍କ ସବୁ ଗତିବିଧି ଉପରେ ସରକାର ଏହି ମେସିଜିଂ ଆପ ଦ୍ୱାରା ନଜର ରଖିବାକୁ ସକ୍ଷମ ହେବେ ବୋଲି ସେମାନେ କହିଛନ୍ତି। କିନ୍ତୁ ରୁଷ ସରକାର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। 

WhatsApp ପକ୍ଷରୁ ମଧ୍ୟ କହାଯାଇଛି ଯେ ରାଷ୍ଟ୍ରୀୟ ସର୍ଭେଲାନ୍ସ ଆପ୍ MAXର ବ୍ୟବହାର କରିବା ପାଇଁ ଲୋକଙ୍କୁ ବାଧ୍ୟ କରିବା ଉଦ୍ଦେଶ୍ୟରେ ଏପରି ବ୍ୟାନ ନିର୍ଦ୍ଦେଶ ଜାରି କରାଯାଇଛି। ରୁଷରେ WhatsAppର ପ୍ରାୟ ୧୦୦ ମିଲିୟନ୍ ବା ୧୦ କୋଟି ବ୍ୟବହାରକାରୀ ଅଛନ୍ତି। ଏହାପୂର୍ବରୁ Facebook ଓ Instagram ଭଳି ବିଦେଶୀ ଆପକୁ ମଧ୍ୟ ରୁଷ ସରକାର ବ୍ଲକ କରିଥିଲେ। 

Whatsapp