/odisha-reporter/media/post_attachments/uploadimage/library/16_9/16_9_0/Putin_1683118739.jpg)
Putin
ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହତ୍ୟା କରିବାକୁ ପୁଣି ଯୋଜନା କରିଥିଲା ୟୁକ୍ରେନ। ଏଥିପାଇଁ କିଭ୍ ପକ୍ଷରୁ ଦୁଇଟି ଡ୍ରୋନ୍ ମଧ୍ୟ ପଠା ଯାଇଥିଲା। ଏହି ଦୁଇଟି ଡ୍ରୋନ୍ ପୁଟିନ ରହୁଥିବା କ୍ରମେଲିନ ଉପରେ ଲକ୍ଷ୍ୟ ଭେଦ କରିବାକୁ ଚେଷ୍ଟା ମଧ୍ୟ କରିଥିଲେ। ତେବେ କୌଣସି ଅଘଟଣ ଘଟିବା ପୂର୍ବରୁ ରୁଷ ପକ୍ଷରୁ ଦୁଇଟି ଯାକ ଡ୍ରୋନ୍କୁ ଗୁଳି କରି ଧ୍ୱଂସ କରି ଦିଆଯାଇଛି। ଡ୍ରୋନ ଧ୍ୱଂସ ଓ କ୍ରେମଲିନ ପାଖରେ ଧୂଆଁ ବାହାରୁ ଥିବା ଭିଡିଓ ଜାରି କରି ରୁଷ ପକ୍ଷରୁ ଏପରି ଦାବି କରାଯାଇଛି।
ରୁଷ ପକ୍ଷରୁ କୁହାଯାଇଛି ଯେ ଯେତେବେଳେ ଓ ଯେଉଁଠି ବି ସୁଯୋଗ ମିଳିବ ରୁଷ ପ୍ରତି ଜବାବ ଦେବାର ଅଧିକାର ରଖିଛି। ଦୁଇଟି ମାନବ ବିହୀନ ଡ୍ରୋନ କ୍ରେମଲିନକୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲେ। ହେଲେ ସେମାନଙ୍କ ଯୋଜନାକୁ ପଣ୍ଡ କରି ଦିଆଯାଇଛି।
ପୁଟିନଙ୍କୁ ହତ୍ୟା କରିବା ପାଇଁ ୟୁକ୍ରେନ କ୍ରେମଲିନ ଉପରେ ହମଲା କରିବାକୁ ଚାହୁଁଥିଲା। କିନ୍ତୁ ଏଥିରେ ପୁଟିନ ସାମାନ୍ୟ ଆହତ ମଧ୍ୟ ହୋଇ ନାହାନ୍ତି। କ୍ରେମଲିନ ବିଲଡିଂ ମଧ୍ୟ ଆଦୌ କ୍ଷତି ହୋଇ ନାହିଁ। ଏହା ଏକ ଯୋଜନାବଦ୍ଧ ଆତଙ୍କବାଦ କାର୍ଯ୍ୟକଳାପ ଥିଲା ଓ ରୁଷିଆନ ଫେଡରେସନର ରାଷ୍ଟ୍ରପତି ପୁଟିନଙ୍କ ଜୀବନ ନେବାକୁ ଉଦ୍ୟମ ହୋଇଥିଲା ବୋଲି ରୁଷ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।
ବର୍ତ୍ତମାନ ରୁଷ ଠାରୁ ଆରମ୍ଭ କରି ବିଶ୍ୱର ବିଭିନ୍ନ ସୋଶାଲ ମିଡିଆ ପ୍ଲାଟଫର୍ମରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ମୁଖ୍ୟ କ୍ରେମଲିନ ପ୍ୟାଲେସ ପଛ ଭାଗରୁ ଧୂଆଁ ବାହାରୁଛି। ଏହାପୂର୍ବରୁ କ୍ରେମଲିନ ଉପରେ ଉଡ଼ୁଥିବା କୌଣସି ଗୋଟିଏ ଜନିଷକୁ ଗୁଳି କରି ଖସାଇ ଦିଆଯାଉଥିବା ଦେଖାଯାଉଛି। ଆଉ ଏକ ଭିଡିଓରେ ପୁଟିନଙ୍କ ଅଫିସ ଅର୍ଥାତ କ୍ରେମଲିନ ବିଲଡିଂର ଚୁଳ ଉପରେ ଡ୍ରୋନ ଉଡ଼ୁଥିବା ବେଳେ ଏହାକୁ ମଧ୍ୟ ଗୁଳି କରି ଖସାଇ ଦିଆଯାଇବା ଦେଖିବାକୁ ମିଳୁଛି।
KREMLIN DRONE ATTACK
- Russia says two Ukrainian drones attacked Kremlin overnight
- Drones downed with no victims or material damage to the Kremlin
- Moscow says it was a terrorist attack and attempt on Putin's life
- Russia says it reserves right to respond when and how it… pic.twitter.com/loZA6c3Fvd
— The Spectator Index (@spectatorindex) May 3, 2023
ଏହି ଘଟଣା ସାମ୍ନାକୁ ଆସିବା ପରେ ମସ୍କୋ ମେୟର ତୁରନ୍ତ ସହର ଭିତରେ ଅନାଧିକାର ଡ୍ରୋନ ଉଡ଼ାଣ ଉପରେ ରୋକ ଲଗାଇଛନ୍ତି। ବିନା ଅନୁମତିରେ ମସ୍କୋ ଆକାଶରେ କୌଣସି ପ୍ରକାରର ଡ୍ରୋନ ଉଡ଼ି ପାରିବ ନାହିଁ। ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ମେୟରଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।
୨୦୨୨ ଫେବୃଆରୀ ୨୪ରୁ ରୁଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି। ରୁଷର ଘନଘନ ଆକ୍ରମଣରେ ୟୁକ୍ରେନର ଅଧିକାଂଶ ସହର ଛିନଛତ୍ର ହୋଇଯାଇଛି। ତଥାପି ୟୁକ୍ରେନ ହାର ମାନିବା ମୁଡରେ ନାହିଁ। ଏବେ ବି ୟୁକ୍ରେନ ସେନାର ରୁଷର କଡ଼ା ଟକ୍କର ଦେଉଛନ୍ତି। ଏସବୁ ଭିତରେ ଏପରି ଏକ ଖବର ଓ ଭିଡିଓ ସାମ୍ନାକୁ ଆସିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
